ମୁମ୍ବାଇ ୧୮/୦୩ : ଏପ୍ରିଲ ୩୦ ତାରିଖରେ ସିନେମହଲରେ ରିଲିଜ ହେବ ବଲିଉଡ ଫିଲ୍ମ ‘ଚେହରେ’। ଫିଲ୍ମର ଟ୍ରେଲର ଆଜି ରିଲିଜ ହୋଇଛି। ନିକଟରେ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିଲା ଯେଉଁଥିରେ ମହାନାୟକ ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀ ନଜର ଆସିଥିଲେ। ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ ଗତ ବର୍ଷ ସୁଟିଂ ହୋଇଥିବା ଫିଲ୍ମରେ ବିବାଦରେ ଫସିଥିବା ରିୟା ଚକ୍ରବର୍ତ୍ତୀଙ୍କୁ ହଟାଇ ଦିଆଯାଇଛି କିମ୍ବା ତାଙ୍କୁ ରିପ୍ଲେସ୍ କରାଯାଇଛି। କିନ୍ତୁ ଆଜି ରିଲିଜ୍ ହୋଇଥିବା ଟ୍ରେଲରରେ ରିୟାଙ୍କ ଝଲକ୍ ନଜର ଆସିଛି। କିନ୍ତୁ ରିୟାଙ୍କ ଚରିତ୍ର ଏତେ ଛୋଟ ଯେ ଆଖିପତା ପଡୁ ପଡୁ ସେ ଗାୟବ୍ ହୋଇଯାଉଛନ୍ତି।
ଟ୍ରେଲରରେ ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀଙ୍କ ମଧ୍ୟରେ ଓକିଲ ଓ ଅଭିଯୁକ୍ତ ଭଳି ଡାଏଲଗବାଜି ଦେଖିବାକୁ ମିଳିଛି। ଟ୍ରେଲରରୁ ସ୍ପଷ୍ଟ ଜଣାପଡୁଛି ଯେ ୠମି ଜାଫ୍ରିଙ୍କ ଲିଖିତ ଓ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ମର୍ଡର ମିଷ୍ଟ୍ରି। ଅମିତାଭ ଓ ଇମ୍ରାନ ଫିଲ୍ମର ସସ୍ପେନ୍ସ ଜାରି ରଖିଛନ୍ତି।
କିଛି ସିନରେ କ୍ରିଷ୍ଟାଲ ଡିସୁଜା ମଧ୍ୟ ନଜର ଆସିଛନ୍ତି। କ୍ରିଷ୍ଟାଲଙ୍କର ଏହା ଡେବ୍ୟୁ ଫିଲ୍ମ। ଫିଲ୍ମରେ ତମାମ ମୁଖ୍ୟ କଳାକାରଙ୍କ ଟ୍ରେଲର ପରେ ଶେଷ ଆଡକୁ ରିୟାଙ୍କ ଏକ ଝଲକ ଦେଖିବାକୁ ମିଳିଛି। ଏହାପରେ ସ୍ପଷ୍ଟ ହୋଇଛି ଯେ ଫିଲ୍ମରେ ରିୟାଙ୍କ ଚରିତ୍ର ହଟାଯାଇନାହିଁ। ଫିଲ୍ମ ସହ ଜଡିତ ଏକ ସୂତ୍ରରୁ ଜଣାପଡିଛି ଯେ ‘ଚେହରେ’ରେ ରିୟାଙ୍କ ଚରିତ୍ର ଯେମିତି ଥିଲା ସେମିତି ହିଁ ଅଛି। ତାଙ୍କ ଚରିତ୍ର ଛୋଟ ମଧ୍ୟ କରାଯାଇନାହିଁ।
୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘ଜଲେବି’ରେ ରିୟାଙ୍କୁ ମୁଖ୍ୟ କଳାକାର ଭାବେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିବାଦରେ ଫସି ମାସେ ଯାଏଁ ଜେଲରେ ରହିବ ପରେ ରିୟାଙ୍କ ଫିଲ୍ମ ଚେହରେ ରିଲିଜ ହେବାକୁ ଯାଉଛି।

