ନାରାୟଣପାଟଣା ୨୦।୧୧: ଟ୍ରେନ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । କୋରାପୁଟ ବିଶାଖାପାଟଣା ଡ଼ିଏମ୍ୟୁ ଟ୍ରେନ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ନିକଟ ଭୂଇଁପାଟଣା ଗାଁ ନିକଟରେ ଘଟିଛି ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ଠାରୁ ୩ କିଲୋମିଟର ଦୂର ଭୂଇଁପାଟଣା ଗାଁ ନିକଟରେ ଘଟିଛି ଦୁର୍ଘଟଣା । କୋରାପୁଟ ବିଶାଖାପାଟଣା ଡ଼ିଏମ୍ୟୁ ଟ୍ରେନ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ବୁର୍ଜା ଗାଁର ବୁରୁସ ଖରା ଓ ଯମୁନା ଖରା । ଉଭୟେ ସ୍ୱାମୀ-ସ୍ତ୍ରୀ ହୋଇଥିବା ବେଳେ ସେମାନେ ଗାଁ ଗାଁ ବୁଲି ବ୍ୟବସାୟ କରୁଥିଲେ । ବୁଧବାର ସକାଳୁ ଦୁହେଁ ଭୂଇଁପାଟଣା ଗାଁରେ ପହଞ୍ଚି ବ୍ୟବସାୟ ସାରି ଫେରୁଥିବା ବେଳେ ରେଳ ଲାଇନ ପାର ହେଉଥିଲେ । ଘଟଣାସ୍ଥଳରେ ଦୁଇଟି ଟ୍ରାକ୍ ରହିଥିବା ବେଳେ ଉଭୟ ଟ୍ରାକ୍ରେ ଦମ୍ପତି ପାର ହେଉଥିଲେ । ସେହି ସମୟରେ ଦୁଇଟି ଟ୍ରେନ୍ ଦୁଇପଟେ ଆସୁଥିଲା । କିଛି ଉପାୟ ନପାଇବାରୁ ଡ଼ିଏମୟୁ ଟ୍ରେନ୍ ଉଭୟଙ୍କୁ ଧକ୍କା ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ବର୍ତ୍ତମାନ ଲକ୍ଷ୍ମୀପୁର ପୋଲିସ ପହଞ୍ଚିଛି । ଭୂଇଁପାଟଣା ନିକଟରେ ବ୍ରିଜ କିମ୍ବା ତୁରନ୍ତ ତାର ବାଡ଼ କରିବା ପାଇଁ ଦାବି କରାଯାଇଛି ।