ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତର ଏପାଖ ସେପାଖ

ପ୍ରଶଂସକଙ୍କ ପାଖକୁ ଗଲେ, ନମସ୍କାର କଲେ
ସ୍ବତନ୍ତ୍ର ହେଲିକ୍ୟାପ୍‌ଟରରେ ଆସି ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୪୦ ମିନିଟ୍‌ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯଶିପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ଠାରେ ଓହ୍ଲାଇଥିଲେ। ସେ ସେଠାରୁ କାର୍‌କେଡ୍‌ରେ ଯାଇ ଶିମିଳିପାଳ ଭିତରେ ପ୍ରବେଶ କରିବାର ଥିଲା। ହେଲେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ହେଲିକ୍ୟାପ୍‌ଟରରୁ ଓହ୍ଲାଇ କାର୍‌କେଡ୍‌କୁ ଯାଇ ନଥିିଲେ। ରାଇରଙ୍ଗପୁର ପାହାଡ଼ପୁରଠାରେ ସେ ଯେମିତି ପ୍ରୋଟୋକଲ୍‌ ଭାଙ୍ଗିି ହେଲିପ୍ୟାଡ୍‌ ଚାରିପାଖରେ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଥିବା ପ୍ରଶଂସକଙ୍କ ପାଖ‌କୁ ଯାଇଥିଲେ। ବ୍ୟାରିକେଡ୍‌ କଡ଼ରେ ଚାଲି ଚାଲି ସମସ୍ତଙ୍କୁ ନମସ୍କାର କରିବା ସହ ଅଭିବାଦନ ଗ୍ରହଣ କରିଥିଲେ।

ଦିଲ୍ଲୀରୁ ଆସିଲେ ରୋଷେୟା
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସକାଳେ ରାଇରଙ୍ଗପୁର ଦାଣ୍ଡବୋଷରୁ ହେଲିକ୍ୟାପ୍ଟର ଯୋଗେ ଯଶିପୁର ଅଭିମୁଖେ ବାହାରିଥିଲେ। ପ୍ରାୟ ୧୦ଟା ୪୦ ମିନିଟ୍‌ରେ ଦ୍ରୌପଦୀ ମୁର୍ମୁ ଯଶିପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ଏହା ପରେ ସେ ସ୍ବତନ୍ତ୍ର ଗାଡ଼ି ଯୋଗେ ଶିମିଳିପାଳ ବୁଲି ବାହାରିଥିଲେ। ତେବେ ଚହଲାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ହୋଇଥିଲା। ଭୋଜନରେ ସେ ମୁଗେଇ ଚାଉଳ (ଦେଶୀ)ର ଭାତ, ଡାଲି ପଞ୍ଚ ମେଳଣ (ପାଞ୍ଚ ପ୍ରକାର ଡାଲି), ବିଭିନ୍ନ ପରିବାର ଭଜା, ଶାଗ, ପୋଟଳ କୁରମା‌ ଆଦି ଗ୍ରହଣ କରିଥିଲେ। ତେବେ ଏହିସବୁ ଖାଦ୍ୟ ପ୍ରସ୍ତୁତ କରିବାକୁ ଦିଲ୍ଲୀରୁ ସ୍ବତନ୍ତ୍ର ରୋଷେୟା ଆସିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ପାଇଁ ରୋଷେଇ କରି ସେମାନେ ଭାରି ଖୁସିଥିବା କହିଛନ୍ତି।

ଜୁହାର ଗେ…
ଶୁକ୍ରବାର ସକାଳେ ରାଷ୍ଟ୍ରପତି ଦାଣ୍ଡବୋଷସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠକୁ ଯାଇ ତାଙ୍କର ୧୧୯ତମ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସମୟରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ସ୍ବାଗତ କରାଯାଇଥିଲା। ସେଠାରେ ସେ କିଛି ସଂପର୍କୀୟଙ୍କୁ ଭେଟିଥିଲେ ଏବଂ ସମ୍ମାନ ପୂର୍ବକ ହାତଯୋଡ଼ି ‘ଜୁହାର ଗେ..’ କହିଥିଲେ। ପ୍ରତିସମ୍ମାନରେ ସେମାନେ ମଧ୍ୟ ସମାନ ଭାବେ ହାତଯୋଡ଼ି ମହାମହିମଙ୍କୁ ‘ଜୁହାର ଗେ..’ କହିଥିଲେ। ସାନ୍ତାଳୀ ଭାଷାରେ ‘ଜୁହାର ଗେ..’ର ଅର୍ଥ ‘ପ୍ରଣାମ’।

