ଭୁବନେଶ୍ବର: ଓଡ଼ିଶାରେ ଗୁଟ୍ଖା ନିଷିଦ୍ଧକୁ ୧୧ବର୍ଷ ପୂରିଛି। ୨୦୧୩ ମସିହା ଜାନୁଆରି ୧ ତାରିଖରେ ରାଜ୍ୟ ସରକାର ଗୁଟ୍ଖାର ଉତ୍ପାଦନ, ବିକ୍ରି ଉପରେ ରୋକ୍ ଲଗାଇଥିଲେ। ଗୁଟ୍ଖା ନିଷିଦ୍ଧର ଗୋଟିଏ ଦଶନ୍ଧି ପରେ ବି ରାଜ୍ୟରେ ଖୁଲମଖୁଲା ଗୁଟ୍ଖା ବିକ୍ରି ଚାଲିଛି। ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଦୋକାନରେ ମାଳ ମାଳ ଗୁଟ୍ଖା ପ୍ୟାକେଟ୍ ଝୁଲୁଛି। ଗୁଟ୍ଖା ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ଧରପଗଡ଼ କେବଳ ଧର୍ମକୁ ଆଖିଠାର ବୋଲି କୁହାଯାଇପାରେ। ତମାଖୁ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ତମାଖୁ ଓ ଅନ୍ୟ ତମାଖୁ ଉତ୍ପାଦ (କୋଟ୍ପା)ଆଇନ,୨୦୦୩ କାର୍ଯ୍ୟକାରୀ ହୋଇଛି। ଗତ ୧୦ବର୍ଷରେ ରାଜ୍ୟରେ ୧ଲକ୍ଷ ଉଲ୍ଲଂଘନକାରୀଙ୍କଠାରୁ କୋଟିଏ ଟଙ୍କା ଜରିମାନା ଆଦାୟ ହେଲାଣି। ହେଲେ ସ୍ଥିତିରେ ସୁଧାର ଆସୁନାହିଁ। ସ୍ଥିତି ସୁଧାରିବା ଲାଗି ରାଜ୍ୟ ସରକାର ଏବେ ନିଜସ୍ବ ଜନସ୍ବାସ୍ଥ୍ୟ ଆଇନ ପ୍ରଣୟନ ପାଇଁ ଯୋଜନା କଲେ। ହେଲେ ଏହାର ବିଶେଷ ଅଗ୍ରଗତି ହୋଇପାରିଲା ନାହିଁ।
ତମାଖୁ ସେବନକୁ ନେଇ ହୋଇଥିବା ୩ଟି ବିଭିନ୍ନ ସର୍ଭେରେ ରାଜ୍ୟର ସ୍ଥିତି ଚିନ୍ତାଜନକ ରହିଛି। ଜରିମାନା ଆଦାୟ ବଢ଼ୁଛି ହେଲେ, ତମାଖୁ ନିୟନ୍ତ୍ରଣରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ପରିଣାମସ୍ବରୂପ ରାଜ୍ୟରେ ମୁଖଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଅଭିନେତା ସାତ୍ୟକୀ ମିଶ୍ର ଗୁଟ୍ଖା ସେବନ ପାଇଁ କର୍କଟରେ ଆକ୍ରାନ୍ତ ହୋଇଥିବା ଗଣମାଧ୍ୟମରେ କହିଥିଲେ। ଗୁଟ୍ଖା ବର୍ଜନ କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପ୍ରତିବର୍ଷ ମୁଖଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୮-୧୯ରେ ଆଚାର୍ଯ୍ୟ ହରିହରର ହେଡ୍ ଓ ନେକ୍ ଅଙ୍କୋଲୋଜି ବହିର୍ବିଭାଗ(ଓପିଡି)କୁ ୪୩୦୯ଜଣ, ୨୦୧୯-୨୦ରେ ୫୮୧୭ଜଣ ଓ ୨୦୨୦-୨୧ରେ ୩୧୮୧ଜଣ ଚିକିତ୍ସା ପାଇଁ ଆସିଛନ୍ତି। ଏହା କେବଳ ଗୋଟିଏ ହସ୍ପିଟାଲର ଚିତ୍ର। ଏଥିରୁ ରାଜ୍ୟବ୍ୟାପୀ ଥିବା କର୍କଟ ଚିକିତ୍ସା କେନ୍ଦ୍ରକୁ କେତେ ସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଆସୁଥିବେ ତାହା ଅନୁମାନ କରାଯାଇପାରେ।
‘ନୋ ସ୍କୋକିଂ ଜୋନ୍’ ବନ୍ଦ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ
ଗୁଟ୍ଖା ସେବନ ରୋକିବାକୁ ସ୍କୁଲ୍ ଓ ସରପଞ୍ଚଙ୍କୁ ସଚେତନତା
କୋଟ୍ପାରେ ଆଦାୟ ହେଲାଣି କୋଟିଏ ଜରିମାନା
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍ଏଫ୍ଏଚ୍ଏସ୍ରେ ତମାଖୁ ସେବନ ସଂପର୍କରେ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଏଥିରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ତମାଖୁ ସେବନ କରିଥିବା କୁହାଯାଇଛି। ଏନ୍ଏଫ୍ଏଚ୍ଏସ୍-୩ରେ ୩୧.୪% ମହିଳା ତମାଖୁ ସେବନ କରୁଥିବା ବେଳେ ଏନ୍ଏଫଏଚ୍ଏସ୍-୪ରେ ଏହା ୧୭.୩%କୁ ବୃଦ୍ଧି ପାଇଥିବା ଦେଖାଯାଇଥିଲା। ଏନ୍ଏଫ୍ଏଚ୍ଏସ୍-୫ରେ ୨୬%ରେ ପହଞ୍ଚିଛି। ଯଦି ବିଶ୍ବ ଯୁବ ତମାଖୁ ସର୍ଭେ (ଜିୱାଇଟିଏସ୍)-୨୦୧୯କୁ ବିଚାରକୁ ନିଆଯାଏ ତାହାଲେ ରାଜ୍ୟର ୬.୨% ଯୁବପିଢ଼ି ତମାଖୁ ସେବନ କରୁଛନ୍ତି। ଏଥିରେ କେବଳ ଧୂମପାନ କରୁଥିବା ଯୁବକଙ୍କ ହାର ୫.୩% ଥିବା ବେଳେ ଯୁବତୀଙ୍କ ହାର ରହିଛି ୩.୯%।
ରାଜ୍ୟରେ ତମାଖୁ ସେବନର ହାରାହାରି ବୟସ ୧୦.୨ବର୍ଷ ରହିଛି। ବିଦ୍ୟାଳୟରେ ପଢ଼ିବା ସମୟରୁ ହିଁ ପିଲାମାନେ ତମାଖୁର କୁଅଭ୍ୟାସରେ ପଡ଼ୁଛନ୍ତି। ଏହି ତଥ୍ୟକୁ ବିଚାରକୁ ନେଇ ସ୍ବାସ୍ଥ୍ୟ ବିଭାଗ ବିଦ୍ୟାଳୟକୁ ତମାଖୁମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି। ଗୋଟିଏ ବିଦ୍ୟାଳୟକୁ ତମାଖୁମୁକ୍ତ କରିବା ପାଇଁ ପ୍ରାୟ ୮ଟି ମାନଦଣ୍ଡ ରହିଛି। ତମାଖୁମୁକ୍ତ ବିଦ୍ୟାଳୟ ତାଲିକାରେ ଆସିବାକୁ ହେଲେ ୨୦୦ ମିଟର ଭିତରେ ଯେ କୌଣସି ପ୍ରକାର ତମାଖୁର ବିକ୍ରି ନିଷିଦ୍ଧ ହେବ। ଉପଯୁକ୍ତ ସାଇନ୍ଏଜ୍, ପିଲା ଓ ଶିକ୍ଷକମାନଙ୍କୁ ସଚେତନତା କରିବା ଭଳି ମାନଦଣ୍ଡ ପୂରଣ କରିବା ଜରୁରୀ। ଏହାର ନିରୀକ୍ଷଣ ପାଇଁ ଜିଲ୍ଲାସ୍ତରରେ ସ୍କ୍ବାଡ୍ ଗଠନ କରାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ଗ୍ରାମାଞ୍ଚଳରେ ଏଥିପାଇଁ ଅଧିକ ଗୁରୁତ୍ବ ଦିଆଯାଉଛି। ତେବେ ସ୍ବାସ୍ଥ୍ୟ ବିଭାଗକୁ ପ୍ରବର୍ତ୍ତନ ଦାୟିତ୍ବ ଦିଆଯାଇଥିବାରୁ ଅନେକ କ୍ଷେତ୍ରରେ ସମସ୍ୟା ଉପୁଜୁଛି। ଅନେକ ମାମଲା ମଧ୍ୟ କୋର୍ଟରେ ଦାୟର କରିବାରେ ସମସ୍ୟା ଉପୁଜୁଥିବା ଜଣାପଡ଼ିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଗତ ୧୦ବର୍ଷ ଭିତରେ କୋଟ୍ପା ଆଇନରେ ୧କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଛି। ଏଥିରେ ସ୍କୁଲ ଓ କଲେଜର ୧୦୦ ମିଟର ବ୍ୟବଧାନରେ ତମାଖୁ ବିକ୍ରି, ସର୍ବସାଧାରଣ ସ୍ଥାନରେ ଧୂମପାନ ସାମିଲ ରହିଛି। ଗୁଟ୍ଖା ସେବନ ରୋକିବା ପାଇଁ ସ୍କୁଲ ଓ ଗ୍ରାମାଞ୍ଚଳରେ ସରପଞ୍ଚମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାସହ ବିମାନ ବନ୍ଦର, ହୋଟେଲ ଇତ୍ୟାଦିରେ ରହିଥିବା ‘ନୋ ସ୍କୋକିଂ ଜୋନ୍’ ବନ୍ଦ କରିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରୁ ବାରମ୍ବାର ପତ୍ର ଲେଖାଯାଉଛି। ତମାଖୁ ନିୟନ୍ତ୍ରଣରେ ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟର ମଧ୍ୟ ବଡ଼ ଭୂମିକା ରହିଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।