ନୂଆଦିଲ୍ଲୀ,୨୩/୦୭: ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ୍ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଭଲ ଖବର । ଓ୍ୱିକେଟକିପର୍ ବ୍ୟାଟସମ୍ୟାନ୍ ଋଷଭ ପନ୍ତ କୋଭିଡ-୧୯ରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଦଳରେ ସାମିଲ ହୋଇଛନ୍ତି । ସେ ଜୁଲାଇ ୨୮ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ । ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡ ବା ବିସିସିଆଇ ଏନେଇ ସୂଚନା ଦେଇଛି ।
ବିସିସିଆଇ ପନ୍ତଙ୍କ ଫଟୋ ସେୟାର କରି ଲେଖିଛି ଯେ, ହାଲୋ ଋଷଭ ପନ୍ତ । ପୁଣି ଥରେ ଦେଖି ଭଲ ଲାଗିଲା । ସୂଚନାଅନୁସାରେ, ପନ୍ତ ବାୟୋ-ବବଲ ସତ୍ତ୍ୱେ ଜୁଲାଇ ୮ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସେ ଆଇସୋଲେସନରେ ରହିଥିଲେ । ଲଗାତର ଭାବେ ବିସିସିଆଇର ମେଡିକାଲ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରୁଥିଲା । ବ୍ରିଟେନର କ୍ୱାରେଣ୍ଟାଇନ୍ ନିୟମ ଅନୁସାରେ ଗତ ରବିବାର ହିଁ ଅବଧି ପୂରଣ ହୋଇଥିଲା ।
ପନ୍ତ ନିଜର ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ସେଠାରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ଦାନ୍ତ ଡାକ୍ତରଙ୍କୁ ଦେଖା କରିବା ପରେ ଡେଲଟା ୩ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ । ଏହାପରେ ବିସିସିଆଇ ସମ୍ପାଦକ ଜୟ ଶାହ ଚିଠି ଲେଖି ଦଳକୁ ଗହଳି ସ୍ଥାନରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ ।
ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଅଗଷ୍ଟ ୪ରୁ ଆରମ୍ଭ ହେବ । ଏହାପରେ ଲର୍ଡସ୍, କନିଙ୍ଗଟନ୍ ଓଭାଲ, ହେଣ୍ଡିଗଲେ ଓ ଓଲ୍ଡ ଟ୍ରଫୋଡ୍ରେ ଖେଳାଯିବ ।