ମୁମ୍ବାଇ ୦୩/୦୫ : ଖାଦ୍ୟ, କପଡା ଓ ଘର ବଞ୍ଚିବା ପାଇଁ ମଣିଷର ସବୁଠାରୁ ଆବଶ୍ୟକୀୟ ଜିନିଷ । କିନ୍ତୁ କରୋନାର ଦ୍ୱିତୀୟ ଲହରରେ ହସ୍ପିଟାଲ ବେଡ଼ ଓ ଅକ୍ସିଜେନ ଲୋକଙ୍କର ପ୍ରଥମ ଆବଶ୍ୟକତା ହୋଇଯାଇଛି । ବେଡ୍ ଓ ଅକ୍ସିଜେନ ନ ପାଇ ଧନୀ ଲୋକ ମଧ୍ୟ ନିଜକୁ ଅସହାୟ ମନେକରୁଛନ୍ତି । ସ୍ଥିତି ଏମିତି ହୋଇଗଲାଣି ଯେ ପାଖରେ ଟଙ୍କା ଥିଲେ ବି ଏହି ଆବଶ୍ୟକତା ପୂରଣ ହୋଇପାରୁନାହିଁ । ଏହିଭଳି ସଙ୍କଟ ସ୍ଥିତିରେ ଅଭିନେତା ସୋନୁ ସୁଦ ଦିନ ରାତି ଲୋକଙ୍କ ପାଇଁ ବେଡ଼ ଓ ଅକ୍ସିଜେନ ଯୋଗାଡ଼ରେ ଲାଗିଛନ୍ତି। ସେ ରାତି ଅଧରେ ମଧ୍ୟ ରୋଗୀଙ୍କୁ ବେଡ଼ ଓ ଅକ୍ସିଜେନ ଯୋଗାଇବାରେ ସଫଳ ହୋଇଛନ୍ତି । ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ।
ହାଇଦ୍ରାବାଦରୁ ମଥୁରା ଯାଏଁ, ଡେରାଡୁନରୁ ଲକ୍ଷ୍ନୌ ଯାଏଁ ସୋନୁ ସୁଦ ନିଜ ଏନଜିଓ ମାଧ୍ୟମରେ ସାରା ଦେଶରେ ରୋଗୀଙ୍କୁ ଅକ୍ସିଜେନ ଓ ହସ୍ପିଟାଲ ବେଡ଼ ଯୋଗାଇବାକୁ ଚେଷ୍ଟା କରୁଛନ୍ତି । ହାଇଦ୍ରାବାଦରେ ଜଣେ ୪୮ ବର୍ଷୀୟ ମହିଳାଙ୍କୁ ଭେଣ୍ଟିଲେଟର ଓ ଆଇସିୟୁ ବେଡ଼ ଆବଶ୍ୟକ ଥିଲା । ସୋନୁ ସୁଦ୍ ଟ୍ୱିଟ୍ କରି କହିଲେ, ‘ନିୟୋ କେୟାର ହସ୍ପିଟାଲରେ ବେଡ୍ ଆରେଞ୍ଜ ହୋଇଯାଇଛି । ବେଳେ ରାତି ଅଧ ଯାଏଁ ଚେଇଁ ରହିବା ବି ଭଲ । ଆପଣ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।’
ଡେରାଡୁନରେ ୩୭ ବର୍ଷୀୟ ସବା ହୁସେନଙ୍କୁ ସୋନୁଙ୍କ ସାହାଯ୍ୟରେ ଅକ୍ସିଜେନ ବେଡ଼ ମିଳିଥିଲା । ମଥୁରାରେ ୨ ଶିଶୁର ପିତାଙ୍କୁ ବେଡ଼ ଆବଶ୍ୟକ ଥିଲା । ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଲେଖିଥିଲେ, ଦୟାକରି ମଥୁରାରେ କିଏ ଅଛନ୍ତି ଯଦି ସାହାଯ୍ୟ କରନ୍ତୁ, ନହେଲେ ଦୁଇ ଶିଶୁ ଅନାଥ ହୋଇଯିବେ । ସୋନୁ ସୁଦ୍ ତାଙ୍କୁ ସାହାଯ୍ୟ କରି ଲେଖିଲେ, ‘ମଥୁରାରେ ହସ୍ପିଟାଲ ବେଡ଼ ମିଳିଯାଇଛି । କେହି ଅନାଥ ହେବେନି । ଆପଣ ସୁସ୍ଥ ହେଲେ ଦେଖାହେବା |’
ରବିବାର ଦିନ ଡାନ୍ସ ରିଆଲିଟି ଶୋ’ ଡାନ୍ସ କେ ଦିୱାନେରେ ନଜର ଆସିଥିଲେ ସୋନୁ ସୁଦ୍ । ଲୋକଙ୍କୁ ସାହାଯ୍ୟ କରୁଥିବା ନେଇ ସେ କହିଥିଲେ ଯେ, “ମୁଁ ଏଠାକୁ ଅଭିନେତା ହେବାକୁ ଆସିଥିଲି, ମୋତେ ବହୁତ ଖୁସି ଲାଗୁଛି ଯେ ଆମ ଫିଲ୍ମ ୧୦୦ କୋଟି ରୋଜଗାର କରୁଛି । ଯେବେଠାରୁ ମୁଁ ଲୋକଙ୍କୁ ସାହାଯ୍ୟ କରୁଛି ସେବେଠାରୁ ସେସବୁ ଖୁସି ମିଛ ଓ ବେକାର ଲାଗୁଛି । ମୁଁ ସମସ୍ତ ଯୁବପିଢ଼ିଙ୍କୁ କହିବାକୁ ଚାହୁଁଛି ଯେ କାହାକୁ ସାହାଯ୍ୟ କରିବାରେ ଅସଲ ଖୁସି ମିଳିଥାଏ।