ରାଜ୍ୟରେ ମେ’ ୧୩ ତାରିଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଆସନ ଅର୍ଥାତ୍ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ। ଏହି ନିର୍ବାଚନରେ ଜନମତକୁ ନିଜ ସପକ୍ଷରେ ନେବାପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୧୯ ନିର୍ବାଚନରେ ଏହି ୨୮ଟି ବିଧାନସଭା କ୍ଷେତ୍ରରେ ବିଜେଡି ୫ଟି, ବିଜେପି ୧୦ଟି ଓ କଂଗ୍ରେସ ୧୨ଟି ଆସନରେ ଦ୍ବିତୀୟ ସ୍ଥାନରେ ରହିଥିଲା। ଏଣୁ ପ୍ରଥମ ଆସନ ଦଖଲ ଲାଗି ତଥା ପୂର୍ବାପେକ୍ଷା ଅଧିକ ଭଲ ପ୍ରଦର୍ଶନ ପାଇଁ ରାଜନୈତିକ ଦଳ ଦିନରାତି ଏକାକାର କରିଦେଇଛନ୍ତି।
ନବରଙ୍ଗପୁର, କୋରାପୁଟରେ ବଦଳ ପ୍ରାର୍ଥୀଙ୍କ ଭାଗ୍ୟ
ନବରଙ୍ଗପୁରର ଉମରକୋଟରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ଡାବୁଗାଁରେ ବିଜେଡି ବିଧାୟକ ମନୋହର ରନ୍ଧାରୀ ପୁଣିଥରେ ଦଳୀୟ ଟିକେଟ ପାଇଛନ୍ତି। ତେବେ ଝରିଗାଁରେ ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ବଦଳରେ ଭାଇ ରମେଶ ମାଝୀ, ନବରଙ୍ଗପୁରରେ ସଦାଶିବ ପ୍ରଧାନୀଙ୍କ ବଦଳରେ ପତ୍ନୀ କୌଶଲ୍ୟା ପ୍ରଧାନୀ, କୋଟପାଡ଼ରେ ପଦ୍ମୀନି ଦିଆନଙ୍କ ବଦଳରେ ଚନ୍ଦ୍ରଶେଖର ମାଝୀ ଏବଂ ଚିତ୍ରକୋଣ୍ଡାରେ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ବଦଳରେ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ତେବେ ବଣ୍ଡା ସମ୍ପ୍ରଦାୟର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ଏହି ଆସନରେ ବିଜେପି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ମାଲକାନଗିରିର ବିଜେପି ବିଧାୟକ ଆଦିତ୍ୟ ମାଢ଼ୀଙ୍କ ବଦଳରେ ଦଳ ନରସିଂହ ମାଡ଼କାମୀ ଏଥର ପଦ୍ମ ଧରି ନିର୍ବାଚନକୁ ଓହ୍ଲାଇଛନ୍ତି। ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବିଜେପି ନବରଙ୍ଗପୁରରେ ଦ୍ବିତୀୟ ସ୍ଥାନରେ ରହିଥିଲା। ସେହିଭଳି ବିଜେଡି ଉମରକୋଟ ଓ କଂଗ୍ରେସ ଝରିଗାଁ, ଡାବୁଗାଁ, କୋଟପାଡ, ମାଲକାନଗିରି ଓ ଚିତ୍ରକୋଣ୍ଡା ଭଳି ୫ ଟି ଆସନରେ ଦ୍ବିତୀୟ ସ୍ଥାନରେ ରହିଥିଲା।
ଗୁଣପୁର ଆସନରେ ରଘୁନାଥ ଗମାଙ୍ଗ, ବିଷମକଟକରେ ଜଗନ୍ନାଥ ସାରକା, କୋରାପୁଟରେ ରଘୁରାମ ପଡ଼ାଲଙ୍କୁ ବିଜେଡି ଏଥର ପୁଣି ପ୍ରାର୍ଥୀ କରିଛି। ପଟାଙ୍ଗିରେ ପିତମ ପାଢ଼ୀଙ୍କ ବଦଳରେ ଦଳୀୟ ପ୍ରାର୍ଥୀ ହୋଇଛନ୍ତି ପ୍ରଫୁଲ୍ଲ ପାଙ୍ଗି। ଜୟପୁର ଆସନରେ ତାରାପ୍ରସାଦ ବାହିନୀପତିଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରିଛି। ଲକ୍ଷ୍ମୀପୁରରେ ପ୍ରଭୁ ଜାନି ବିଜେଡିର ପ୍ରାର୍ଥୀ ହୋଇଛନ୍ତି। କୈଳାଶ କୁଲେସିକା ଏଥର ବିଜେପି ପଦ୍ମ ଚିହ୍ନ ଧରି ନିର୍ବାଚନକୁ ଓହ୍ଲାଇଛନ୍ତି। ତେବେ ରାୟଗଡରୁ ସ୍ବାଧୀନ ବିଧାୟକ ଥିବା ମକରନ୍ଦ ମୁଦୁଲି ଏଥର ନିର୍ବାଚନରେ ନଲଢ଼ି ବିଜେଡିର ଅନୁସୂୟା ମାଝୀଙ୍କୁ ସମର୍ଥନ କରିବେ ବୋଲି ‘ସମ୍ବାଦ’କୁ କହିଛନ୍ତି। କୋରାପୁଟ ଲୋକସଭା କ୍ଷେତ୍ରରେ ବିଜେଡି ରାୟଗଡ଼ା ଓ ଜୟପୁର ଆସନରେ ଦ୍ବିତୀୟ ସ୍ଥାନରେ ରହିଥିଲା। କଂଗ୍ରେସ ଗୁଣୁପୁର,ବିଷମ କଟକ, କୋରାପୁଟ, ଲକ୍ଷ୍ମୀପୁର, ପଟାଙ୍ଗିରେ ଦ୍ବିତୀୟ ସ୍ଥାନରେ ରହିଥିଲା।
ନିର୍ଦ୍ଧାରିତ ହେବ ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ
୨୦୦୯ ମସିହାରେ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଧାରଣ ପରେ କଳାହାଣ୍ଡି ଲୋକସଭା ଆସନ ଦଖଲ କରିଥିଲା କଂଗ୍ରେସ। ହେଲେ ୨୦୧୪ ନିର୍ବାଚନରେ ବିଜେଡିରୁ ଅର୍କକେଶରୀ ଦେଓ ଓ ୨୦୧୯ ରେ ବିଜେପିରୁ ବସନ୍ତ ପଣ୍ଡା ଏଠାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେଡିରୁ ଲମ୍ବୋଦର ନିଆଲ, କଂଗ୍ରେସରୁ ଦ୍ରୌପଦୀ ମାଝୀ ଓ ବିଜେପିରୁ ପୂର୍ବତନ ବିଜେଡି ସାସଂଦ ଅର୍କକେଶର ଦେବଙ୍କ ପତ୍ନୀ ମାଳବିକା କେଶରୀ ଦେଓ ନିର୍ବାଚନ ଲଢୁଛନ୍ତି। ସେହିଭଳି ନବରଙ୍ଗପୁରରେ ବିଜେଡିରୁ ପ୍ରଦୀପ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ଓ କଂଗ୍ରେସରୁ ଭୁଜବଳ ମାଝୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୨୦୦୯ରେ ପ୍ରଦୀପ ମାଝୀ ଏଠାରୁ କଂଗ୍ରେସ ଟିକେଟରେ ସାଂସଦ ଭାବେ ବିଜୟୀ ହୋଇଥିବା ବେଳେ ୨୦୧୪ରେ ବିଜେଡି ଟିକେଟରୁ ବଳଭଦ୍ର ମାଝୀ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ଏହି ଦୁଇ ପୂର୍ବତନ ସାଂସଦ ଭିନ୍ନଭିନ୍ନ ରାଜନୈତିକ ଦଳରୁ ନିର୍ବାଚନ ଲଢୁଛନ୍ତି। କୋରାପୁଟରୁ କଂଗ୍ରେସ ଟିକେଟରେ ସପ୍ତଗିରି ଉଲାକା, ବିଜେପିରୁ କାଳୀରାମ ମାଝୀ ଓ ବିଜେଡିରୁ କୌଶଲ୍ୟା ହିକ୍କା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିଭଳି ବ୍ରହ୍ମପୁର ଲୋକସଭା ଆସନରେ ବିଜେପିରୁ ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ବିଜେଡିରୁ ଭୃଗୁ ବକ୍ସିପାତ୍ର ଓ କଂଗ୍ରେସରୁ ରଶ୍ମି ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢିଥିବା ଭି ଚନ୍ଦ୍ରଶେଖର ନାଇଡୁ ମଧ୍ୟ୍ୟ ଏଥର ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି।
ନିର୍ଦ୍ଧାରିତ ହେବ ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ
୨୦୦୯ ମସିହାରେ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଧାରଣ ପରେ କଳାହାଣ୍ଡି ଲୋକସଭା ଆସନ ଦଖଲ କରିଥିଲା କଂଗ୍ରେସ। ହେଲେ ୨୦୧୪ ନିର୍ବାଚନରେ ବିଜେଡିରୁ ଅର୍କକେଶରୀ ଦେଓ ଓ ୨୦୧୯ ରେ ବିଜେପିରୁ ବସନ୍ତ ପଣ୍ଡା ଏଠାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେଡିରୁ ଲମ୍ବୋଦର ନିଆଲ, କଂଗ୍ରେସରୁ ଦ୍ରୌପଦୀ ମାଝୀ ଓ ବିଜେପିରୁ ପୂର୍ବତନ ବିଜେଡି ସାସଂଦ ଅର୍କକେଶର ଦେବଙ୍କ ପତ୍ନୀ ମାଳବିକା କେଶରୀ ଦେଓ ନିର୍ବାଚନ ଲଢୁଛନ୍ତି। ସେହିଭଳି ନବରଙ୍ଗପୁରରେ ବିଜେଡିରୁ ପ୍ରଦୀପ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ଓ କଂଗ୍ରେସରୁ ଭୁଜବଳ ମାଝୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୨୦୦୯ରେ ପ୍ରଦୀପ ମାଝୀ ଏଠାରୁ କଂଗ୍ରେସ ଟିକେଟରେ ସାଂସଦ ଭାବେ ବିଜୟୀ ହୋଇଥିବା ବେଳେ ୨୦୧୪ରେ ବିଜେଡି ଟିକେଟରୁ ବଳଭଦ୍ର ମାଝୀ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ଏହି ଦୁଇ ପୂର୍ବତନ ସାଂସଦ ଭିନ୍ନଭିନ୍ନ ରାଜନୈତିକ ଦଳରୁ ନିର୍ବାଚନ ଲଢୁଛନ୍ତି। କୋରାପୁଟରୁ କଂଗ୍ରେସ ଟିକେଟରେ ସପ୍ତଗିରି ଉଲାକା, ବିଜେପିରୁ କାଳୀରାମ ମାଝୀ ଓ ବିଜେଡିରୁ କୌଶଲ୍ୟା ହିକ୍କା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ସେହିଭଳି ବ୍ରହ୍ମପୁର ଲୋକସଭା ଆସନରେ ବିଜେପିରୁ ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ବିଜେଡିରୁ ଭୃଗୁ ବକ୍ସିପାତ୍ର ଓ କଂଗ୍ରେସରୁ ରଶ୍ମି ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢିଥିବା ଭି ଚନ୍ଦ୍ରଶେଖର ନାଇଡୁ ମଧ୍ୟ୍ୟ ଏଥର ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି।
ବ୍ରହ୍ମପୁର ଦେଖିବ ରୋଚକ ଲଢ଼େଇ
ସେପଟେ ସବୁଠାରୁ ରୋଚକ ନିର୍ବାଚନ ହେବାକୁ ଯାଉଛି ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ। ଛତ୍ରପୁରରେ ବିଧାୟକ ସୁବାସ ବେହେରାଙ୍କୁ ବିଜେଡି, ମୋହନାରେ ଦାଶରଥି ଗମାଙ୍ଗଙ୍କୁ କଂଗ୍ରେସ ଓ ପାରଳାଖେମୁଣ୍ଡିରେ ନାରାୟଣ ରାଓଙ୍କୁ ବିଜେପି ପୁଣି ଟିକେଟ ଦେଇଛି। ହେଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ବିଜେଡି ଗୋପାଳପୁର ଟିକେଟ ଦେବାପରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବ୍ରହ୍ମପୁର ଆସନରୁ ଲଢ଼ୁଛନ୍ତି। ଦିଗପହଣ୍ଡିରେ ଦିବଂଗତ ସ୍ଥାନୀୟ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଓ ଚିକିଟିରେ ବିଧାୟିକା ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ନିର୍ବାଚନ ଲଢ଼ିବେ। ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ଚଳିତ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ଏକ ନାଟକୀୟ ଘଟଣାକ୍ରମରେ ଗତଥରର ବିଜେପି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏଥର ବିଜେଡିରୁ ଟିକେଟ ପାଇଁ ତାଙ୍କ ପୂର୍ବ ଦଳ ସହିତ ଲଢ଼ୁଛନ୍ତି। ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଲୋକସଭାରେ ବିଜେପି ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ଆସନରେ ଦ୍ବିତୀୟ ସ୍ଥାନରେ ରହିଥିଲା। ମୋହନାରେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ପାରଳାଖେମୁଣ୍ଡିରେ ସ୍ବାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀ ଦ୍ବିତୀୟ ସ୍ଥାନରେ ରହିଥିଲେ। ଚଳିତ ନିର୍ବାଚନରେ ତିରୁପତିଙ୍କ ବଦଳରେ ତାଙ୍କ ପୁଅ ରୂପେଶ ପାଣିଗ୍ରାହୀ ଦଳୀୟ ପ୍ରାର୍ଥୀ ହୋଇଛନ୍ତି।
୧୨ ବିଧାନସଭା ଓ ୨ ଲୋକସଭା ପ୍ରାର୍ଥୀ ଦୋହରାଇଲେ
୨୦୧୯ରେ ବିଜେଡି ୫ଟି, ବିଜେପି ୧୦ଟି ଓ କଂଗ୍ରେସ
୧୨ଟି ଆସନରେ ଦ୍ବିତୀୟ ସ୍ଥାନରେ ଥିଲା
୩୪ ବର୍ଷ ପରେ ବିଧାନସଭା ନିର୍ବାଚନ ଲଢିବେ ଭକ୍ତ
ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ନିର୍ବାଚନ ଲଢ଼ିବେନି
୨ କଂଗ୍ରେସ ପ୍ରାର୍ଥୀ ସ୍ବାଧୀନ ଭାବେ ନିର୍ବାଚନ ଲଢୁଛନ୍ତି
କୋରାପୁଟ, ନବରଙ୍ଗପୁର ସଂସଦୀୟ କ୍ଷେତ୍ର
ଦାଦନ: କୋରାପୁଟ ଓ ନବରଙ୍ଗପୁର ଲୋକସଭା ନିର୍ବାଚନ କ୍ଷେତ୍ରରେ ସବୁଠାରୁ ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ରହିଛି ଦାଦନ। ପ୍ରତି ମାସରେ ପଡ଼ୋଶୀ ରାଜ୍ୟରୁ ନିର୍ଯାତନାର ଶିକାର ହୋଇ ଓଡ଼ିଆ ଶ୍ରମିକମାନେ ଘରକୁ ଫେରୁଛନ୍ତି। ଅନେକ ସମୟରେ ନିଖୋଜ ହୋଇଯାଉଛନ୍ତି ଯେ ସେମାନଙ୍କର ପତ୍ତା ମିଳୁନି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି।
ନଦୀ ପରିଚାଳନା ଓ ଜଳସେଚନ ସମସ୍ୟା: ଜିଲ୍ଲାରେ ଇନ୍ଦ୍ରାବତୀ, ଭାସ୍କେଲ୍ ନଦୀ ପ୍ରବାହିତ ସତ୍ତ୍ବେ ଜମିକୁ ଜଳସେଚନ ପାଇଁ ପ୍ରକଳ୍ପ ହୋଇପାରିନି। ଛତିଶଗଡ଼ ଉଭୟ ନଦୀର ତଳମୁଣ୍ଡରେ ୮ଟି ପ୍ରକଳ୍ପ ନିର୍ମାଣ କରିସାରିଛି। କୋରାପୁଟ ଲୋକସଭା ଆସନରେ ନଦୀ ଜଳ ପରିଚାଳନା ବିବାଦ ମୁଖ୍ୟ ପ୍ରସଙ୍ଗ ହୋଇଛି। ବଂଶଧାରା, ନାଗାବଳୀ ଜଳକୁ ଓଡ଼ିଶା ବ୍ୟବହାର କରିପାରୁନଥିବାରୁ ଆନ୍ଧ୍ର ତଳମୁଣ୍ଡରେ ପ୍ରକଳ୍ପ କରି ସବୁ ପାଣି ଟାଣି ନେଉଛି। ପାଣିଡ଼ଙ୍ଗର ବ୍ୟାରେଜ୍ ଶିଳାନ୍ୟାସରେ ସୀମିତ ରହିଛି।
ଶିଳ୍ପ ଓ ବିସ୍ଥାପନ ସମସ୍ୟା: ଶିଳ୍ପ ଓ ଖଣି ଖାଦାନ ସମୃଦ୍ଧ ଏହି ଜିଲ୍ଲାରେ ବେକାରୀ ସମସ୍ୟା, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତିରେ ଅଣଦେଖା, ବିସ୍ଥାପିତଙ୍କୁ ଥଇଥାନରେ ସରକାର ବିଫଳ ହୋଇଛନ୍ତି। ରାୟଗଡ଼ା ଜିଲ୍ଲାରେ ଉତ୍କଳ ଆଲୁମିନା, କଂସାରିଗୁଡ଼ା ପ୍ରକଳ୍ପ, କୋରାପୁଟରେ ନାଲକୋ, ହାଲ୍, ଅପର କୋଲାବ ପ୍ରକଳ୍ପ ପାଇଁ ହଜାର ହଜାର ପରିବାର ଜମି ସହ ଭିଟାମାଟି ହରାଇଛନ୍ତି। କିନ୍ତୁ ବିସ୍ଥାପିତଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରାଯାଇପାରିନି। ବାର୍ଷିକ ହଜାର ହଜାର କୁଇଣ୍ଟାଲ୍ ମକା ଉତ୍ପାଦନ ସତ୍ତ୍ବେ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା ହୋଇପାରିନି।
ସାମାଜିକ ପ୍ରସଙ୍ଗ: ବାଲ୍ୟ ବିବାହ, ଶିକ୍ଷା ହାର କ୍ଷେତ୍ରରେ ଅପବାଦ ମୁଣ୍ଡାଇଛି। ସାରା ଓଡ଼ିଶାରେ ବାଲ୍ୟ ବିବାହ କ୍ଷେତ୍ରରେ ୧ ନଂ. ସ୍ଥାନରେ ରହିଛି ନରବଙ୍ଗପୁର। ନିରକ୍ଷରତା ଜିଲ୍ଲାର ବିକାଶରେ ପ୍ରମୁଖ ବାଧକ ସାଜିଛି।
କଳାହାଣ୍ଡିର ସଂସଦୀୟ କ୍ଷେତ୍ର
ଧାନର ଅଭାବୀ ବିକ୍ରି: ଧାନର ଅଭାବୀ ବିକ୍ରି ନେଇ ବାରମ୍ବାର ଚାଷୀ ଦହଗଞ୍ଜ ହେଉଛନ୍ତି
ଜଳସମସ୍ୟା: ଦୁର୍ଗମ ଅଞ୍ଚଳରେ ଜଳକଷ୍ଟ ରହିଛି। ଉଭୟ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଫ୍ଲୋରାଇଡ଼ ଜଳ ଯୋଗୁ କିଡ୍ନି ଜନିତ ରୋଗରେ ଲୋକେ ମୃତ୍ୟୁବରଣ କରୁଛନ୍ତି। କିଛି ଅଞ୍ଚଳରେ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇରହିଛି। ଇନ୍ଦ୍ରାବତୀ ବିସ୍ଥାପିତଙ୍କ ସମସ୍ୟା ସହିତ ନୂଆପଡ଼ା ଜିଲ୍ଲାର ଅପର ଜୋଙ୍କ ପ୍ରକଳ୍ପର ବିସ୍ଥାପିତଙ୍କ ସମସ୍ୟା ଲୋକଙ୍କୁ କଲବଲ କରୁଛି।
ଦାଦନ: କାମଧନ୍ଦା ଅଭାବ ଯୋଗୁଁ ଦାଦନ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ବହୁ ଦାଦନ ଅନ୍ୟ ରାଜ୍ୟରେ ମୃତ୍ୟୁ ବରଣ କରୁଛନ୍ତି।
ମମିତା ମେହେର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଓ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା ଏବେ ବି ଚର୍ଚ୍ଚାରେ ରହିଛି।
ମୌଳିକ ସମସ୍ୟା: କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ବହୁ ଅଞ୍ଚଳକୁ ଯୋଗାଯୋଗ ସଡ଼କ ବ୍ୟବସ୍ଥା ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବହୁ ମୌଳିକ ଅଧିକାରରୁ ଲୋକମାନେ ବଞ୍ଚିତ। ଲୋକଙ୍କୁ ଆବାସ ଗୃହ ସ୍ୱପ୍ନ , ଭତ୍ତା ନ ପାଇବା ଭଳି ସମସ୍ୟା ରହିଛି।
ଉପଖଣ୍ଡ ମାନ୍ୟତା: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼କୁ ଜିଲ୍ଲା ଓ ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ପାଇଁ ଦାବି ରହିଛି।