ରାଜ୍ୟ

ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଚରମ ଅବହେଳା: ସୁରକ୍ଷା ବଳୟ ଭାଙ୍ଗି ହେଲିକପ୍ଟର ପାଖରେ ସେଲ୍‌ଫି ନେଲେ ଫାର୍ମାସିଷ୍ଟ

ବାରିପଦା : ତିନିଦିନିଆ ମୟୂରଭଞ୍ଜ ଗସ୍ତ ସାରି ଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତର ଶେଷ ଦିନ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ୯ ମିନିଟ୍‌ ଯାଏ ଅନ୍ଧାରରେ ରହିବା ଘଟଣାକୁ ନେଇ ହୁଲସ୍ତୁଲ ହୋଇଛି ରାଜ୍ୟ ପ୍ରଶାସନ। ତେବେ ଏହି ତାତି ଥମି ନଥିବା ବେ‌ଳେ ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ସୁରକ୍ଷା ବଳୟ ‌ଡେଇଁ ରାଷ୍ଟ୍ରପତିଙ୍କ ହେଲିକପ୍ଟର ନିକଟରେ ଫଟୋ ଉଠାଇବା ଓ ସେଲ୍‌ଫି ନେଇ ତାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଏବେ ଜିଲ୍ଲା ପ୍ରଶାସନକୁ ଅଡୁଆରେ ପକାଇଛି।

ସୂଚନାଥାଉକି, ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଯେମିତି କୌଣସି ତ୍ରୁଟି ନ ରୁହେ, ସେଥିପାଇଁ ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ମୟୂରଭଞ୍ଜ ଏସ୍‌ପି ରିଷିକେଶ ଦ୍ୟାନଦେଓ ଖିଲାରୀଙ୍କ ସହ ବାଲେଶ୍ବର ଏସ୍‌ପି ସାଗରିକା ନାଥ ମଧ୍ୟ ମୟୂରଭଞ୍ଜରେ ଡେରା ପକାଇଥିଲେ। ୫ ତାରିଖ‌ ପୂର୍ବାହ୍ନ ୧୦ଟା ୫୦ ସମୟରେ ବାୟୁସେନାର ହେଲିକେପ୍ଟର ଯୋଗେ ଶିମିଳିପାଳ ପାଦଦେଶ ଛେଳିଗୋଧୂଳି ନିକଟ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ ରାଷ୍ଟ୍ରପତି। ହେଲିପ୍ୟାଡ୍‌ ନିକଟ‌ରେ ନି‌ୟୋଜିତ ଥିଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌, ଯେଉଁଥିରେ ସାମିଲ ଥିଲେ ଯଶିପୁର ଜାମୁକେସର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଯଶୋବନ୍ତ ବେ‌ହେରା। ରାଷ୍ଟ୍ରପତି ଶିମିଳିପାଳ ବାହାରିଯିବା ପରେ ଶ୍ରୀ ବେହେରା ସୁରକ୍ଷା ବଳୟ ଭେଦ କରି ରାଷ୍ଟ୍ରପତିଙ୍କ ହେଲିକେପ୍ଟର ପାଖରେ ପହଞ୍ଚି ଯାଇଥିଲେ। ଆଉ ହେଲିକେପ୍ଟର ଶିଡ଼ିରେ ବସି ଓ ଠିଆ ହୋଇ ଭିନ୍ନ ଭିନ୍ନ ଭଙ୍ଗୀରେ ଫଟୋ ଉଠାଇଥିଲେ। ଅନ୍ୟ ଜଣେ କେହି ଏହି ଫଟୋ ଉଠାଇଥିବା ବେଳେ ଶ୍ରୀ ବେହେରା ମଧ୍ୟ ନିଜ ମୋବାଇଲ୍‌ରେ ସେଲ୍‌ଫି ନେଇଥିଲେ। ଏସବୁ ଫଟୋଗୁଡ଼ିକୁ ଆଜି ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଶ୍ରୀ ବେହେରା। ଉକ୍ତ ଫଟୋଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ପରେ ତାକୁ ଡିଲିଟ୍ କରି ଦେଇଥିଲେ।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ବେଳେ ଶ୍ରୀ ବେହେରା କିଭଳି ହେଲିପ୍ୟାଡ୍‌ ଭିତରକୁ ଯାଇ ରାଷ୍ଟ୍ରପତିଙ୍କ ହେଲିକେପ୍ଟର ପାଖରେ ଫଟୋ ଉଠାଇଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ସଂପର୍କରେ ଫାର୍ମାସିଷ୍ଟ ଶ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ହେଲିପ୍ୟାଡ୍‌କୁ ଯିବା ସମୟରେ ତାଙ୍କୁ କେହି ବାରଣ କରିନଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଡିଉଟି କରିଥିଲୁ ବୋଲି ଏକ ସ୍ମୃତି ସାଇତି ରଖିବା ଲକ୍ଷ୍ୟରେ ହେଲିକେପ୍ଟରକୁ ପାଖକୁ ଯାଇ ଫଟୋ ଉଠାଇଥିଲି ଓ ସେଲଫି ନେଇଥିଲି। ଭୁଲ୍ ହୋଇଯାଇଛି ବୋଲି ସେ ସ୍ବୀକାର କରିବା ସହ ଫେସ୍‌ବୁକ‌ରୁ ଫଟୋ ଡିଲିଟ୍ କରି ଦେଇଥିବା କହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଫାର୍ମାସିଷ୍ଟ ଶ୍ରୀ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରୂପଭାନୁ ମିଶ୍ର। ସେପଟେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୟୂରଭଞ୍ଜ ଏସ୍‌ପି ରିଷିକେଶ ଦ୍ୟାନଦେଓ ଖିଲାରୀ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।