ପ୍ରୋଟୋକଲ୍‌ ଭାଙ୍ଗି ମହ‌ୁଲଡ଼ିହା ବାସଭବନରେ ରହିଲେ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ରାଇରଙ୍ଗପୁର ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାତିରେ ତାଙ୍କର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳରେ ରହିବା ନେଇ ଗସ୍ତସୂଚୀରେ ଉଲ୍ଲେଖ ଥିଲା। ହେଲେ ସେ ‌େସଠାରେ ନରହି ମହ‌ୁଲଡ଼ିହାସ୍ଥିତ ନିଜ ବାସଭବନରେ ରହିବାକୁ ମନବଳାଇଥିଲେ। ପ୍ରୋଟୋକଲ୍‌ ଭାଙ୍ଗି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାସଭବନକୁ ଯାଇଥିଲେ ଏବଂ ମାଉସୀ, ପିଉସୀ, ଭାଇ ଓ ଭାଉଜଙ୍କ ସହ ରାତ୍ରିଯାପନ କରିଥିଲେ। ଘର ପ୍ରତି ମୋହ ତାଙ୍କୁ ଡାକବଙ୍ଗଳରେ ରହିବାକୁ ଦେଇ ନଥିଲା।

ମନ୍ଦିରର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଗୁରୁବାର ଦିନ ସ୍ବତନ୍ତ୍ର ହେଲିକ୍ୟାପଟର ଯୋଗେ ଆସି ବାଦାମପାହାଡ଼ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାତିରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳରେ ରହିବା ନେଇ ସ୍ଥିର ହୋଇଥିବା ବେଳେ ମହ‌ୁଲଡ଼ିହାସ୍ଥିତ ବାସଭବନରେ ରାତ୍ରିଯାପନ କରିଥିଲେ। ସେ ରାଷ୍ଟ୍ରପତି ହେବା ପୂର୍ବରୁ ଯେଉଁ ଠାକୁରଙ୍କୁ ପୂଜାର୍ଚ୍ଚନା କରୁଥିଲେ, ଯେଉଁ ଠାକୁରଙ୍କ ମନ୍ଦିର ଅଗଣାରେ ଝାଡ଼ୁ କରୁଥିଲେ; ଆଜି ସକାଳେ ମହ‌ୁଲଡ଼ିହାସ୍ଥିତ ସେଇ ବାବା ପୂର୍ଣ୍ଣେଶ୍ବର ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମନ୍ଦିରର ବିକାଶ ପାଇଁ ପୂଜକଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଜଳଖିଆରେ ଥିଲା ପିଠା, ମିଠା, ଆମ୍ବ, ତରକାରୀ
ଗୁରୁବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ଦ୍ଦାରିତ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳରେ ନହରି ‌ମହ‌ୁଲଡ଼ିହାସ୍ଥିତ ନିଜ ବାସଭବନରେ ରହିଥିଲେ। ଶୁକ୍ରବାର ସକାଳେ ନିତ୍ୟ କର୍ମ ସାରିଲା ବେଳକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ପାଇଁ ଜଳଖିଆ ପ୍ରସ୍ତୁତ ରହିଥିଲା।

ଗଢ଼ ବ୍ରହ୍ମାକୁମାରୀ କେନ୍ଦ୍ରର ଭଉଣୀମାନେ ସେମାନଙ୍କ ପ୍ରିୟ ମଣିଷ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ପାଇଁ ମଣ୍ଡାପିଠା, ଛେନାଗଜା, ଚିତଉପିଠା, ପୋଡ଼ପିଠା, ମିଠା, ଆମ୍ବ, ସାଦା ତରକାରୀ ଆଦି ନେଇ ଆସିଥିଲେ। ଏହି ଜଳଖିଆକୁ ଦେଖି ମହାମହିମ ବ୍ରହ୍ମାକୁମାରୀଙ୍କ ପ୍ରତି ଆଭାର ପ୍ରକଟ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।