ଭୁବନେଶ୍ବର: ଆଜି ରାଜଧାନୀରେ ଘନ କୁହୁଡ଼ି ପରିଲକ୍ଷିତ ହେଉଛି। ଏହି ଘନ କୁହୁଡ଼ି ପାଇଁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ସୂଚନା ମିଳିଛି। ଭୁବନେଶ୍ବରରୁ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁ ଅଭିମୁଖେ ