ଚେନ୍ନାଇ: ପ୍ରଥମ ବଲ୍ରୁ ଟର୍ନ ଓ ବାଉନ୍ସ ଦେଇଥିବା ଆହ୍ବାନପୂର୍ଣ୍ଣ ଚେପକ୍ ପିଚ୍ରେ ରୋହିତ ଶର୍ମାଙ୍କ ଲଢ଼ୁଆ ତଥା ଦର୍ଶନୀୟ ୧୬୧ ରନ୍ ବଳରେ ଶନିବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ଦିନରେ ୬ ୱିକେଟ୍ ବିନିମୟରେ ୩୦୦ ରନ୍ କରି ନେଇଛି ଭାରତ। ଖାତା ଖୋଲିବା ପୂର୍ବରୁ ଯୁବ ତାରକା ଶୁବମନ ଗିଲ୍ ଏବଂ କିଛି ସମୟ ପରେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା (୨୧) ଓ ଅଧିନାୟକ ବିରାଟ କୋହଲି (୦)ଙ୍କୁ ହରାଇବା ସତ୍ତ୍ବେ ରୋହିତଙ୍କ ଖେଳ ଜୀବନର ସପ୍ତମ ଏବଂ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଶତକ ହିଁ ଆଜି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରି ଦେଇଥିଲା। ଗତ କିଛି ପାଳିରେ ଖରାପ ଖେଳି ସମାଲୋଚନାର ସମ୍ମୁଖୀନ ହୋଇଥିବା ଉପଅଧିନାୟକ ଅଜିଙ୍କ୍ୟ ରାହାଣେ (୬୭) ମଧ୍ୟ ହିଟ୍ମ୍ୟାନ୍ ରୋହିତଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ।
ଉଭୟ ଚତୁର୍ଥ ୱିକେଟ୍ରେ ୧୬୨ ରନ୍ ଯୋଡ଼ିବା ପରେ ୮୬ ରନ୍ରେ ୩ ୱିକେଟ୍ ହରାଇ ସଂଘର୍ଷ କରୁଥିବା ଭାରତ ସମ୍ମାନଜନକ ତ୍ରିଶତକୀୟ ସ୍କୋର୍ରେ ଦିନର ଖେଳ ଶେଷ କରିଥିଲା। ରୋହିତ ଓ ରାହାଣେ ମାତ୍ର ୧ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ଅବଶ୍ୟ ଦଳ ପାଇଁ ଚିନ୍ତାର କାରଣ ହୋଇଥିଲା। ତେବେ ଅନ୍ୟତମ ଉଦୀୟମାନ ତଥା ପ୍ରଭାବୀ ତାରକା ଋଷବ ପନ୍ତ ୫ ଚୌକା ଓ ଗୋଟିଏ ଛକା ସହ ୩୩* ରନ୍ କରିବା ଦଳକୁ ପୁଣି ଥରେ ଖେଳକୁ ଫେରାଇ ଆଣିଥିଲା। ଆଜିର ଷ୍ଟମ୍ପ୍ସ ଅପସାରଣ ବେଳକୁ ତାଙ୍କ ସହ ପଦାର୍ପଣକାରୀ ଅକ୍ଷର ପଟେଲ ୫ ରନ୍ରେ ଅପରାଜିତ ରହିଥିଲେ। ଖେଳ ଶେଷ ଆଡ଼କୁ ପନ୍ତ ଓ ପ୍ରତିପକ୍ଷ ଅଧିନାୟକ ଜୋ ରୁଟ୍ଙ୍କ କଥା କଟାକଟି, ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଦ୍ବନ୍ଦ୍ବ, ଇଂଲଣ୍ଡ ଡିଆରଏସ୍ର ପୁନଃଅବସ୍ଥାପନ ଏବଂ ଟେଷ୍ଟ୍ କ୍ରିକେଟ୍ରେ କୌଣସି ରନ୍ କରିବା ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଜଣେ ସ୍ପିନରଙ୍କ ଦ୍ବାରା ପ୍ରଥମ ଥର ଆଉଟ୍ ହେବା ପାଇଁ ପ୍ରଥମ ଦିନର ୮୮ ଓଭର ଖେଳ ବେଶ୍ ରୋମାଞ୍ଚଭରା ଏବଂ ଘଟଣା ବହୁଳ ରହିଥିଲା। କୋଭିଡ୍ ସଙ୍କଟ ପରେ ଭାରତରେ ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଦର୍ଶକ ଷ୍ଟାଡିୟମ୍କୁ ଆସିବାକୁ ନେଇ କେବଳ ଆୟୋଜକ କିମ୍ବା ଖେଳାଳି ନୁହେଁ ଖୋଦ୍ ଦର୍ଶକ ବି ବେଶ୍ ଉତ୍ସାହିତ ଓ ଉଲ୍ଲସିତ ଥିଲେ।
କୁଲଦୀପଙ୍କ ଦୀର୍ଘ ଅପେକ୍ଷାର ଅନ୍ତ
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ୨୧୭ ରନ୍ରେ ହାରିବା ପରେ ଚାଇନାମ୍ୟାନ୍ ବୋଲର କୁଲଦୀବ ଯାଦବଙ୍କୁ ଦଳରେ ନରଖିବା ନେଇ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କୁ ନାନା କଟୁ କଥା ଶୁଣିବାକୁ ପଡ଼ିଥିଲା। ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ସାଧାରଣ କ୍ରିକେଟ୍ପ୍ରେମୀ ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କ ରଣନୀତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। ମାତ୍ରାଧିକ କାର୍ଯ୍ୟଭାର ଏବଂ ଆଗକୁ ଥିବା ଲମ୍ବା ଶୃଙ୍ଖଳା ପାଇଁ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦେବାକୁ ମଧ୍ୟ ଦାବି ହେଉଥିଲା। ଏସବୁ କଥାକୁ ଆଖି ଆଗରେ ରଖି ଭାରତ ଶନିବାର ତିନିଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ଅଲରାଉଣ୍ଡର ୱାସିଂଟନ ସୁନ୍ଦର, ଶାହବାଜ ନଦୀମ ଓ ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ କୁଲଦୀପ, ଅକ୍ଷର ଓ ମହମ୍ମଦ ସିରାଜ ଖେଳିଥିଲେ। ଅଷ୍ଟ୍ରେଲିଆରେ ବସିବସି ଆସିଥିବା କୁଲଦୀପ ୨୦୧୯ ଜାନୁଆରି ମାସ ପରେ ପ୍ରଥମ ଥର ପାଇଁ ଟେଷ୍ଟ୍ ଖେଳିବାର ସୁଯୋଗ ପାଇଥିଲେ। ଅନୁରୂପ ଭାବେ ଇଂଲଣ୍ଡ ମଧ୍ୟ ଚାରିଟି ପରିବର୍ତ୍ତନ କରିଥିଲା। ବେନ୍ ଫୋକ୍ସ (ୱିକେଟ୍ ରକ୍ଷକ), ମୋଇନ ଅଲ୍ଲୀ, ଷ୍ଟୁଆର୍ଟ ବ୍ରଡ୍ ଓ ଓଲି ଷ୍ଟୋନ୍ଙ୍କୁ ଚୂଡ଼ାନ୍ତ ଦଳରେ ସ୍ଥାନ ଦେଇଥିଲା। କୋହଲି ଟସ୍ ଜିତିବା ପରେ ଦ୍ବିତୀୟ ଦିନରୁ ଆହୁରି ଟର୍ନ ଓ ବାଉନ୍ସ ମିଳିବାର ସମ୍ଭାବନା ଥିବା ଚେପକ୍ ପିଚ୍ରେ ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲେ।
କୋହଲିଙ୍କୁ ‘ଶୂନ’ରେ ଆଉଟ୍ କରିବାରେ ମୋଇନ ପ୍ରଥମ ସ୍ପିନର
