ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜପଥରେ ଦୁଇ ଟ୍ରକ୍ ଚାଳକଙ୍କୁ ଉଲଗ୍ନ କରି ଆଣ୍ଠେଇଲେ, ନିସ୍ତୁକ ପିଟିଲେ

ଜଗତସିଂହପୁର: ଜାତୀୟ ରାଜପଥରେ ବାରମ୍ବାର ଆଇନକୁ ହାତକୁ ନେବାକୁ ପଛାଉ ନାହାନ୍ତି ଟ୍ରକ୍ ଚାଳକ। କିଛିଦିନ ତଳେ ମୋବାଇଲ୍‌ ଚୋରି କରିଥିବା ଜଣେ ଯୁବକଙ୍କୁ ଟ୍ରକ୍ ସାମ୍ନାରେ ବାନ୍ଧି ନେଉଥିବା ଭିଡିଓ ଭାଇରାଲ୍‌ ହୋଇଥିଲା। ଏଥିସହ ଦୋଛକି ନିକଟରେ ଟ୍ରକ୍‌ରୁ ମୋବାଇଲ୍‌ ଚୋରି କରିଥିବା ଆଉ ଜଣକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଥିଲା। ମାତ୍ର ଆଜି ଟ୍ରକ୍ ଚାଳକଙ୍କ ଜୁଲମ ସବୁ ସୀମା ସରହଦ ଟପିଯାଇଛି। ଧାଡ଼ି ଭାଙ୍ଗି ଆସୁଥିବା ଦୁଇ ଟ୍ରକ୍ ଚାଳକଙ୍କୁ ଉଲଗ୍ନ କରି ଆଣ୍ଠେଇବା ସହ ନିସ୍ତୁକ ମାଡ଼ ମରାଯାଇଛି। ଏ ନେଇ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇ ନଥିଲେ ମଧ୍ୟ ସବୁ ମହଲରେ ଉଦ‌୍‌ବେଗ ପ୍ରକାଶ ପାଇଛି।

ପାରାଦୀପ ବନ୍ଦରକୁ ମାଲ୍ ଆଣି ଆସୁଥିବା ଟ୍ରକ୍‌ଗୁଡ଼ିକ ଧାଡ଼ିହୋଇ ଆସିବା ପାଇଁ ନିୟମ କଡ଼ାକଡ଼ି କରାଯାଇଛି। ଏ ନେଇ ପୁଲିସ ପାଟ୍ରୋଲିଂ ଜୋରଦାର ଚାଲିଥିବାରୁ ଆଉ ଧାଡ଼ି ଭାଙ୍ଗି ଟ୍ରକ୍‌ଗୁଡ଼ିକ ଆସୁନାହିଁ। ଧାଡ଼ି ହୋଇ ବନ୍ଦର ମଧ୍ୟକୁ ଟ୍ରକ୍‌ଗୁଡ଼ିକ ପ୍ରବେଶ କରୁଥିବାରୁ ଜାତୀୟ ରାଜପଥରେ ସେତେଟା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉ ନାହିଁ। ମାତ୍ର ଆଜି କେନ୍ଦୁଝର ଜିଲ୍ଲାର ଦୁଇଟି ଟ୍ରକ୍ ଧାଡ଼ି ଭାଙ୍ଗି ପାରାଦୀପ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ସ୍ଥାନୀୟ ମାଲିକ ଓ ଚାଳକମାନଙ୍କର ଏହା ନଜରକୁ ଆସିଥିଲା। ଭୂତମୁଣ୍ଡାଇ ଛକ ପୂର୍ବରୁ ଏହି ଦୁଇଟି ଟ୍ରକ୍‌କୁ ସେମାନେ ଅଟକାଇ ଏହାର ଚାଳକଙ୍କୁ ବାହାରକୁ ଘୋଷାଡ଼ି ଆଣିଥିଲେ। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସେମାନଙ୍କୁ ମାଡ଼ ମାରିଥିଲେ। ଏଥିରେ ବି ସେମାନଙ୍କ ମନ ବୁଝି ନଥିଲା, ଏହି ଦୁଇ ଚାଳକଙ୍କ ପୋଷାକ ଖୋଲିବା ସହ ଉଲଗ୍ନ କରି ମାଡ଼ମାରିଥିଲେ। ଭୟରେ ଦୁହେଁ ଦୌଡ଼ି ପଳାଇବାକୁ ପ୍ରୟାସ କରୁଥିଲେ ମଧ୍ୟ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯାଇଥିଲା। ଦିନ ୧୧ଟା ବେଳେ, ସ୍ପଷ୍ଟ ଦିବାଲୋକରେ ଏହି ଘଟଣା ଘଟିଥିଲେ ବି ରାସ୍ତାରେ ଯାଉଥିବା କେହି ହସ୍ତକ୍ଷେପ କରି ନଥିଲେ। ଫଳରେ ବିନା ଭୟ ଓ ବାଧାରେ ସ୍ଥାନୀୟ ଟ୍ରକ୍ ମାଲିକ ଓ ଚାଳକମାନେ ଏମିତି କାଣ୍ଡ ଘଟାଇ ଚାଲିଥିଲେ। ଯାହାକି ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ ପାଇଛି।

ଏହି ଘଟଣାକୁ ନେଇ ପଣ୍ୟ କାରବାରକୁ ନେଇ ନିଶ୍ଚିତ ଭାବେ ସମସ୍ୟା ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। କେନ୍ଦୁଝରରୁ ଟ୍ରକ୍‌ଗୁଡ଼ିକ ମାଲ୍ ନେଇ ଆସୁଥିବା ବେଳେ ସେମାନଙ୍କୁ ଏପଟେ ହଇରାଣ କରାଯାଉଛି। ଏହି ଟ୍ରକ୍‌ଗୁଡ଼ିକ ସେଠାକୁ ମାଲ୍ ପାଇଁ ଯାଉଥିବାରୁ ‌ସେମାନେ ମଧ୍ୟ ସ୍ବାଭାବିକ ଭାବେ ସେମିତି ପଦକ୍ଷେପ ନେଉଛନ୍ତି। ପୂର୍ବରୁ ମଧ୍ୟ ଏମିତି ଘଟଣା ଦେଖିବାକୁ ମିଳିଛି। ଉଭୟ ଜିଲ୍ଲାର ଟ୍ରକ୍‌ ମାଲିକ ସଂଘର ସଦସ୍ୟମାନେ ଏକାଠି ହୋଇ ଏହାର ସମାଧାନ କରିଛନ୍ତି। ମାତ୍ର ଆଜିର ଘଟଣାକୁ ନେଇ ଟ୍ରକ୍ ମାଲିକ ସଂଘଗୁଡ଼ିକ କି ପଦକ୍ଷେପ ନେଉଛନ୍ତି, ଏହା ଉପରେ ସମସ୍ତଙ୍କ ନଜର ରହିଛି।

ଏ ନେଇ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ପୂର୍ବତନ ଉପସଭାପତି ପ୍ରକାଶ ଜେନା କହନ୍ତି ଯେ, ତାଙ୍କ ସମୟରେ ଖୁବ୍ ଶୃଙ୍ଖଳିତ ଭାବେ ଜାତୀୟ ରାଜପଥରେ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଉଥିଲା। ପାରାଦୀପରୁ ଯାଜପୁର ପର୍ଯ୍ୟନ୍ତ ଟ୍ରକ୍‌ଗୁଡ଼ିକ ଧାଡ଼ିହୋଇ ଛିଡ଼ା ହୋଇ ରହୁଥିଲେ ମଧ୍ୟ କେହି ନିୟମ ଭାଙ୍ଗୁନଥିଲେ। ବର୍ତ୍ତମାନ ଜେସିସି ପାଟ୍ରୋଲିଂକୁ ବନ୍ଦ କରିଦେଇଛି। ଫଳରେ ଦଲାଲ୍‌ମାନଙ୍କୁ ହାତରେ ରଖି କିଛି ଟ୍ରକ୍ ଧାଡ଼ି ଭାଙ୍ଗି ବନ୍ଦର ମଧ୍ୟକୁ ପ୍ରବେଶ କରୁଛନ୍ତି। ଏପଟେ ଦୀର୍ଘଦିନ ଧରି ରାସ୍ତାରେ ଛିଡ଼ାହୋଇ ରହୁଥିବା ଟ୍ରକ୍‌ଗୁଡ଼ିକ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଏଣୁ ସେମାନଙ୍କ ସାମ୍ନାରେ ଯେତେବେଳେ ଏହି ଦୁଇଟି ଟ୍ରକ୍ ଧାଡ଼ି ଭାଙ୍ଗି ଆସିଛି, ଚାଳକମାନେ ଏମିତି କାଣ୍ଡ କରିଛନ୍ତି। ତଥାପି ଏମିତି ଆଇନକୁ ହାତକୁ ନେବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ମତ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।