ନୂଆଦିଲ୍ଲୀ,୧୩/୦୩ : ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମୁକାବିଲାରେ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଇଂଲଣ୍ଡ ଭାରତକୁ ୮ ଓ୍ୱିକେଟରେ ପରାସ୍ତ କରିଛି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ୍ ହରାଇ ୧୨୪ ରନ୍ କରିଥିଲା । ଜବାବରେ ଇଂଲଣ୍ଡ ୧୫.୩ ଓଭରରେ ମାତ୍ର ୨ ଓ୍ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନଇଥିଲା ।
ଏହି ବିଜୟ ସହ ଇଂଲଣ୍ଡ ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମ ମୁକାବିଲାରେ ଟସଠୁ ଆରମ୍ଭ କରି ଦଳ ଚୟନ ଭାରତ ସପକ୍ଷରେ ନଥିଲା । ଆସନ୍ତୁ ନଜର ପକାଇବା ଦଳର ପରାଜୟର ମୁଖ୍ୟ କାରଣ ଉପରେ ।
ଟସ୍ ହାରିବା
ଅଧିନାୟକ ବିରାଟ କୋହଲି ଟସ୍ ହାରିଥିଲେ । ଏହି ମ୍ୟାଚରେ ଟସ୍ ବହୁ ଗୁରୁତ୍ୱ ବହନ କରୁଥିଲା । ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ।ବିରାଟ ମଧ୍ୟ ଟସ୍ ଜିତିଥିଲେ ପ୍ରଥମେ ବୋଲିଂ ନେଇଥାନ୍ତେ ବୋଲି କହିଥିଲେ ।
ରୋହିତଙ୍କୁ ବିଶ୍ରାମ
ରୋହିତ ଶର୍ମାଙ୍କୁ ବିଶ୍ରାମ ଦେବା ଦଳ ପାଇଁ ମହଙ୍ଗା ପଡିଛି । ସେ ଟେଷ୍ଟ ସିରିଜରେ ଦମଦାର୍ ଫର୍ମରେ ଥିଲେ । ରୋହିତ ନଥିବାରୁ ଓପନିଂ ଭୁଶୁଡି ପଡିଲା । ଟପ୍ ୩ ବ୍ୟାଟସମ୍ୟାନ୍ ଫେଲ୍ ମାରିଥିଲେ । ଏପରିକି ଓପନିଂ ପାଇଁ ଓହ୍ଲାଇଥିବା କେଏଲ ରାହୁଲ ଓ ଶିଖର ଧାଓ୍ୱନ ଫେଲ୍ ମାରିଥିଲେ ।
ପାଓ୍ୱାର ପ୍ଲେରେ କମ ରନ୍
ଭାରତ ପାଓ୍ୱାର ପ୍ଲେର ଫାଇଦା ଉଠାଇ ପାରିନଥିଲା । ଦଳ ପ୍ରଥମ ୬ ଓଭର ପାଓ୍ୱାର ପ୍ଲେରେ ମାତ୍ର ୨୨ ରନ୍ କରିପାରିଥିଲା ।
୩ ସ୍ପିନରଙ୍କୁ ଖେଳାଇବା
ଭାରତ ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ ଓ ଓ୍ୱାଶିଂଟନ ସୁନ୍ଦରଙ୍କୁ ଧରି ପଡିଆକୁ ଓହ୍ଲାଇଥିଲା । କିନ୍ତୁ ଇଂଲଣ୍ଡ ଜଣେ ସ୍ପିନରଙ୍କୁ ମ୍ୟାଚରେ ସାମିଲ କରିଥିଲା ।