ରାଜ୍ୟ

ରାୟଗଡ଼ା ବିଧାନସଭା: ନିର୍ଣ୍ଣାୟକ ଭୂମିକାରେ କାଶୀପୁର ଭୋଟର

କାଶୀପୁର: ୨୦୨୪ ନିର୍ବାଚନରେ ରାୟଗଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ଣ୍ଣାୟକ ଭୂମିକା ନେବେ କାଶୀପୁର ଭୋଟର। ଶିଳ୍ପ ଓ ଖଣି ସମୃଦ୍ଧ ଏହି ବ୍ଲକରେ ନିଯୁକ୍ତି, ଭିତ୍ତିଭୂମିର ବିକାଶକୁ ବିରୋଧୀ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ଶାସକ ଓ ବିରୋଧୀଙ୍କ ଅଡ଼ୁଆ ବଢ଼ାଇବେ ଝୋଡ଼ିଆ ଭୋଟର। ଦୁଇ ଦଶନ୍ଧିର ଦାବିସତ୍ତ୍ବେ ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ମିଳିନଥିବାରୁ ଭୋଟ ବର୍ଜନ ଭଳି ନିଷ୍ପତ୍ତି ନେଇପାରନ୍ତି ଏହି ସମ୍ପ୍ରଦାୟ। କାଶୀପୁର ବ୍ଲକ୍‌, ରାୟଗଡ଼ା ବ୍ଲକ୍‌ ଓ ରାୟଗଡ଼ା ପୌରାଞ୍ଚଳକୁ ନେଇ ଗଠିତ ରାୟଗଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ। ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୫୦ ହଜାର ୫୬୬। ମୋଟ ଭୋଟରଙ୍କ ମଧ୍ୟରୁ ପାଖାପାଖି ୪୫ପ୍ରତିଶତ (୧ଲକ୍ଷ ୧୦ ହଜାରରୁ ଊର୍ଦ୍ଧ୍ବ) ଭୋଟର କେବଳ କାଶୀପୁରର। ସେହିପରି ନିର୍ବାଚନ ମଣ୍ଡଳୀର ୩୦୧ ପୁଲିଂ ବୁଥ ମଧ୍ୟରୁ କାଶୀପୁର ବ୍ଲକରେ ସର୍ବାଧିକ ୧୩୩ ବୁଥ୍‌ ରହିଛି। ୨୦୧୯ ନିର୍ବାଚନରେ ଏହି ଆସନରେ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଜୟୀ ହୋଇଥିଲେ। ବିଜେଡି ଦ୍ବିତୀୟ ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା।

ମକରନ୍ଦ କାଶୀପୁର ଅଞ୍ଚଳର ହୋଇଥିବାରୁ ଭୋଟରଙ୍କ ସହାନୁଭୂତି ମିଳିଥିଲା। କିନ୍ତୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ଆଗାମୀ ନିର୍ବାଚନ ମକରନ୍ଦଙ୍କ ପାଇଁ ମହଙ୍ଗା ପଡ଼ିପାରେ। ବିଜେଡି ୨୦୧୯ ଭୁଲର ପୁନରାବୃତ୍ତି ନ କରିବାକୁ ଗଡ଼ ସଜାଡ଼ି ଚାଲିଛି। କାଶୀପୁର ଅଞ୍ଚଳର ଜଣେ ଶିକ୍ଷିତ ଯୁବତୀଙ୍କୁ ପ୍ରାର୍ଥୀ କରୁଛି। କଂଗ୍ରେସର ବିଧାୟକ ପ୍ରାର୍ଥୀ ଚୟନ ସରିଛି। ୨୦୨୨ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏଠାରେ ବଳ ଗୋଟାଇ ବ୍ଲକର ତିନୋଟି ଜିଲ୍ଲା ପରିଷଦ ମଧ୍ୟରୁ ଗୋଟିଏ ଅକ୍ତିଆର କରିଛି। ସେହିପରି ବିଭିନ୍ନ ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସରପଞ୍ଚ, ସମିତିସଭ୍ୟ ବିଜୟୀ ହୋଇଥିବା ବେଳେ ବ୍ଲକ୍ ଉପାଧ୍ୟକ୍ଷା ପଦବିକୁ ନିଜ ହାତରେ ରଖିଛି। ବିଜେଡି, ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଚାଲିଥିବାରୁ ବିଜେପି କାହାକୁ ପ୍ରାର୍ଥୀ କରିବ ସ୍ପଷ୍ଟ ହୋଇନି।

ତେବେ ସବୁ ଦଳ ପାଇଁ ମୁଣ୍ଡବ୍ୟଥା ସାଜିବେ ଝୋଡ଼ିଆ ସମ୍ପ୍ରଦାୟ। ଝୋଡ଼ିଆଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇନଥିବାରୁ ଚଳିତ ନିର୍ବାଚନରେ ଏହା ମୁଖ୍ୟ ପ୍ରସଙ୍ଗ ହେବ। ୨୦୧୯ ନିର୍ବାଚନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ମକରନ୍ଦ ମୁଦୁଲି ଏବଂ କଂଗ୍ରେସର ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ଏହି ପ୍ରସଙ୍ଗରେ କିଛି ଭୋଟ ହାସଲ କରିବାରେ ସମର୍ଥ ହୋଇଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁରୁଆ ଏବଂ ଦୋରା ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବାକୁ କେନ୍ଦ୍ର ଘୋଷଣା କରିଥିବା ବେଳେ ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଦେବାରେ ଅସୁବିଧା କେଉଁଠି ବୋଲି ଝୋଡ଼ିଆ ପରଜା ସମାଜର ସମ୍ପାଦକ ଶଙ୍କର ମୁଦୁଲି ପ୍ରଶ୍ନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।