ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜନୈତିକ ଦଳର ଫୋକସ୍‌ରେ ସୁରତ: ଆସିଲା ଭୋଟ୍‌, ମନେପଡ଼ିଲେ ପ୍ରବାସୀ

ବ୍ରହ୍ମପୁର: ନିର୍ବାଚନ କମିସନ୍‌ଙ୍କ ଦ୍ବାରା ଭୋଟ୍‌ଗ୍ରହଣ ତାରିଖ ଘୋଷଣା ପରେ ୨୦୨୪ ପାଇଁ ନିର୍ବାଚନ ବିଗୁଲ ବାଜି ସାରିଛି। ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ଅଙ୍କ ଛିଣ୍ଡୁ ନଥିଲେ ମଧ୍ୟ‌ ବିଭିନ୍ନ ରାଜନୈତିକ ଦଳ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କଲେଣି। ପ୍ରତ୍ୟେକ ଦଳ ନିଜ ନିଜର ସୁରକ୍ଷିତ ଭୋଟ୍‌ ବ୍ୟାଙ୍କ ଉପରେ ଏବେ ନଜର ପକାଇଛନ୍ତି। ଗଞ୍ଜାମ ଜିଲ୍ଲାରେ ନେତାଙ୍କ ସବୁଠାରୁ ଭରସାଯୋଗ୍ୟ ଭୋଟ୍‌ ବ୍ୟାଙ୍କ ହେଉଛନ୍ତି ପ୍ରବାସୀ ଓଡ଼ିଆ। ଏବେ ଭୋଟ୍‌ ସମୟ ଆସି ଯାଇଥିବାରୁ ପ୍ରବାସୀଙ୍କ କଥା ମନେପଡ଼ିଛି। ଗଞ୍ଜାମ ଜିଲ୍ଲାର ପ୍ରାୟ ୭ଲକ୍ଷ ଲୋକ ବିଭିନ୍ନ ରାଜ୍ୟରେ ଦାଦନ ଖଟୁଛନ୍ତି। ଯେଉଁମାନେ କି ପ୍ରତ୍ୟେକ ନିର୍ବାଚନ ସମୟରେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି।

ଗଞ୍ଜାମ ଜିଲ୍ଲାରେ କୃଷି ବ୍ୟତୀତ ସେଭଳି ଅନ୍ୟ କିଛି ବ୍ୟବସ୍ଥିତ ରୋଜଗାର ପନ୍ଥା ନାହିଁ। ହାତ ଗଣତି ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ନଥିବାରୁ ଜିଲ୍ଲାର ଲକ୍ଷାଧିକ ଲୋକ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରି ପରିବାରର ଭରଣପୋଷଣ କରିଥାନ୍ତି। ଜିଲ୍ଲାର ପ୍ରାୟ ୭ଲକ୍ଷ ଲୋକ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ, ପଞ୍ଜାବ ପ୍ରଭୃତି ରାଜ୍ୟରେ କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୭୦ ଭାଗ ଲୋକ ଗୁଜରାଟର ସୁରତରେ ଥିବା ସୁତାକଳରେ କାମ କରନ୍ତି। କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକମାନେ ସେଠାରେ କାମ ମଧ୍ୟ କରୁଛନ୍ତି। ଏଣୁ ସୁରତକୁ ମିନି ଓଡ଼ିଶା ମଧ୍ୟ କୁହାଯାଏ। ପ୍ରତିବର୍ଷ ଭୋଟ୍‌ ସମୟରେ ପ୍ରତ୍ୟେକ ରାଜନୈତିକ ଦଳର ନେତା ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଭୋଟ୍‌ ଟାଣିବା ପାଇଁ ଉଦ୍ୟମ କରିଥାନ୍ତି। ଏଥର ରାଜନୈତିକ ଦଳଗୁଡ଼ିକ ସୁରତ ଉପରେ ସ୍ବତନ୍ତ୍ର ଫୋକସ୍‌ କରିଛନ୍ତି। କାରଣ ସୁରତରେ ରହୁଥିବା ପ୍ରବାସୀ ଭୋଟ୍‌ ପ୍ରତ୍ୟେକ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।

ଏପରିକି ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରତରେ ଅୟୋଜିତ ଓଡ଼ିଶା ମହୋତ୍ସବ ଉଦ୍‌ଘାଟନ କରି ପରୋକ୍ଷରେ ପ୍ରବାସୀଙ୍କୁ ଭୋଟ୍‌ ଭିକ୍ଷା କରିଥିଲେ। ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ସୁରତ ଯାଇ ପ୍ରବାସୀ ଓଡ଼ିଶାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥିଲେ। ଟ୍ରେନ୍‌ ଟିକଟ ଠାରୁ ଆରମ୍ଭ କରି ବସ୍‌ ଭଡ଼ା କରି ପ୍ରବାସୀଙ୍କୁ ଗଞ୍ଜାମ ଜିଲ୍ଲାକୁ ଅଣାଯାଇଥିଲା। ଏବେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୁଣିଥରେ ନେତାଏ ପ୍ରବାସୀଙ୍କୁ ଡାକ ପକାଇବେ। ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ତରଫରୁ ଦଳର କିଛି ନେତାଙ୍କୁ ଏ ନେଇ ସ୍ବତନ୍ତ୍ର ଦାୟିତ୍ବ ପ୍ରଦାନ କରାଯାଇଛି। ମେଣ୍ଟ ହେଉ କି ନହେଉ ବିଗତ ଥର ଭଳି ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରବାସୀ ଭୋଟ୍‌ ପ୍ରତ୍ୟେକ ଦଳର ପ୍ରାର୍ଥୀଙ୍କ ପାଇଁ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।