ଟେଷ୍ଟ୍ କ୍ରିକେଟ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ‘ଶୂନ’ରେ ଆଉଟ୍ କରିବାରେ ଇଂଲଣ୍ଡର ମୋଇନ ଅଲ୍ଲୀ ଶନିବାର ବିଶ୍ବର ପ୍ରଥମ ସ୍ପିନର ହୋଇଥିଲେ। ପୂଜାରାଙ୍କ ଆଉଟ୍ ପରେ ବ୍ୟାଟିଂ ପାଇଁ ଅସିଥିବା କୋହଲି ଜ୍ୟାକ୍ ଲିଚ୍ଙ୍କ ଚାରିଟି ବଲ୍କୁ ରକ୍ଷଣାତ୍ମକ ଢଙ୍ଗରେ ଖେଳି ନେଇଥିଲେ। ହେଲେ ମୋଇନ ଅଲ୍ଲୀଙ୍କୁ ସାମ୍ନା କରିଥିବା ପ୍ରଥମ ବଲ୍ରେ ଅବିଶ୍ବସନୀୟ ଭାବେ କ୍ଲିନ୍ ବୋଲ୍ଡ ହୋଇ ଯାଇଥିଲେ। ଟେଷ୍ଟ୍ କ୍ରିକେଟ୍ରେ ଏକାଦଶ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ରେ ୨୬ତମ ‘ଶୂନ’ ପାଇଥିବା କୋହଲି କୌଣସି ସ୍ପିନରଙ୍କ ଦ୍ବାରା ପ୍ରଥମ ଥର ପାଇଁ ଖାତା ଖୋଲିବା ପୂର୍ବରୁ ୱିକେଟ୍ ହରାଇ ବସିଥିଲେ। ଏହା ପୂର୍ବରୁ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍, ଷ୍ଟୁଆର୍ଟ ବ୍ରଡ୍, ପ୍ୟାଟ୍ କମିନ୍ସ, ବେନ୍ ହିଲଫେନହସ୍, ମିଚେଲ ଷ୍ଟାର୍କ, ସୁରଙ୍ଗା ଲାକମଲ, ଆବୁ ଜୟେଦ, ଲିୟମ ପ୍ଲଙ୍କେଟ, ରବି ରାମପାଲ ଓ କେମାର ରୋଚ୍ ଶୂନ୍ରେ କୋହଲିଙ୍କୁ ଶିକାର କରି ସାରିଛନ୍ତି। କୋହଲି ଏବେ ଟେଷ୍ଟ୍ରେ ୧୧, ଦିନିକିଆରେ ୧୩ ଏବଂ ଟ୍ବେଣ୍ଟି-୨୦ରେ ୨ଥର ବିନା ରନ୍ରେ ଆଉଟ୍ ହୋଇଛନ୍ତି।
ଡିଆରଏସ୍ ନାଟକ
ପ୍ରଥମ ଦିନର ଖେଳରେ ଡିଆର୍ଏସ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତୃତୀୟ ଅମ୍ପାୟାରଙ୍କ ତ୍ରୁଟି ପାଇଁ ରାହାଣେ ଆଉଟ୍ ହେବାରୁ ବର୍ତ୍ତି ଯାଇଥିଲେ। ଏହି ଘଟଣା ଭାରତୀୟ ପାଳିର ୭୫ତମ ଓଭରରେ ଘଟିଥିଲା। ଜ୍ୟାକ୍ ଲିଚ୍ଙ୍କ ବଲ୍ରେ ଇଂଲଣ୍ଡର ଅପିଲଙ୍କୁ ପଡ଼ିଆ ଅମ୍ପାୟାର ଖାରଜ କରି ଦେଇଥିଲେ। ଫଳରେ ଅଧିନାୟକ ରୁଟ୍ ଏହାର ରିଭ୍ୟୁ କରିଥିଲେ। ତୃତୀୟ ଅମ୍ପାୟାର ଅନିଲ ଚୌଧୁରୀ ବଲ୍ ଲେଗ୍ ଷ୍ଟମ୍ପ୍ ବାହାରେ ପଡ଼ିବା ନେଇ ଏଲ୍ବିଡବ୍ଲ୍ୟୁ ଅପିଲ ଭାବି ଏହାକୁ ନାକଚ କରିଥିଲେ। ଇଂଲଣ୍ଡ ଖେଳାଳି କଟ୍ ବିହାଇଣ୍ଡ ଅପିଲ କରିବା ପଡ଼ିଆ ଅମ୍ପାୟାରଙ୍କୁ ଜଣାଇଥିଲେ। ସତକୁ ସତ ବଲ୍ ରାହାଣେଙ୍କ ଗ୍ଲୋଭ୍ସରେ ବାଜିଥିବା ରିପ୍ଲେରୁ ଜଣାପଡ଼ିଥିଲା। ସେତେବେଳକୁ ଚୌଧୁରୀ ନଟ୍ଆଉଟ୍ ଦେଇ ସାରିଥିବାରୁ ଆଉ କିଛି କରି ହୋଇନଥିଲା। ହେଲେ କିଛି ମିନିଟ୍ ପରେ ଇଂଲଣ୍ଡ ହରାଇଥିବା ରିଭ୍ୟୁକୁ ପୁଣି ଥରେ ଅବସ୍ଥାପିତ କରି ଦିଆଯାଇଥିଲା।