ଖେଳ ରାଜ୍ୟ

ରୋହିତଙ୍କୁ ହରାଇଲେ ପନ୍ତ: ସଚିନ, ଯୁବିଙ୍କ ସମକକ୍ଷ ହେଲେ ଈଶାନ

ମୁମ୍ବାଇ: ଆଇପିଏଲ୍‌-୧୫ର ଦ୍ବିତୀୟ ମ୍ୟାଚ୍‌ରେ ପୂର୍ବବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ୱିକେଟ୍‌ରେ ପରାସ୍ତ କରିଦେଇଛି। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୧୭୮ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଦେବା ସତ୍ତ୍ବେ ଏକଦା ୧୦୪ ରନ୍‌ରେ ୬ ୱିକେଟ୍ ହରାଇ ଆଶା ଓ ଆଶଙ୍କାରେ ଥିବା ଦିଲ୍ଲୀ ଶେଷରେ ସହଜ ବିଜୟ ହାସଲ କରିଥିଲା। ମଧ୍ୟକ୍ରମ ବ୍ୟାଟର୍ ଲଳିତ ଯାଦବ (୪୮* ରନ୍, ୩୮ ବଲ୍, ୪ ଚୌକା, ୨ ଛକା) ଏବଂ ଅଲରାଉଣ୍ଡର ଅକ୍ଷର ପଟେଲ (୩୮* ରନ୍, ୧୭ ବଲ୍, ୨ ଚୌକା, ୩ ଛକା) ଅବିଭା‌ଜିତ ସପ୍ତମ ୱିକେଟ୍‌ରେ ୭୫ ରନ୍ ଯୋଡ଼ି ମୁମ୍ବାଇ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥି‌ଲେ। ଦିଲ୍ଲୀ ଏହି ବିଜୟ ବଳରେ ଆତ୍ମବିଶ୍ବାସର ସହ ଚଳିତ ଆଇପିଏଲ୍ ଅଭିଯାନ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ପାଞ୍ଚ ଥର ବିଜେତା ମୁମ୍ବାଇ ପୁଣି ଥରେ ପରାଜୟରୁ କୌଣସି ଋତୁକୁ ଆରମ୍ଭ କରିଥିଲା।

ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ୪୧ ଏବଂ ଈଶାନ କିଶନଙ୍କ ଅପରାଜିତ ୮୧ ରନ୍ ସହାୟତାରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୭ ରନ୍ କରିଥିଲା ମୁମ୍ବାଇ। ଶେଷ ଓଭରଗୁଡ଼ିକରେ ଦ୍ରୁତ ରନ୍ ସଂଗ୍ରହ କରିନପାରି ମୁମ୍ବାଇ ୨୦୦ ରନ୍ ଛୁଇଁ ପାରିନଥିଲା। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ପଶ୍ଚାତଧାବନ ଆରମ୍ଭରୁ ଅସ୍ଥିର ଥିଲା। ହେଲେ ପରବର୍ତ୍ତୀ ସମୟରେ ଚାପକୁ ସହଜରେ ପ୍ରତିହତ କରି ଏହି ଦଳ ବିଜୟୀ ହୋଇଥିଲା। ଲଳିତ ଏବଂ ଅକ୍ଷରଙ୍କ ବାଦ୍ ଓପନର ପୃଥ୍ବୀ ସ’ ୨୪ ବଲ୍‌ରୁ ବିସ୍ଫୋରକ ୩୮ ରନ୍‌ର ମହତ୍ବପୂର୍ଣ୍ଣ ଯୋଗଦାନ କରିଥିଲେ। ଦୁଇ ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏବଂ ଡାନିଏଲ୍ ସାମ୍ସ ମାତ୍ର ୭.୨ ଓଭରରେ ୧୦୦ ରନ୍ ବ୍ୟୟ କରିବା‌ ମଧ୍ୟ ମୁମ୍ବାଇ ପରାଜୟର ଅନ୍ୟତମ କାରଣ ଥିଲା।

ସଚିନ, ଯୁବିଙ୍କ ସମକକ୍ଷ ହେଲେ ଈଶାନ
ଆଇପିଏଲ୍‌ରେ କ୍ରମାଗତ ୩ ଅର୍ଦ୍ଧଶତକ ଜମାଇବା ସହିତ ମୁମ୍ବାଇ ଇଣ୍ଡିଆନ୍ଗର ଯୁବ ପ୍ରାରମ୍ଭିକ ବ୍ୟାଟର୍‌ ଈଶାନ କିଶନ ସଚିନ ତେନ୍ଦୁଲକର ଏବଂ କ୍ବିଣ୍ଟନ୍ ଡି’କକ୍‌ଙ୍କ ସମକକ୍ଷ ହୋଇଛନ୍ତି। ପୂର୍ବତନ ଭାରତୀୟ ଅଲରାଉଣ୍ଡର୍‌ ଯୁବରାଜ ସିଂହଙ୍କ ଅନ୍ୟ ଏକ କୀର୍ତ୍ତିମାନର ମଧ୍ୟ ଈଶାନ ସମକକ୍ଷ ‌ହୋଇଛନ୍ତି। ବିପୁଳ ରାଶିରେ ନିଲାମିରେ କିଣାଯିବା ପରେ ଯୁବରାଜଙ୍କ ଭଳି ପ୍ରଥମ ଆଇପିଏଲ୍‌ ମ୍ୟାଚ୍‌ରେ ଅର୍ଦ୍ଧଶତକ ଜମାଇଛନ୍ତି ଈଶାନ। ୨୦୧୪ରେ ଯୁବରାଜଙ୍କୁ ଆର୍‌ସିବି ୧୪ କୋଟିରେ ନେବା ପରେ ସେ ପ୍ରଥମ ମ୍ୟାଚ୍‌ରେ ୫୦ରୁ ଊର୍ଧ୍ବର ରନ୍‌ର ପାଳି‌ ଖେଳିଥିଲେ। ସେହିଭଳି ଚଳିତ ବର୍ଷ ମେଗା ନିଲାମିରେ ଈଶାନଙ୍କୁ ମୁମ୍ବାଇ ଦ୍ବିତୀୟ ସର୍ବୋଚ୍ଚ ରାଶି ୧୫.୨୫ କୋଟିରେ ପୁନଃକ୍ରୟ କରିବା ପରେ ସେ ରବିବାର ପ୍ରଥମ ମ୍ୟାଚ୍‌ରେ ୪୮ ବଲ୍‌ରୁ ୮୧* ରନ୍‌ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