ମୁମ୍ବାଇ ୧୩/୦୨ : ଶୁକ୍ରବାର ସନ୍ଧ୍ୟାରେ ବଲିଉଡ ଦିବଙ୍ଗତ ଅଭିନେତା ରାଜୀବ କପୁରଙ୍କ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ପ୍ରାର୍ଥନା ସଭାରେ ବଲିଉଡର ଅନେକ ସେଲିବ୍ରିଟି ସାମିଲ ହୋଇଥିଲା। ଅଭିନେତା ସଞ୍ଜୟ କପୁର ମଧ୍ୟ ପ୍ରାର୍ଥନା ସଭାରେ ସାମିଲ ହୋଇଥିଲେ। ସେ ଇନଷ୍ଟାଗ୍ରାମରେ ପ୍ରାର୍ଥନା ସଭାର ଏକ ଫଟୋ ସେୟାର କରିଛନ୍ତି। ଫଟୋ ସହ ଏକ ହୃଦୟସ୍ପର୍ଶୀ କ୍ୟାପ୍ସନ ଲେଖିଛନ୍ତି। ଫଟୋରେ ସଞ୍ଜୟ ଏକ ଚେୟାର ବସିଥିବା ନଜର ଆସିଛନ୍ତି। ତାଙ୍କ ପଛପଟେ ରାଜୀବ କପୁରଙ୍କ ଫଟୋ ଫ୍ରେମ ଅଛି। ଫଟୋ ସେୟାର କରି ସଞ୍ଜୟ କପୁର ଲେଖିଛନ୍ତି, “ଆପଣ ସର୍ବଦା ମୋ ହୃଦୟରେ ରହିବେ “
ସଞ୍ଜୟଙ୍କ ଏହି ପୋଷ୍ଟରେ ତାଙ୍କ ପତ୍ନୀ ମହୀପ କପୁର ହାର୍ଟ ଇମୋଜୀ ଦେଇଛନ୍ତି। ରାଜୀବ କପୁରଙ୍କ ପ୍ରଶଂସକ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଶଂସକ କମେଣ୍ଟ ବକ୍ସରେ ଅନେକ ଏମଜି ଦେଇଛନ୍ତି ଓ ପ୍ରତିକ୍ରିୟା ରଖିଛନ୍ତି। ରାଜୀବ କପୁରଙ୍କ ପ୍ରାର୍ଥନା ସଭାରେ ରଣବୀର କପୁର, ଆଲିଆ ଭଟ୍ଟ, ସାଜିଦ ଖାନ, ଅର୍ଜୁନ କପୁର, ସୈଫ ଅଲି ଖାନ, ଫରହାନ ଅଖତର, ଜୋୟା ଅଖତର, ନିତୁ ସିଂହ, ବୋନି କପୁରଙ୍କ ସମେତ ଅନେକ କଳାକାର ସାମିଲ ହୋଇଥିଲେ ଓ ରାଜୀବ କପୁରଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ।
ଫେବୃଆରୀ ୯ ତାରିଖ ଦିନ ଅଭିନେତା ତଥା ଫିଲ୍ମମେକର ରାଜୀବ କପୁରଙ୍କ ଦେହାନ୍ତ ହୋଇଥିଲା। ଚେମ୍ବୁରର ଏକ ହସ୍ପିଟାଲରେ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ସେ ବରିଷ୍ଠ ବଲିଉଡ ଅଭିନେତା ତଥା ଫିଲ୍ମ ନିର୍ମାତା ରାଜ କପୁରଙ୍କ ପୁତ୍ର ଥିଲେ। ସେ ରଣଧୀର କପୁର ଓ ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ସାନ ଭାଇ ଥିଲେ। ଦୁଇ ଭାଇଙ୍କୁ ହରାଇ ଭାଇ ରଣଧୀର କପୁର ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି। ଗତ ବର୍ଷ ଏପ୍ରିଲ ମାସରେ ଋଷି କପୁରଙ୍କ ଦେହାନ୍ତ ହୋଇଥିଲା। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।

