ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଧରାପଡ଼ିଥିଲେ ବି ୪୮ଘଣ୍ଟା ପରେ ମଧ୍ୟ କ୍ରାଇମବ୍ରାଞ୍ଚ ହତ୍ୟାର କାରଣ ଜାଣିପାରିନି। ଏହାକୁ ଧରି କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ବିରୋଧୀ ପ୍ରଶ୍ନ ଉଠାଇଲେଣି। ଏପରିକି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିନ ଦ୍ବିପ୍ରହରରେ ହତ୍ୟା କରାଯାଇଥିଲେ ବି ପୁଲିସ ଡିଜି ଘଟଣାସ୍ଥଳକୁ ଯାଇନଥିବାରୁ ବିରୋଧୀ ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ବର୍ଷିଛନ୍ତି। ଆଜି ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। କଂଗ୍ରେସ କହିଛି ଯେ ଏହି ଘଟଣାରେ ଶୀର୍ଷ ସ୍ତରର ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପାଇଁ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଦାୟୀ, ତେଣୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଛାଡ଼ନ୍ତୁ। ଏହି ଘଟଣାର ଏସ୍ଆଇଟି ତଦନ୍ତ ହେଉ। ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପୁଲିସ ଗୁଳିରେ ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କର ହତ୍ୟା ହେଲା।
ମାତ୍ର ୨୩ବର୍ଷ ଧରି ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ତଦନ୍ତ ନେଇ ପାଟି ନଖୋଲିବା ଅତ୍ୟନ୍ତ ଲଜ୍ଜାର ବିଷୟ। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ ଡିଜି ଘଟଣାସ୍ଥଳକୁ ଗଲେ ନାହିଁ ଏବଂ ଗୃହ ସଚିବ ନିରବ ଅଛନ୍ତି। ଏଣୁ ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଅନୁମାନ କରାଯାଉଛି। ଯେଉଁ ରାଜ୍ୟରେ ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିବାଲୋକରେ ଗୁଳି କରି ହତ୍ୟା କରାଯାଉଛି, ସେଇଠି ଆଇନ ଶୃଙ୍ଖଳାକୁ ନେଇ ଆଉ କ’ଣ ଆଶା କରାଯାଇପାରେ? ଜଣେ ପୁଲିସ ହତ୍ୟା କରିବ, ଆଉ ଜଣେ ପୁଲିସ ଏହାର ତଦନ୍ତ କରିବ। ଏଥିରେ ସତ୍ୟାସତ୍ୟ ଲୋକଲୋଚନକୁ ଆସିବା ଆଶା କରିହେଉନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇ ପୁଣି ଜଣେ ବିଚାରପତି/ଅବସରପ୍ରାପ୍ତ ବିଚାରପତି କିମ୍ବା ଜିଲ୍ଲା ଜଜ୍ଙ୍କ ଦ୍ୱାରା ମନିଟରିଂ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିବା ରାଜ୍ୟ ସରକାରଙ୍କ ଭୟକୁ ସ୍ପଷ୍ଟ କରୁଛି। ତେଣୁ ବିଜେପି କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା କରିପାରୁନି। ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ ଆଜି ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ୭ଟି ପ୍ରଶ୍ନ ପଚାରି ଆସନ୍ତା ୭ଦିନ ଭିତରେ ଉତ୍ତର ଦେବାକୁ ଦାବି କରିଛନ୍ତି। ଶ୍ରୀ କାନୁନ୍ଗୋ କହିଛନ୍ତି ଯେ ଏଏସ୍ଆଇ ଗୋପାଳ ଦାସ କେବେଠାରୁ ମାନସିକ ରୋଗୀ ବୋଲି ଚିହ୍ନଟ ହେଲେ? କେବେଠୁ ଚିକିତ୍ସା ହେଲେ? ସେ କ’ଣ ଔଷଧ ଖାଉଥିଲେ? ଯଦି ମାନସିକ ରୋଗଗ୍ରସ୍ତ ଥିଲେ ତାଙ୍କୁ କିଏ ଏଏସ୍ଆଇ ଭାବେ ନିଯୁକ୍ତି ଦେଇଥିଲେ? ହତ୍ୟା ଘଟଣା ଘଟାଇବା ପୂର୍ବରୁ ତାଙ୍କୁ ବନ୍ଧୁକ କିଏ ଓ କାହିଁକି ଦେଇଥିଲା? ଏହି ଘଟଣା ଗୁଇନ୍ଦା ବିଭାଗର ବିଫଳତା ନୁହେଁ କି? ବର୍ତ୍ତମାନ ସୁଦ୍ଧା ଦୋଷୀ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ରାଜ୍ୟ ସରକାର ଉତ୍ତର ରଖନ୍ତୁ।
ସିବିଆଇ ତଦନ୍ତ ହେଉ: ବିଜେପି
ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଛାଡ଼ନ୍ତୁ, ଏସ୍ଆଇଟି ତଦନ୍ତ ହେଉ: କଂଗ୍ରେସ
ଭୁବନେଶ୍ବର ସ୍ଥାନାନ୍ତର ପାଇଁ କିଏ ସାର୍ଟିଫାଏ କରିଥିଲା: ଜୟ
ଜଣେ ହତ୍ୟା ଅଭିଯୁକ୍ତର ବୟାନକୁ ଗୁରୁତ୍ବ ଦେବାକୁ ଚାହୁଁନୁ: ବିଜେଡି
ଦଳର ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ଯେ ନବ ଦାସଙ୍କ ହତ୍ୟା ପଛରେ ସାଂଘାତିକ ଷଡ଼ଯନ୍ତ୍ର ଲୁଚି ରହିଛି। ଗୃହ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତ୍ତରଦାୟୀ। ନୈତିକତା ଦୃଷ୍ଟିରୁ ସେ ପଦତ୍ୟାଗ କରିବା ଉଚିତ୍। ନିଜ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଜୀବନ ରକ୍ଷା କରିବାରେ ବିଫଳ ସରକାର ରାଜ୍ୟର ସାଧାରଣ ଜନତାଙ୍କୁ କିଭଳି ସୁରକ୍ଷା ଦେବେ? କ୍ରାଇମବ୍ରାଞ୍ଚ ତଦନ୍ତ ଏକ ପ୍ରହସନ। ରାଜ୍ୟରେ ଅତୀତରେ ହୋଇଥିବା ଅପରାଧରେ କ୍ରାଇମବ୍ରାଞ୍ଚ ସତ୍ୟତାକୁ ଲୋକଲୋଚନକୁ ଆଣିବା ପରିବର୍ତେ ତାହାକୁ ଘଣ୍ଟ ଘୋଡ଼ାଯାଇଛି। ତେଣୁ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ବାବଧାନରେ ଏସ୍ଆଇଟି ତଦନ୍ତ କରାଯାଉ।
ଏପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ପ୍ରଥମରୁ ଦାବି କରି ଆସୁଥିଲେ। ଆଜି ପୁଣି କହିଛନ୍ତି ଯେ ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ହିଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା ବୋଲି ସେ ଶୁଣିବାକୁ ପାଇଛନ୍ତି। ଯଦି ଏହା ସତ ତେବେ ତାଙ୍କୁ ଭୁବନେଶ୍ବର ପଠାଇ ଡ୍ରାମା କରିବାର କ’ଣ ଆବଶ୍ୟକତା ଥିଲା? ସେହିପରି ନବ ଦାସଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ଲାଗି ଝାରସୁଗୁଡ଼ା ହସ୍ପିଟାଲ କର୍ତ୍ତୃପକ୍ଷ ସାର୍ଟିଫାଏ କରିଥିଲେ କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ ଉଠାଇଛନ୍ତି।
ଜୟନାରାୟଣଙ୍କ ଅଭିଯୋଗର ଜବାବ୍ ରଖି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ବିେଜପି ବିଧାୟକ ଜୟନାରାୟଣ ମିଶ୍ର ନିଜେ ଜଣେ ହତ୍ୟା ଅଭିଯୁକ୍ତ। ଜଣେ ବିଜେଡି କର୍ମୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଶ୍ରୀ ମିଶ୍ର ଗିରଫ ହୋଇ ଜେଲ୍ରେ ରହିବା ପରେ କୋର୍ଟରୁ ଜାମିନ୍ରେ ବାହାରିଛନ୍ତି। ତେଣୁ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ତାଙ୍କ ମନକୁ ସ୍ବାଭାବିକ ଭାବେ ଭୟ ଗ୍ରାସିଛି। ତାଙ୍କ ଭଳି ଜଣେ ହତ୍ୟା ଅଭିଯୁକ୍ତର ମନ୍ତବ୍ୟକୁ ବିଜେଡି ଆଦୌ ଗୁରୁତ୍ବ ଦେବାକୁ ଚାହୁଁନାହିଁ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ ନବ ଦାସଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଦଳମତ ନିର୍ବିଶେଷରେ ଏହା ସମସ୍ତଙ୍କୁ ମର୍ମାହତ କରିଛି। ଏଭଳି ଏକ ସ୍ପର୍ଶକାତର ଘଟଣାରେ ବିଜେପି ନିମ୍ନ ମାନର ରାଜନୀତି କରିବା ନିନ୍ଦନୀୟ। ତଦନ୍ତରେ ସ୍ବଚ୍ଛତା ରକ୍ଷା ଲାଗି ଜଣେ କାର୍ଯ୍ୟରତ ତଥା ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ଏହାର ତଦନ୍ତ କରିବାକୁ ରାଜ୍ୟ ସରକାର ନିଜ ଆଡ଼ୁ ହାଇକୋର୍ଟଙ୍କୁ ଚିଠି ଲେଖିଛନ୍ତି। ଯେହେତୁ ନ୍ୟାୟପାଳିକାର ତଦାରଖରେ ଏହି ମାମମଲାର ତଦନ୍ତ ହେବାକୁ ଯାଉଛି, ତେଣୁ ଏହା ଉପରେ ରାଜନୀତି କରିବାରୁ ରାଜ୍ୟ ବିଜେପି କ୍ଷାନ୍ତ ରହୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l