ଭୁବନେଶ୍ବର : ମଶାଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଘନଘନ ବୈଠକ ବସୁଛି, ମାନସମନ୍ଥନ ଚାଲିଛି। କିନ୍ତୁ ସହରରେ ମଶାଙ୍କ ଉତ୍ପତ୍ତିସ୍ଥଳ କାହାରିକୁ ଅଛପା ନାହିଁ। ଏବେ ବିଭିନ୍ନ ଜାଗାରେ ଥିବା ଅସ୍ଥାୟୀ ଡମ୍ପିଂୟାର୍ଡ ମଶାଙ୍କ ନିରାପଦ ଘର ପାଲଟିଛି। କିଛିଦିନ ହେଲା ପରିମଳରେ ଭୀଷଣ ଅବ୍ୟବସ୍ଥା ମଶା ବଂଶବୃଦ୍ଧିର ବଡ଼ କାରଣ ବୋଲି ସମସ୍ତେ ଜାଣି ପାରୁଛନ୍ତି। କିନ୍ତୁ ବିଏମ୍ସି କର୍ତ୍ତୃପକ୍ଷ ଜାଣି ନ ଜାଣିଲା ପରି ଲୋକଦେଖାଣିଆ ବୈଠକ କରୁଛନ୍ତି। ପୁଣି ଡ୍ରୋନ୍ ଲଗାଇ ମଶାଙ୍କ ଉତ୍ସ ଖୋଜିବାକୁ ଯୋଜନା କରିଛନ୍ତି। ବିଏମ୍ସିର ନାଟକବାଜି ଏତିକିରେ ସରୁନି। କେହି ବିଶେଷଜ୍ଞ ନଥିବାରୁ କି’ ପ୍ରକାର ମଶାଙ୍କୁ କି’ ପ୍ରକାରର ଔଷଧ ଦିଆଯିବା କଥା, ତାହା କେହି ଜାଣି ନାହାନ୍ତି। ଧୂଆଁ ଓ ତେଲ ସହ ଡିଜେଲ୍ ଓ କିରାସିନି କିଣା ଆଳରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହେଉଛି।
ମଶା ନିବାରଣକୁ ନେଇ ଦୀର୍ଘଦିନ ହେବ ବିଏମ୍ସି ଚିନ୍ତା କରିନାହିଁ। ମଶା ତେଲ ଖୋର୍ଦ୍ଧା ସିଡିଏମ୍ଓ ଯୋଗାନ୍ତି। ଏଥିରେ ମିଶିବାକୁ ଥିବା ଟେମୋଫସ୍ ବିଏମ୍ସି କିଣେ। ନଗର ସ୍ବାସ୍ଥ୍ୟ ଅଧିକାରୀ ଯାହା ଲିଖିତ ଭାବେ ଦାବି କରନ୍ତି, ସେହି ଅନୁସାରେ ଏ ସବୁ କିଣାଯାଏ। ସମୀକ୍ଷା ବେଳେ କମିସନର୍ ଏ ସଂକ୍ରାନ୍ତୀୟ ବିଭିନ୍ନ ପ୍ରଶ୍ନ ପଚାରନ୍ତି। କ’ଣ କେତେ ପରିମାଣରେ କିଣା ହେଇଛି? ମଶା ଧୂଆଁ ଓ ତେଲ ସ୍ପ୍ରେ’ କରାଯାଉଛି କି ନାହିଁ? କମିସନର୍ଙ୍କ ଏମିତି ପ୍ରଶ୍ନର ଯାହା ଉତ୍ତର ଆସେ, ତାହା ଉପରେ ତର୍ଜମା ହୁଏ ନାହିଁ। ମଶା ଧୂଆଁ ଯଥେଷ୍ଟ ହୁଏ ନାହିଁ। ତେଲ ମଧ୍ୟ ଯଥେଷ୍ଟ ହୁଏ ନାହିଁ। କିନ୍ତୁ ଆବଶ୍ୟକ ମୁତାବକ ଏ ସବୁ କିଣା ଯାଉଥାଏ। କିଣାକିଣିରେ ଅଧିକାରୀମାନେ ମାଲେମାଲ୍ ହୁଅନ୍ତି।
ମଶା ଉଡ଼ିବା ଅବସ୍ଥାକୁ ଆସିଗଲେ ସେମାନଙ୍କୁ ମାରିବା କଷ୍ଟକର ହୋଇଥାଏ। ଏଣୁ ଲାର୍ଭା ମାରିବା ଉପରେ ଗୁରୁତ୍ବ ଦିଆଯାଏ। ଲାର୍ଭାଙ୍କୁ ଖାଇଦେବା ପାଇଁ ନାଳ ନର୍ଦ୍ଦମାରେ ବିଏମ୍ସି ମାଛ ଛାଡ଼ିଥାଏ। ଅପରିଷ୍କାର ପାଣି ପାଇଁ ଗଙ୍ଗୁସିଆ ମାଛ ବ୍ୟବହାର କରାଯାଉଥିବା ବେଳେ ପରିଷ୍କାର ପାଣି ପାଇଁ ଗଫି ମାଛ ଛଡ଼ା ଯାଏ। ଏହି ମାଛ ଉତ୍ପାଦନ ପାଇଁ ରସୁଲଗଡ଼ରେ ଏକ ହାଚେରି ରହିଥିଲା। ହେଲେ ବିଏମ୍ସି ଏହି ମାଛ ବ୍ୟବହାର ନ କରିବାରୁ ତାହା ବନ୍ଦ ହୋଇଯାଇଛି ବା ଏହି ମାଛ ଆଉ ଉତ୍ପାଦନ ହେଉନାହିଁ। ଏହା ଭିତରେ ତିନିଥର ନିର୍ବାଚିତ ଜନପ୍ରତିନିଧି ବିଏମ୍ସିର ଦାୟିତ୍ବ ନେଇ ସାରିଲେଣି। ତିନିବର୍ଷ କେବଳ ଅଧିକାରୀମାନେ ଶାସନ କରିସାରିଲେଣି। ହେଲେ କେହି ଏ ବାବଦରେ ଚିନ୍ତା କରିନାହାନ୍ତି।
ମଶା ସ୍ଥିର ଜଳରେ ସୃଷ୍ଟି ହୁଅନ୍ତି, ଉଡ଼ିବା ଆରମ୍ଭ କଲା ପରେ ସନ୍ତସନ୍ତିଆ ଜାଗାରେ ରୁହନ୍ତି। ସହରରେ ଏବେ ଆବର୍ଜନା ଠାକୁ ଠା ଗଦା ହେଉଛି। ଚାରିଆଡ଼େ ଅସ୍ଥାୟୀ ଡମ୍ପିଂୟାର୍ଡ ସୃଷ୍ଟି କରାଯାଇଛି। ମାସ ମାସ ଧରି ଆବର୍ଜନା ଜମା ହୋଇରହୁଛି। ଫଳରେ ମଶାମାନେ ଏଠାରେ ବସା ବାନ୍ଧିଛନ୍ତି।
ଆବର୍ଜନାରେ ରହୁଥବା ପ୍ଲାଷ୍ଟିକ୍ ଓ ପଇଡ଼ ଖୋଳରେ ପାଣି ଜମିବା ଦ୍ବାରା ଏଠାରୁ ମଶା ମଧ୍ୟ ସୃଷ୍ଟି ହେଉଛନ୍ତି। ହେଲେ ଏ ସବୁ ଡମ୍ପିଂୟାର୍ଡ ହଟାଇବା ଦିଗରେ ବିଏମ୍ସି ଚିନ୍ତା କରୁନାହିଁ।
ବିଏମ୍ସିରେ ବିଶେଷଜ୍ଞ ନାହାନ୍ତି। ନଗର ସ୍ବାସ୍ଥ୍ୟ ଅଧିକାରୀ ଭାବରେ ସେଠାରେ ଜଣେ ଡାକ୍ତର ରହୁଛନ୍ତି। ପରିମଳ ଡେପୁଟି କମିସନର ଭାବରେ ଓଏଏସ୍ ଅଫିସର ଅଛନ୍ତି। ମଶାଙ୍କୁ ନେଇ ଉଭୟଙ୍କର ଅଭିଜ୍ଞତା ନାହିଁ କିମ୍ବା ସ୍ବାସ୍ଥ୍ୟ ବିଭାଗ ସହ ଏମାନେ କେଉଁ ଦିନ ହେଲେ ସମନ୍ବୟ ବୈଠକ କରିନାହାନ୍ତି। ଏଣୁ କି’ ପ୍ରକାରର ମଶା ଅଛନ୍ତି? ସେମାନଙ୍କୁ କି ପ୍ରକାରର ଔଷଧ କେତେ ପରିମାଣର ଦରକାର? କେତେ ଡୋଜ୍ର ଦରକାର? ଏ ସବୁର ନିର୍ଦ୍ଦିଷ୍ଟ ହିସାବ ହୋଇ ପାରୁନଥିବାରୁ ଏହା କେବଳ ଉପରଠାଉରିଆ ଭାବେ ଚାଲିଛି।
ମଶା ଉତ୍ପାତ କରିବା ପରେ ବିଏମ୍ସିର ବୁଦ୍ଧି ପଶିଛି। ଆଜି ଅବସରପ୍ରାପ୍ତ କୀଟ ବିଶେଷଜ୍ଞ ଅଶୋକ ମହାନ୍ତିଙ୍କୁ ଡାକି ମେୟର ସୁଲୋଚନା ଦାସ ଆଲୋଚନା କରିଛନ୍ତି। ମଶାଙ୍କ ଦମନ ପାଇଁ କ’ଣ କରାଯାଇପାରିବ, ତାଙ୍କଠାରୁ ପରାମର୍ଶ ଲୋଡ଼ିଛନ୍ତି। ଶ୍ରୀ ମହାନ୍ତିଙ୍କ ମତରେ, ମଶାଙ୍କ ଲାର୍ଭା ଖାଇବା ପାଇଁ ମାଛ ହାଚେରି ୧୦ବର୍ଷ ହେଲା ବନ୍ଦ ହୋଇଯାଇଛି। ଏହାକୁ ବିଏମ୍ସି ପୁନରୁଦ୍ଧାର କରିପାରିବ କିମ୍ବା ଅନ୍ୟ କେଉଁଠୁ ମାଛ ଆଣି ଛାଡ଼ି ପାରିବ। ଏହା ଅନେକାଂଶରେ ବିଏମ୍ସି ପାଇଁ ଫଳପ୍ରଦ ହେବ। ବିଶେଷଜ୍ଞମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ପାରିବ। ସେଥିରେ ଡ୍ରେନେଜ୍, ଜନସ୍ବାସ୍ଥ୍ୟ ବିଭାଗ ଓ ଅନ୍ୟ ଲାଇନ୍ ବିଭାଗୀୟ ଅଧିକାରୀଙ୍କୁ ସାମିଲ କରାଯିବା ଆବଶ୍ୟକ। ନିୟମିତ ସମୟ ବ୍ୟବଧାନରେ ସେମାନେ ପରାମର୍ଶ ଦେବେ। ବ୍ୟବହାର ହେଉଥିବା ମଶା ତେଲ ଓ କେମିକାଲ ଆରଏମ୍ଆରସି ଦ୍ବାରା ପରୀକ୍ଷା କରାଯିବା ଜରୁରି। ତେଲ କିମ୍ବା ଧୂଆଁ ପାଇଁ ବ୍ୟବହାର ହେଉଥିବା ସମସ୍ତ ପଦାର୍ଥ ସ୍ବୀକୃତିପ୍ରାପ୍ତ ପରିମାଣରେ ବ୍ୟବହାର ହେଉଛି କି ନାହିଁ, ତାହାର ନିୟମିତ ତଦାରଖ ହେବା ଜରୁରି। ଏଭଳି ନିୟମିତ ହେଲେ ମଶା ନିୟନ୍ତ୍ରଣକୁ ଆସିପାରିବ ବୋଲି ସେ କହିଛନ୍ତି।