ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀ ଉପକଣ୍ଠରେ ଘର କରି ଫସିଛନ୍ତି, ବିଏମ୍‌ସି ନଉନି ପଞ୍ଚାୟତ ଚାହୁଁନି

କିଛି ପୋଖରୀ ଓ କୂଅରେ ଏଠାକାର ଜଳ ଉତ୍ସ ସୀମିତ। କିନ୍ତୁ ସେଗୁଡ଼ିକ ଏତେସଂଖ୍ୟକ ଲୋକଙ୍କ ଚାହିଦା ମେଣ୍ଟାଇବାରେ ସକ୍ଷମ ନୁହେଁ। ସେଥିରୁ ଅଧିକାଂଶର ପାଣି ବି ବ୍ୟବହାର ଯୋଗ୍ୟ ନୁହେଁ। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ରଣସିଂହପୁର ଗ୍ରାମବାସୀ ଏଠାରେ ଥିବା ପୋପରା ପୋଖରୀ, ଆମ୍ବଚୁଆ ପୋଖରୀ ଉପରେ ନିର୍ଭରଶୀଳ। ଏଇ ଦୁଇ ପୋଖରୀରେ ସେମାନେ ଗାଧୋଇବା ସହ ୟା’ରି ପାଣିକୁ ପିଇବା ସହ ରନ୍ଧାରନ୍ଧିରେ ବ୍ୟବହାର କରନ୍ତି। କିନ୍ତୁ ବର୍ଷାଧିକ ସମୟ ହେଲା, ଏ ପୋଖରୀ ଦୁଇଟି ସଫେଇ ହୋଇନାହିଁ। ଫଳରେ ପୋଖରୀରେ କଲିକତି ଦଳ ଭର୍ତ୍ତି ହୋଇଗଲାଣି।

ଖଣ୍ଡଗିରି: ‘ହର ଘର ଜଲ’ ଯୋଜନାରେ ଗାଁର ପ୍ରତି ଘରକୁ ସ୍ବଚ୍ଛ ପିଇବା ପାଣି ଯୋଗାଣ ହେଉଥିବା କହି ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ସରକାରୀ ପ୍ରଚାରଠାରୁ ବାସ୍ତବତା କେତେ ଭିନ୍ନ, ରାଜଧାନୀ ଉପକଣ୍ଠ ରଣସିଂହପୁର ପଞ୍ଚାୟତ ଅଞ୍ଚଳରେ ଗଢ଼ି ଉଠିଥିବା କିଛି ଜନବସତି ଉପରେ ଆଖି ପକାଇଲେ ସ୍ପଷ୍ଟ ହୋଇଯିବ। ଏହି ପଞ୍ଚାୟତ ଅନ୍ତର୍ଗତ ଛୋଟରାୟପୁର, ଦାମୋଦରପୁର, ନ୍ୟୁ-କଲୋନି, ୱେଲଫେୟାର୍‌ କଲୋନି, ଇଭୋସ୍‌ ପାରାଡାଇଜ୍, ଗାୟତ୍ରୀ ପାରାଡାଇଜ୍‌କୁ ପାଣି ଯୋଗାଣ ତ ଦୂରର କଥା, ଆଜି ପର୍ଯ୍ୟନ୍ତ ପାଣି ପାଇପ୍‌ଟିଏ ବି ପଡ଼ି ନାହିଁ। ଆଶ୍ଚର୍ଯ୍ୟର କଥା ହେଲା, ପଞ୍ଚାୟତର ଅନ୍ୟ ଗାଁକୁ ପାଇପ୍‌ ପାଣିର ବ୍ୟବସ୍ଥା ହୋଇଥିବା ବେଳେ ଏହି କଲୋନିଗୁଡ଼ିକୁ ବାଦ୍‌ ଦିଆଯାଇଛି। ଫଳରେ ସ୍ଥାନୀୟ ଅଧିବାସୀ ପାଣି ପାଇଁ ବର୍ଷତମାମ ସଂଘର୍ଷ କରୁଛନ୍ତି। ନୂତନ ଭାବେ ଗଢ଼ି ଉଠିଥିବା ନ୍ୟୁ-କଲୋନି ଏବଂ ୱେଲଫେୟାର୍‌ କଲୋନିବାସୀଙ୍କ ସମସ୍ୟା ଆହୁରି ଜଟିଳ। ଜମି କିଣି ଘର ତିଆରିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ୨ଶହରୁ ଅଢ଼େଇ ଶ’ ଫୁଟ୍‌ ଖୋଳିବା ପରେ ବି ଝର ପଡ଼ୁନି। ଫଳରେ ବାରମ୍ବାର ନଳକୂଅ, କୂଅ ଖୋଳିବାର ବିଫଳ ଚେଷ୍ଟା ସେମାନଙ୍କୁ ବ୍ୟଥିତ କରୁଛି।

ହୋଇନିି ଜଳଯୋଗାଣ ବ୍ୟବସ୍ଥା
ରଣସିଂହପୁର ପଞ୍ଚାୟତର ବିଭିନ୍ନ ଗାଁ, କଲୋନିର ଅବସ୍ଥା ଜଟିଳ

କିଛି ପୋଖରୀ ଓ କୂଅରେ ଏଠାକାର ଜଳ ଉତ୍ସ ସୀମିତ। କିନ୍ତୁ ସେଗୁଡ଼ିକ ଏତେସଂଖ୍ୟକ ଲୋକଙ୍କ ଚାହିଦା ମେଣ୍ଟାଇବାରେ ସକ୍ଷମ ନୁହେଁ। ସେଥିରୁ ଅଧିକାଂଶର ପାଣି ବି ବ୍ୟବହାର ଯୋଗ୍ୟ ନୁହେଁ। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ରଣସିଂହପୁର ଗ୍ରାମବାସୀ ଏଠାରେ ଥିବା ପୋପରା ପୋଖରୀ, ଆମ୍ବଚୁଆ ପୋଖରୀ ଉପରେ ନିର୍ଭରଶୀଳ। ଏଇ ଦୁଇ ପୋଖରୀରେ ସେମାନେ ଗାଧୋଇବା ସହ ୟା’ରି ପାଣିକୁ ପିଇବା ସହ ରନ୍ଧାରନ୍ଧିରେ ବ୍ୟବହାର କରନ୍ତି। କିନ୍ତୁ ବର୍ଷାଧିକ ସମୟ ହେଲା, ଏ ପୋଖରୀ ଦୁଇଟି ସଫେଇ ହୋଇନାହିଁ। ଫଳରେ ପୋଖରୀରେ କଲିକତି ଦଳ ଭର୍ତ୍ତି ହୋଇଗଲାଣି। ଗତବର୍ଷ ପୋଖରୀ ପୁନରୁଦ୍ଧାର ପାଇଁ ଲକ୍ଷେ ଟଙ୍କା ପଞ୍ଚାୟତକୁ ଆସିଥିଲା। କିନ୍ତୁ ପୋଖରୀର ସ୍ଥିତି ଯାହା, ଏତକ ଟଙ୍କା ନିଅଣ୍ଟ ପଡ଼ିବ। ତେଣୁ କାମ ହୋଇ ନ ପାରିବାରୁ ସେ ଟଙ୍କା କିଛି ମାସ ପରେ ଫେରି ଯାଇଛି। ଗାଁରେ ଥିବା କୂଅ ଲୋକଙ୍କୁ ବର୍ଷତମାମ ପାଣି ଯୋଗାଣ କରେ। କିନ୍ତୁ ସେ ପାଣି ସ୍ବଚ୍ଛ ନୁହେଁ। ତାହାର କଳା ମଚମଚ ପାଣି ସ୍ବାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛି। ଯେଉଁମାନଙ୍କ କୂଅ ରହିଛି, ସେଗୁଡ଼ିକ ବହୁତ ଗଭୀର। ଖରାଦିନେ ବି ପାଣି ଆହୁରି ତଳକୁ ଖସିଯାଏ। ତେଣୁ ଖରା ୩/୪ ମାସତକ ଅଧିକାଂଶ ଲୋକ କିଣାପାଣି ପିଇବାକୁ ବାଧ୍ୟ ହୋଇଥା’ନ୍ତି।

ନୂତନ ଭାବରେ ଗଢ଼ି ଉଠିଥିବା ଏହି କଲୋନିଗୁଡ଼ିକର ଚରିତ୍ର ଓ ଆବଶ୍ୟକତା ସହରର। କିନ୍ତୁ ଏହାକୁ ବିଏମ୍‌ସିରେ ସାମିଲ କରାଯାଇନାହିଁ। ଏଣେ, ପଞ୍ଚାୟତ ବି ଏ ଅଞ୍ଚଳକୁ ଆଡ଼ ଆଖିରେ ଚାହୁଁ ନାହି। ବିଭିନ୍ନ ବିକାଶମୂଳକ କାର୍ଯ୍ୟ‌ରେ ଏମାନଙ୍କୁ ବାଦ୍‌ ଦିଆଯାଉଛି। ତେଣୁ ଏଠାରେ ରହୁଥିବା ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରଣସିଂହପୁର ସରପଞ୍ଚ ବର୍ଷାରାଣୀ ନାଏକ କହନ୍ତି, ନରାଜରୁ ସିଧାସଳଖ ମେଗା ଜଳ ଯୋଗାଣ ପ୍ରକଳ୍ପ ଏଠାରେ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପରେ ରଣସିଂହପୁର ପଞ୍ଚାୟତକୁ ସାମିଲ କରାଯାଇଛି। ତେଣୁ ଖୁବ୍‌ଶୀଘ୍ର ଛୋଟରାୟପୁର, ଦାମୋଦରପୁରରେ ଜଳଯୋଗାଣ ବ୍ୟବସ୍ଥା ହେବ। ଅନ୍ୟ ଗାଁରେ ବି ଯେଉଁଠି ଯଥେଷ୍ଟ ପାଣି ଆସୁନାହିଁ, ସେଠାକାର ସମସ୍ୟା ବି ଦୂର ହେବ। କଲୋନି ଅଞ୍ଚଳର ଜଳ ସମସ୍ୟା ଦୂର ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇ ନଥିବା ସ୍ଥାନୀୟ ପଞ୍ଚାୟତ ଅଧିକାରୀ ମତ ଦେଇଛନ୍ତି।

ରାସ୍ତାରେ ଭାସୁଛି ଏମ୍‌ସର ଉଦ୍‌ବୃତ୍ତ ମଳ ପାଣି

ବର୍ଷାଦିନ ଆଗରୁ ଠିକ୍‌ ସମୟରେ ସ୍ବେରେଜ୍‌ ସଫେଇ ହୋଇନପାରିଲେ, ଏମ୍‌ସର ଉଦବୃତ୍ତ ମଳ ପାଣି ଛୋଟରାୟପୁର ରାସ୍ତାରେ ଭାସି ବଡ଼ ଅପରିଷ୍କାର ବାତାବରଣ ସୃଷ୍ଟି କରିଥାଏ। ଏପରିକି ଏହି ଦୂଷିତ ପାଣି ଆଖପାଖ କୂଅ ପାଣି ସହ ମିଶିବାର ଆଶଙ୍କା ଦେଖାଦେଇଥାଏ। ଏ ସଂପର୍କରେ ସ୍ଥାନୀୟ ଅଧିବାସୀ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏମ୍‌ସ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏ ସମସ୍ୟାର ସମାଧାନ ହୋଇନାହିଁ।

ଚାଲୁନି ମୋ’ ବସ୍‌, ରାସ୍ତାରେ ଅନ୍ଧାର ରାଜୁତି

ପୂର୍ବରୁ ସିଜୁଆ ପର୍ଯ୍ୟନ୍ତ ଟାଉନ୍‌ ବସ ଚଳାଚଳ କରୁଥିଲା। ତେଣୁ କୌଣସି ସ୍ଥାନକୁ ଯିବା ପାଇଁ ସ୍ଥାନୀୟ ଅଧିବାସୀ ସମସ୍ୟାର ସମ୍ମୁଖୀନ ହେଉ ନଥିଲେ। ମୋ’ ବସ୍‌ ଚାଲିବା ଦିନଠାରୁ ଏମାନଙ୍କୁ ସମସ୍ୟା ହେଉଛି। କାରଣ ଏମ୍‌ସ ପର୍ଯ୍ୟନ୍ତ ଏହା ଚାଲୁଥିଲେ ମଧ୍ୟ ଏଠାକୁ ଆସୁନାହିଁ। ଏଥିଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଡୁନ୍‌ ସ୍କୁଲରୁ ସିଜୁଆ ପର୍ଯ୍ୟନ୍ତ ମୋ’ ବସ୍‌ ଚାଲିଲେ ରଣସିଂହପୁର ପଞ୍ଚାୟତ ସହ ସ୍ଥାନୀୟ କଲୋନିବାସୀ ଉପକୃତ ହୁଅନ୍ତେ। ଚାଲିଚାଲି କିମ୍ବା ଅଟୋ-ରିକ୍ସାରେ ମାତ୍ରାଧିକ ଟଙ୍କା ଖର୍ଚ୍ଚ କରି ଯେଉଁଭଳି ହଇରାଣ ହେଉଛନ୍ତି, ସେ ସ୍ଥିତିରୁ ମୁକ୍ତି ମିଳନ୍ତା। ସ୍ଥାନୀୟ ମୋ’ ବସ୍‌ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯିବା ପରେ ପ୍ରତିନିଧି ଆସି ସର୍ଭେ କରି ଯାଇଥିଲେ। କିନ୍ତୁ ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇନାହିଁ।

ସେହିପରି ଛୋଟରାୟପୁରରୁ ଡୁନ୍‌ ସ୍କୁଲ ପର୍ଯ୍ୟନ୍ତ ରାସ୍ତାରେ ଷ୍ଟ୍ରିଟ୍‌-ଲାଇଟ୍‌ ନାହିଁ। ଏଥିଯୋଗୁଁ ସ୍ଥାନୀୟ ଅଧିବାସୀଙ୍କ ସହ ଏଠାରେ ରହୁଥିବା ଏମସ କର୍ମଚାରୀ ମଧ୍ୟ ଅସୁରକ୍ଷିତ ଭାବରେ ଯାତାୟାତ କରୁଛନ୍ତି। ଅଧିକାଂଶ ସମୟରେ ମୋବାଇଲ, ଚେନ୍‌ ଲୁଟ୍‌ ଭଳି ଘଟଣା ଘଟୁଛି। କିଛି ମାସ ତଳେ ଅନ୍ଧାରର ଫାଇଦା ନେଇ ଏଠାରେ ଲୁଟ୍‌ ସହ ଗୁଳିମାଡ଼ ହୋଇଥିଲା। ଏହି ଅଞ୍ଚଳ ଖଣ୍ଡଗିରି ଥାନା ଅଧୀନରେ ଆସୁଥିଲେ ହେଁ ଠିକ୍‌ ଭାବେ ପାଟ୍ରୋଲିଂ ହେଉନଥିବା ଅଭିଯୋଗ ହେଉଛି।

ଆଲୋଚନା କରିଛନ୍ତି ଶ୍ରୀଧର ଦାସ, ନିରାକାର ସାହୁ, ନଳି ସେନାପତି, କାଳିଆସୁନା ବେହେରା, ସୁବାସ ଚନ୍ଦ୍ର ତ୍ରିପାଠୀ, ବଶମ୍ବର ଚାରୁ ସ୍ବାଇଁ, ସରୋଜ ସାହୁ, ସୁଧାଂଶୁ ଶେଖର, ଗିରୀଶ ସେନାପତି, ଭବାନି ଶଙ୍କର ନାଏକ, ନିଳିମା ପ୍ରଧାନ, ଶିବ ପ୍ରସାଦ ରାଉତରାୟ, ବାବାଜି ବେହେରା, ସୁବାସ ପ୍ରଧାନ, ରାଜେଶ ଜେନା, ବିନୋଦ କୁମାର, ହେମନ୍ତ ସାହୁ, ପ୍ରମୋଦ ଜେନା, ଗିରିଧର ସାହୁ, ପ୍ରମୋଦ ଜେନା ପ୍ରମୁଖ ଅଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।