ନୂଆଦିଲ୍ଲୀ: ଆଇଏଏସ୍, ଆଇପିଏସ୍ ଏବଂ ଭାରତୀୟ ଜଙ୍ଗଲ ସେବା ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାରେ ରାଜ୍ୟଗୁଡ଼ିକ ସହଯୋଗ କରିବା ଆବଶ୍ୟକ। ଏସବୁ ଚାକିରିର ସର୍ବଭାରତୀୟ ଚରିତ୍ରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ବଜାୟ ରଖିବା ଉଚିତ। କେନ୍ଦ୍ରୀୟ ସ୍ତରରେ ବିଭିନ୍ନ ପ୍ରକାର ଅଭିଜ୍ଞତା ହାସଲ କରିବାରେ ମଧ୍ୟ ଅଧିକାରୀମାନଙ୍କ ସ୍ବାର୍ଥ ନିହିତ ରହିଛି।
ଭବିଷ୍ୟତ ପଦୋନ୍ନତିରେ ଏହା ସେମାନଙ୍କ ପାଇଁ ସହାୟକ ହୋଇଥାଏ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଏଥିସହିତ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାକୁ ଉଚ୍ଚାରଣ ଓ ଆଚରଣରେ ରାଜ୍ୟଗୁଡ଼ିକ ପାଳନ କରିବା ଉଚିତ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର କାର୍ମିକ, ସାଧାରଣ ପ୍ରଶାସନ ଓ ପ୍ରଶାସନିକ ସଂସ୍କାର ଦାୟିତ୍ବରେ ଥିବା ପ୍ରମୁଖ ସଚିବଙ୍କ ବାର୍ଷିକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ ଏହା କହିଛନ୍ତି।