ଭୁବନେଶ୍ବର: ଗତ ୫ବର୍ଷରେ ରାଜ୍ୟରେ ସାମଗ୍ରିକଭାବେ ଭୂତଳ ଜଳସ୍ତର ହ୍ରାସ ନାହିଁ। ହେଲେ ଏହି ସମୟରେ ରାଜ୍ୟରେ ଭୂତଳ ଜଳ ଉତ୍ତୋଳନ ବଢ଼ିଥିବା ଜଣାପଡ଼ିଛି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ଶ୍ରୀମତୀ ସାହୁ କହିଛନ୍ତି ଯେ ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟରେ ଉପଲବ୍ଧ ତଥ୍ୟ ଅନୁସାରେ ରାଜ୍ୟରେ ଭୂତଳ ଜଳ ଆକଳନ ୨୦୨୨ ଅନୁଯାୟୀ ବାର୍ଷିକ ଭୂତଳ ଜଳ ଉତ୍ତୋଳନର ପରିମାଣ ୭.୨୩ ବିସିଏମ୍(ବିଲିଅନ କ୍ୟୁବିକ ମିଟିର) ରହିଛି। ୨୦୧୭ ମସିହାରେ ସମୁଦାୟ ଉତ୍ତୋଳନ ୬.୫୭ ବିସିଏମ୍ ଥିବା ବେଳେ ୨୦୨୦ରେ ୬.୮୬ ଓ ୨୦୨୨ରେ ୭.୨୩ ବିସିଏମ୍କୁ ବୃଦ୍ଧି ପାଇଛି। ଏଥିରେ ଉଠା ଜଳସଚେନ, ଘରୋଇ ଓ ଶିଳ୍ପ କ୍ଷେତ୍ରରେ ବାର୍ଷିକ ଉତ୍ତୋଳନକୁ ସାମିଲ କରାଯାଇଛି। ୨୦୧୭ ଓ ୨୦୨୨ ରାଜ୍ୟ ପ୍ରକାଶିତ ଭୂତଳ ଜଳ ଆକଳନ ଅନୁଯାୟୀ ରାଜ୍ୟରେ ଭୂତଳ ଜଳର ପରିମାଣ ଯଥାକ୍ରମେ ୧୫.୫୭ ବିସିଏମ୍ ଓ ୧୬.୩୪ ବିସିଏମ୍ ରହିଛି।
ସେହିପରି ରାଜ୍ୟର ୩୦ଟି ଜିଲ୍ଲାର ୯୦ଟି ସ୍ଥାନରେ ଭୂତଳ ଜଳର ଗୁଣାତ୍ମକମାନକୁ ନିୟମିତଭାବେ ଏପ୍ରିଲ ଓ ଅକ୍ଟୋବର ମାସରେ ପରୀକ୍ଷା କରାଯାଇଥାଏ। ଏହି ସ୍ଥାନଗୁଡ଼ିକରେ ଭୂତଳ ଜଳର ଗୁଣାତ୍ମକ ମାନକୁ ବିଶ୍ଲେଷଣ କରିବା ପାଇଁ ଜଳର ବିଭିନ୍ନ ସାଧାରଣ ତଥା ରାସାୟନିକ ମାନଦଣ୍ଡ ଗୁଡ଼ିକର ପରିମାଣ ବିଆଇଏସ୍(ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ) ଅନୁମୋଦିତ ପିଇବା ପାଣି ମାନଦଣ୍ଡ ସହ ତୁଳନା କରାଯାଏ। ୨୦୨୨ ଓ ୨୦୨୩ରେ ବୋର୍ଡ ଦ୍ବାରା କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ଯେ ୯୦ଟି ମନିଟରିଂ ଷ୍ଟେସନ୍ ମଧ୍ୟରୁ ଗତବର୍ଷ ୧୬ଟି ସ୍ଥାନରେ ପିଏଚ୍, ୬ଟି ସ୍ଥାନରେ ନାଇଟ୍ରେଟ୍, ଗୋଟିଏ ସ୍ଥାନରେ ଫ୍ଲୋରାଇଡର ପରିମାଣ ଉଦ୍ଦିଷ୍ଟ ମାନ ଭିତରେ ରହି ନ ଥିବା ନଜରକୁ ଆସିଛି। ଚଳିତବର୍ଷ ୯୦ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୧୭ଟି ସ୍ଥାନରେ ପିଏଚ୍, ୧୫ଟି ସ୍ଥାନରେ ନାଇଟ୍ରେଟ ଓ ଗୋଟିଏ ସ୍ଥାନରେ ଫ୍ଲୋରାଇଡ୍ ପରିମାଣ ଉଚ୍ଚ ରହିଥିବା ପରିଲକ୍ଷିତ ହୋଇଛି। ଏ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସଂପୃକ୍ତ ପୌରାଞ୍ଚଳ, ଜିଲ୍ଲା ଅଧିକାରୀ, ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି। ଜନସାଧାରଣଙ୍କ ପାଇଁ ସୂଚନା ଫଳ ଲଗାଇବା, ଗଛ ଲଗାଇବା ଓ ସ୍ବଚ୍ଛ ବିଶୁଦ୍ଧ ଜଳ ବ୍ୟବହାର ପାଇଁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଛି।