ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀରେ ସ୍ବେରେଜ କାମ: ନିର୍ମାଣ ଅବଧି ବଢୁଛି, ଯନ୍ତ୍ରଣା ବି…

ଖଣ୍ଡଗିରି: ବର୍ଷାଧିକ ସମୟ ଅତିକ୍ରାନ୍ତ ପରେ ମଧ୍ୟ ଜାଗମରାର ସ୍ବେରେଜ କାର୍ଯ୍ୟ ସରୁନି। ପଞ୍ଚସଖା ନଗରରେ ସ୍ବେରେଜ ନିର୍ମାଣ ସରିବାର ମାସେ ପରେ ରାସ୍ତା ଦବିଯାଇ ପାଣି ଜମା ହେଉଛି। ଶିବ ମନ୍ଦିର ସମ୍ମୁଖ ରାସ୍ତାର ଅବସ୍ଥା ଏଭଳି ହୋଇଛି ଯେ ଏତେ ତାପମାତ୍ରାରେ ମଧ୍ୟ ସେହି ଅଞ୍ଚଳରେ ବର୍ଷାଋତୁର ଭ୍ରମ ସୃଷ୍ଟି ହେଉଥିବା କହିଛନ୍ତି ସ୍ଥାନୀୟ ଅଧିବାସୀ ଲିତୁ ପଟ୍ଟନାୟକ। ଗୋବିନ୍ଦବିହାରର କୁଳଦୀପ ଜ୍ଞନେଶ୍ବରଙ୍କ ଅଭିଯୋଗ, ବମିଖାଲ-କଟକ ରାସ୍ତାସ୍ଥିତ ସେମାନଙ୍କ ଅଞ୍ଚଳରେ ୧୦ ବର୍ଷରୁ ଊର୍ଧ୍ବ ସମୟ ହେଲା ସ୍ବେରେଜ ନିର୍ମାଣ କାର୍ଯ୍ୟ ସରି‌ଥିଲେ ମଧ୍ୟ ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଫଳରେ ଠିକ୍‌ ଭାବରେ ମଳପାଣି ନିଷ୍କାସିତ ନହୋଇ ନାଳି ସହିତ ମିଶୁଛି। ବିଭିନ୍ନ ସ୍ଥାନରେ ପାଣି ଜମା ହୋଇ ଅସ୍ବାସ୍ଥ୍ୟକର ବାତାବରଣ ସୃଷ୍ଟି କରୁଛି।

ସେଥିରେ ପୁଣି କିଛିଦିନ ପୂର୍ବରୁ ସ୍ବେରେଜ ପାଇପରୁ ପାଣି ଓଭରଫ୍ଲୋ ହେବାରୁ ଅବସ୍ଥା ଆହୁରି ଜଟିଳ ହୋଇଛି। ୨୦୧୬ ମସିହା ସୁଦ୍ଧା ରାଜଧାନୀର ସ୍ବେରେଜ ନିର୍ମାଣ କାର୍ଯ୍ୟ ସମାପ୍ତର ଲକ୍ଷ୍ୟ ରଖାଯାଇଥିଲା। ତେବେ କାମ ଶେଷ ହେବାରେ ଯେତେ ଡେରି ହେଉଛି, ଲୋକଙ୍କ କଷ୍ଟ ସେତେ ବଢିବାରେ ଲାଗିଛି। ଏହାର ସମାଧାନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଲୋକଙ୍କ ଅସନ୍ତୋଷ ବି ବଢୁଛି। ଏ ମାମଲାରେ ୱାଟକୋ ସିଇଓ ପି.ସ୍ବାଇଁ କହନ୍ତି, ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଭୁବନେଶ୍ବରର ସ୍ବେରେଜ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି। କିନ୍ତୁ ବର୍ତ୍ତମାନ ଦୁର୍ଗାପୂଜା ଯୋଗୁଁ ଆଉ ଅଧିକ କିଛି ଦିନ ବିଳମ୍ବ ହେବ। ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ, ଶୌଚାଳୟର ମଳଜଳ ନିଷ୍କାସନ ପାଇଁ ୬୦ ଦଶକରୁ ଭୁବନେଶ୍ବରରେ ସ୍ବେରେଜ ଲାଇନ ରହିଛି। ସମୁଦାୟ ଅଞ୍ଚଳରେ ଏହା କରାନଯାଇ ୟୁନିଟ ୧, ୨, ୩, ୪,୯, ଅଶୋକ ନଗର, ସହିଦ ନଗର, ଖାରବେଳ ନଗର, ସତ୍ୟନଗର ସମେତ ସରକାରୀ କ୍ବାଟର ନିର୍ମାଣ କରାଯାଇଥିବା ସ୍ଥାନରେ ଏହି ବ୍ୟବସ୍ଥା ରହିଥିଲା। କଳ୍ପନା ହାଟ, ବିଜେବି କଲେଜ ପାଖ ସମେତ ବିଭିନ୍ନ ସ୍ଥାନରେ ବଡ଼ କମ୍ୟୁନିଟି ଟାଙ୍କି କରାଯାଇଥିଲା। ସମୟକ୍ରମରେ ଏହା ଅଚଳ ହୋଇଗଲା। ମଳପାଣି ସିଧାସଳଖ ପୁରୀ କେନାଲରେ ମିଶୁଥିଲା। ଏଥିଯୋଗୁଁ କେନାଲ ନଷ୍ଟ ହେଲା। ତେଣୁ ଉପଯୁକ୍ତ ଭାବରେ ମଳପାଣି ପରିଚାଳନା ବ୍ୟବସ୍ଥା ପାଇଁ ୨୦୦୭ ମସିହାରୁ ଜାଇକା ପକ୍ଷରୁ ସ୍ବେରେଜ ଲାଇନ ବିଛାଇବା ଓ ଟ୍ରିଟ୍‌ପ୍ଲାଣ୍ଟ ଜରିଆରେ ଏହାର ପରିଚାଳନା ପାଇଁ ନିଷ୍ପତ୍ତି ହୋଇଥିଲା।

ଭୁବନେଶ୍ବରର ଯେଉଁଠି ସ୍ବେରେଜ ଲାଇନ ଯାଇନଥିଲା କିମ୍ବା ଅଧପନ୍ତରିଆ ହୋଇ ପଡ଼ିଥିବା ସମୁଦାୟ ଅଞ୍ଚଳରେ ଏହା କାର୍ଯ୍ୟକ୍ଷମ ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୧୨ ମସିହା ଡିସେମ୍ବରରରେ ଟେଣ୍ଡର ଦିଆଗଲା। ପ୍ରଥମେ ୨୦୧୬ ମସିହା ଏବଂ ପରେ ୨୦୧୭ ମସିହା ସୁଦ୍ଧା ସ୍ବେରେଜ କାର୍ଯ୍ୟ ସମାପ୍ତର ନିଷ୍ପତ୍ତି ହୋଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇ ପାରିନାହିଁ। ଜାଇକା, ଓଡ଼ିଶା ସ୍ବେରେଜ ବୋର୍ଡ, ପବ୍ଲିକ ହେଲ୍‌ଥ ଇଞ୍ଜିନିୟରିଂ ବିଭାଗ କରିବା ପରେ ବର୍ତ୍ତମାନ ୱାଟକୋ ଏହି କାର୍ଯ୍ୟ କରୁଛି। ବର୍ତ୍ତମାନ ଭୁବନେଶ୍ବରକୁ ୬ ଭାଗ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଇଛି। କେବଳ ଭରତପୁର ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ୯୦ ପ୍ରତିଶତ ନିର୍ମାଣ ସରିଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ତେବେ ସାମାଜିକ କର୍ମକର୍ତ୍ତାଙ୍କ ଅନୁସାରେ, ୧୫ ବର୍ଷ ହେଲା ଅନେକ ସ୍ଥାନରେ ସ୍ବେରେଜ ଲାଇନ ନିର୍ମାଣ ସରିଛି, କିନ୍ତୁ କାର୍ଯ୍ୟକ୍ଷମ ହେଉନାହିଁ। ତେଣୁ କାର୍ଯ୍ୟକ୍ଷମ ହେବାବେଳକୁ ପାଇପ୍‌ର ଅବସ୍ଥା ନେଇ ପ୍ରଶ୍ନ ଉଠିବ। ଏହା ଉପରକୁ ଅନେକଙ୍କ ଅଭିଯୋଗ ଯେ ସମସ୍ୟା ଜଣାଇବା ପାଇଁ ଟୋଲ୍‌ ଫ୍ରି ନମ୍ବରରେ କଲ୍‌ କଲେ କେହି ଉଠାନ୍ତି ନାହିଁ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନଥିବାରୁ ପ୍ରୋଜେକ୍ଟ ଡିଭିଜନ ଏବଂ ମେଣ୍ଟେନାନ୍ସ ଡିଭିଜନ ଭାବେ କିଏ ସମସ୍ୟା ସମାଧାନ କରିବ, ତାହା ମଧ୍ୟ ସ୍ପଷ୍ଟ ନଥାଏ। ଚାଲିଥିବା ସ୍ବେରେଜ କାମ ପାଇଁ ସହର ସାରା ଏତେ ସ୍ଥାନରେ ଖେଳାଖୋଳି ହୋଇଛି ଯେ ବର୍ତ୍ତମାନ ଏହା ରାଜଧାନୀ ଲୋକଙ୍କ ପାଇଁ ବୋଝ ପାଲଟି ଗଲାଣି। କେବେ ଏହା ଲୋକଙ୍କ ପାଇଁ ବରଦାନ ହେବ, ତାକୁ ଅପେକ୍ଷା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।