କଟକ: ରାଜ୍ୟର ସର୍ବପୁରାତନ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ର ଏବେ ଏକପ୍ରକାର ଅଚଳ ସ୍ଥିତିରେ ରହିଛି। କିଛି ମାସ ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରରେ ପାଣି ଜମି ବତକ ମୃତ୍ୟୁ ପରେ ହାଚେରୀ ମରାମତି ପାଇଁ କାମ ନେଇଥିବା ସଂସ୍ଥା କାମ କରୁନି। ଫଳରେ ହାଚେରି କାମ ଆଗେଇ ପାରୁନି। ଏହି ଘଟଣାକୁ ନେଇ ବତକ ପ୍ରଜନନ କେନ୍ଦ୍ର କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ବି ସ୍ଥିତି କିନ୍ତୁ ସୁଧୁରୁନି। ବତକ ପ୍ରଜନନ କେନ୍ଦ୍ର ମ୍ୟାନେଜର ପଦ ଖାଲି ପଡିଥିବାରୁ ଟାଙ୍ଗୀ ବ୍ଳକ୍ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦାୟିତ୍ବରେ ଏବେ ଏହି କେନ୍ଦ୍ର ରହିଛି। କିନ୍ତୁ ତିନି ମାସ ହେଲା ବତକ ଚିଆଁ ପ୍ରଜନନ ବନ୍ଦ ଥିଲା ବେଳେ ଆଗକୁ ଆଉ କେତେ ମାସ ବନ୍ଦ ହେବ, ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଫଳରେ ଚାଷୀ ଏବେ ଘରୋଇ ସଂସ୍ଥାରୁ ଅଧିକ ଦରରେ ବତକ ଚିଆଁ କିଣୁଛନ୍ତି।
ଖପୁରିଆଠାରେ ଥିବା ଏହି ବତକ ପ୍ରଜନନ କେନ୍ଦ୍ର ବିଭିନ୍ନ ରାଜ୍ୟରୁ ବିଭିନ୍ନ ବ୍ରିଡ୍ର ତଥା ଉନ୍ନତମାନର ବତକ ଅଣ୍ଡା ଆଣି ପ୍ରଜନନ କରିବା ସହ ରାଜ୍ୟର ଚାଷୀଙ୍କୁ ଉନ୍ନତମାନର ବତକ ଯୋଗାଇ ଥାଏ। ଗତ କିଛିମାସ ତଳେ ପାଖାପାଖି ୭ଶହ ଅଣ୍ଡା ବେଙ୍ଗାଲୁରରୁ ଅଣାଯାଇଥିଲା। ସେଗୁଡିକୁ ହାଚେରିରେ ରଖା ଯାଇଥିଲା। ତେବେ ସେହି ଅଣ୍ଡାରୁ ଛୁଆ ଫୁଟାଯିବା ପରେ ଫାର୍ମରେ ୪ରୁ ୮ସପ୍ତାହର ୭ଶହ ବତକ ଛୁଆ ରଖାଯାଇଥିଲା। କିନ୍ତୁ ଗଲା ସେପ୍ଟେମ୍ବର ୧୪ରେ କଟକରେ ପ୍ରବଳ ବର୍ଷା ଯୋଗୁଁ ପ୍ରଜନନ କେନ୍ଦ୍ରରେ ଥିବା ହାଚେରି, ୨ଟି ଫାର୍ମ, ଅଫିସ୍ ଗୃହ, ଜେନେରେଟର ଗୃହ, ଦାନା ଗୋଦାମ, ଫିଡ୍ ୟୁନିଟ୍ରେ ପାଣି ପଶି ଯାଇଥିଲା। ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ୪ ଦିନ କାଳ ପାଣି ଜମି ରହିବା ସହିତ ୪୫୫ ବତକଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଯେଉଁ ୨୪୫ ବତକଙ୍କୁ କୃଷକ ଭବନକୁ ସ୍ଥାନାନ୍ତର କରାଯାଇଥିଲା ସେଥିରୁ ଏବେ ୧୭୦ ବତକ ପ୍ରଜନନ କେନ୍ଦ୍ରରେ ରହିଛନ୍ତି। ଏହି କେନ୍ଦ୍ରରେ ପାଣି ପଶିଯିବା ଓ ଦୀର୍ଘଦିନ ଧରି ପାଣିଘେରରେ କେନ୍ଦ୍ର ରହିବା ଫଳରେ ଏହାର ହାଚେରି ଏବେ ତାର କ୍ଷମତା ହରାଇଛି ଓ ଏଥିରୁ ଉତ୍ପାଦନ ହୋଇପାରୁନି। ୨୦୦୮ର ହାଚେରି ଓ ଇନ୍କ୍ୟୁଭେଟରର ସେ ସମୟରେ ୧୫ହଜାର ବତକ ପ୍ରଜନନ ପାଇଁ କ୍ଷମତା ରଖିଥିଲା।
କିନ୍ତୁ ଦୀର୍ଘବର୍ଷର ପ୍ରକଳ୍ପ ହୋଇଥିବାରୁ ଏହାର କ୍ଷମତା ହ୍ରାସ ପାଇବା ସହ ବର୍ଷା ପାଣିରେ ଏହା ଅଚଳ ହୋଇଯାଇଥିବା କୁହାଯାଉଛି। ଏହାର ମରାମତି କାର୍ଯ୍ୟ ଏକ ସଂସ୍ଥାକୁ ଦିଆଯାଇଥିଲା। କିନ୍ତୁ ଉକ୍ତ ସଂସ୍ଥା କାମ ନକରି ସେଭଳି ପକାଇ ରଖିଛି। ଯାହାକୁ ନେଇ କେନ୍ଦ୍ର ପକ୍ଷରୁ ଉକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ନୋଟିସ୍ ଦିଆଯିବା ସତ୍ବେ କାମ ଆରମ୍ଭ ହୋଇ ପାରୁ ନଥିବାରୁ ଏହି ପ୍ରଜନନ କେନ୍ଦ୍ରର ହାଚେରିରୁ ବତକ ବାହାରିବାକୁ ଅତିକମ୍ରେ ଦୁଇ ମାସରୁ ଅଧିକ ସମୟ ଲାଗିବ ବୋଲି କେନ୍ଦ୍ରର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଯେଉଁ ଚିଆଁ ଉତୁରି ଯାଇଥିଲେ ଓ କିଛିଦିନ ପରେ ବଣ୍ଟନ ଆରମ୍ଭ ହୋଇଥାନ୍ତା, ସେସବୁ ବର୍ଷାପାଣିରେ ଉବୁଟୁବୁ ହୋଇ ମରିଗଲେ। ଯାହା କିଛି ଜୀବିତ ଅଛନ୍ତି ସେଗୁଡିକୁ ବ୍ରିଡିଙ୍ଗ କରାଯାଇପାରୁନି ବୋଲି ଅଧିକାରୀ କହିଛନ୍ତି। ରାଜ୍ୟର ଏଭଳି ବୃହତ୍ତ କୃଷିଭିତ୍ତିକ ପ୍ରକଳ୍ପର ଅବସ୍ଥାକୁ ନେଇ ଏବେ ଚାଷୀ ମହଲରେ ବିମୁଖତା ଦେଖାଦେଲାଣି ଓ ସରକାରୀ ସଂସ୍ଥା ଉପରେ ଚାଷୀ ଭରଷା ତୁଟାଇଦେଇ ଘରୋଇ ସଂସ୍ଥାରୁ ବତକ ଚିଆଁ କିଣିବାକୁ ଅଧିକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳିଲାଣି।