ଦୁନେଦିନ୍: ନ୍ୟୁଜିଲାଣ୍ଡ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲ ଗୁରୁବାର ଆନ୍ତର୍ଜାତିକ ଟି-୨୦ ଫର୍ମାଟ୍ରେ ବିଶ୍ବ କୀର୍ତ୍ତିମାନ ରଚିଛନ୍ତି। ୟୁନିଭର୍ସିଟି ଓଭାଲ୍ ଗ୍ରାଉଣ୍ଡ୍ରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟି-୨୦ ମ୍ୟାଚ୍ରେ ଗପ୍ଟିଲ ୫୦ ବଲ୍ରୁ ୬ ଚୌକା ଓ ୮ ଛକା ସହାୟତାରେ ୯୭ ରନ୍ କରିଥିଲେ। ଏହି ପାଳି ଅବସରରେ ଗପ୍ଟିଲ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ସର୍ବାଧିକ ଛକା କୀର୍ତ୍ତିମାନକୁ ଭାଙ୍ଗି ଦେଇଛନ୍ତି। ଟି-୨୦ ଆନ୍ତର୍ଜାତିକରେ ଫର୍ମାଟ୍ରେ ରୋହିତଙ୍କ ଛକା ସଂଖ୍ୟା ୧୨୭ ଥିଲା ବେଳେ ଗପ୍ଟିଲଙ୍କ ଛକା ସଂଖ୍ୟା ୧୩୨ରେ ପହଞ୍ଚିଯାଇଛି। ଏହି ଦୁଇ ଜଣଙ୍କ ପଛକୁ ଇଂଲଣ୍ଡ ଅଧିନାୟକ ଇୱିନ୍ ମୋର୍ଗାନ୍ (୧୧୩), ନ୍ୟୁଜିଲାଣ୍ଡ୍ର କଲିନ୍ ମୁନ୍ରୋ (୧୦୭), ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ (୧୦୫) ଯଥାକ୍ରମେ ତୃତୀୟରୁ ପଞ୍ଚମରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଆଉ ତିନି ଜଣ ବ୍ୟାଟ୍ସମ୍ୟାନ୍ ଏହି ଫର୍ମାଟ୍ରେ ୧୦୦ରୁ ଅଧିକ ଛକା ମାରିଛନ୍ତି।