ରାଜ୍ୟ

ରାଜଧାନୀରେ ପିଇବା ପାଣିରେ ଲୌହ ଉପାଦାନ: ପାଣିରେ ଜମୁଛି ମାଟିଆ ରଙ୍ଗର ଆସ୍ତରଣ

ଚନ୍ଦ୍ରଶେଖରପୁର: ବୋରୱେଲ୍‌ରୁ ବାହାରୁଛି ଗୋଳିଆ ପାଣି। ଖରା ହେଉ କି ବର୍ଷା, ସବୁ ସମୟରେ ଏଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି ଚନ୍ଦ୍ରଶେଖରପୁରବାସୀ। କେବଳ ଚନ୍ଦ୍ରଶେଖରପୁର ନୁହେଁ, ଭୂତଳ ଜଳସ୍ତର କମୁଥିବାରୁ ଭୁବନେଶ୍ବର ଉପକଣ୍ଠବାସୀଙ୍କୁ ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଖରା ଦିନେ ପିଇବା ପାଣି ପାଟିରେ ପୂରାଇବା ଯୋଗ୍ୟ ହୋଇ ରହୁନାହିଁ। ଏଥିସହ ପାନୀୟ ଜଳରେ ଆଇରନ୍‌ର ମାତ୍ରା ଏବେ ଚିନ୍ତାର କାରଣ ପାଲଟିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ ବର୍ଜ୍ୟଜଳ ବିଶୋଧନ ପାଇଁ ବ୍ୟାପକ ବ୍ୟବସ୍ଥା ନଥିବାରୁ ବର୍ଜ୍ୟଜଳ ଜମି ରହି ଭୂତଳ ଜଳକୁ ପ୍ରଦୂଷିତ କରିଦେଲାଣି। ଏପରିକି ୧୫୦ରୁ ୨୦୦ଫୁଟ ସ୍ତରରେ ଅଧିକାଂଶ ସ୍ଥାନରେ ବୋରୱେଲ୍‌ ପାଣି ଉଠାଉଥିବାବେଳେ ଏହା ପ୍ରଦୂଷିତ ହୋଇଯାଇଛି। ଯେଉଁଥିପାଇଁ ପାଣିରେ ଜେଲଡାହାଲ ନାଇଟ୍ରୋଜେନ୍, ଫସଫରସ୍‌, ପଟାସିୟମ ଓ କାଲସିୟମ ମାତ୍ରା ଅଧିକ ରହୁଛି। ଲୋକେ ବୋରୱେଲ୍ ପାଣି ପିଇବା ଦ୍ବାରା ପେଟ, କିଡ୍‌ନି, ଚର୍ମ ରୋଗର ଶିକାର ହେଉଥିବା ନଜରକୁ ଆସିଛି। ଏ‌ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

ଚନ୍ଦ୍ରଶେଖରପୁର ସମେତ ଖଣ୍ଡଗିରି, ପୁରୁଣା ଭୁବନେଶ୍ବର, ପଟିଆ, କଳାରାହାଙ୍ଗ, କଳ୍ପନା-ଲକ୍ଷ୍ମୀସାଗର ଅଞ୍ଚଳରେ ପିଇବା ପାଣି ସବୁଠୁ ଅଧିକ ପ୍ରଦୂଷିତ। ପାଣିର ପ୍ରଦୂଷଣ ମାତ୍ରା ବଢ଼ାଇବାକୁ ଯେଉଁ ଯେଉଁ ଉପାଦାନ ଦରକାର ତାହା ଏହି ସବୁ ଅଞ୍ଚଳର ବୋରୱେଲ୍‌ ପାଣିରେ ଭରି ହୋଇଛି। ସହର ଅବସ୍ଥା ଏଭଳି ହୋଇଥିବା ବେଳେ ଉପକଣ୍ଠ ଅବସ୍ଥା ତଦ୍ରୁପ। ସହରଠାରୁ ମାତ୍ର ୮ କିମି ଦୂର ବାଲିଅନ୍ତାରେ ବସୁଧା ଯୋଜନାରେ ଲୋକଙ୍କ ଘରକୁ ଯୋଗାଇ ଦିଆଯାଉଥିବା ପିଇବା ପାଣିରେ ଆଇରନ୍‌ର ମାତ୍ରା ଚିନ୍ତାଜନକ। ପ୍ରତି ଲିଟର ପିଛା ୨.୫୭୪ ମିଲିଗ୍ରାମ(ଏମ୍‌ଜି) ଆଇରନ ରହୁଛି। ଫଳରେ ପାଣିରେ ମାଟିଆ ରଙ୍ଗର ଆସ୍ତରଣ ଜମୁଛି। ଏହି ପାଣି ପିଇବା ଯୋଗ୍ୟ ହୋଇ ନ ଥିବା ବେଳେ ଲୋକେ ତାହାକୁ ବ୍ୟବହାର କରିବା ଦ୍ବାରା ବିପଦ ସୃଷ୍ଟି ହୋଇଛି। ପାଣିକୁ କୌଣସି ପାତ୍ରରେ ରଖିବାର କିଛି ସମୟ ମଧ୍ୟରେ ମାଟିଆ ରଙ୍ଗର ଆସ୍ତରଣ ବସିଯାଉଛି। ପାଣି ଲୁଣିଆ ଲାଗୁଛି। ଏସମ୍ପର୍କରେ ଅଞ୍ଚଳବାସୀ ବିଭିନ୍ନ ସମୟରେ ଜନପ୍ରତିନିଧି, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ, ବିଡିଓଙ୍କୁ ଅବଗତ କରାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ସାଧାରଣତଃ ପାଣିରେ ଆଇରନର ମାତ୍ରା ଲିଟର ପିଛା ୧ ମିଲିଗ୍ରାମ ରହିବା କଥା, ଯାହାକି ଏଠାରେ ଦେଖିବାକୁ ମିଳୁ ନାହିଁ। ତୁରନ୍ତ ଏଦିଗରେ ପଦ‌କ୍ଷେପ ନେବାକୁ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିସନ ଓଡ଼ିଶା ଶାଖା ମୁଖ୍ୟ ଶିବସୁନ୍ଦର ସ୍ୱାଇଁ, ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ଶଶାଙ୍କ ଶେଖର ପଣ୍ଡା,ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ନାରାୟଣ ସାହୁ ପ୍ରମୁଖ ଭୁବନେଶ୍ବର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ, ଭୁବନେଶ୍ୱର ନିର୍ବାହୀ ଯନ୍ତ୍ରୀଙ୍କୁ ‌ସାକ୍ଷାତ କରି ପିଇବା ପାଣି ସମ୍ପର୍କରେ ଅବଗତ କରାଇଛନ୍ତି।

ଆହୁରି ଚିନ୍ତାର ବିଷୟ ହେଉଛି ଯେ ଭୁବନେଶ୍ବରର ଅଧିକାଂଶ ଅଞ୍ଚଳର ପାନୀୟ ଜଳରେ ଆଇରନ ପରିମାଣ ୪ ମିଲିଗ୍ରାମ୍‌ରୁ ଅଧିକ ରହୁଥିବା ରାଜ୍ୟ ପ୍ରଦୂଷଣ ବୋର୍ଡ ରିପୋର୍ଟରେ ଦର୍ଶାଯାଇଛି। ୨୦୨୧ ରିପୋର୍ଟ ଅନୁଯାୟୀ ଖଣ୍ଡଗିରି ଓ ୟୁନିଟ୍‌-୬ ଅଞ୍ଚଳରେ ପାଣି ଅଧିକ ପ୍ରଦୂଷିତ। ଏଠାରେ ପାଣିରେ ନାଇଟ୍ରୋଜେନ୍, ଆଇରନ୍, ଟର୍ବିଡିଟି ଅଧିକ ରହୁଛି। ଖଣ୍ଡଗିରି ଅଞ୍ଚଳରେ ଗୋଟିଏ ଲିଟର ପାଣିରେ ଆଇରନ୍ ବା ଲୌହ ଅଂଶ ୬.୨୫୦ମିଲିଗ୍ରାମ୍ ରହୁଛି। କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଆଇରନ୍ ପରିମାଣ ୭.୮୨୫, ଚନ୍ଦ୍ରଶେଖରପୁର ଅଞ୍ଚଳରେ ୪.୨୩, ସାମନ୍ତରାପୁର ଅଞ୍ଚଳରେ ୫.୦୪, କଳ୍ପନା ଅଞ୍ଚଳରେ ୬.୧୬, ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରେ ୪.୪୮ ମିଲିଗ୍ରାମ୍ ରହୁଛି। ଯେତେବେଳେ କି ଆଇରନ୍‌ ମାତ୍ରା ୧ଲିଟର ପାଣିରେ ସର୍ବାଧିକ ୧ ମିଲିଗ୍ରାମ୍ ଏବଂ ଜେଲଡାହାଲ ନାଇଟ୍ରୋଜେନ୍ ୨ ମିଲିଗ୍ରାମ୍ ରହିବା କଥା। ନାଇଟ୍ରୋଜେନ୍ ପରିମାଣ ଅଧିକ ରହିଲେ ଲୋକଙ୍କ ଶ୍ବାସକ୍ରିୟା ଏବଂ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।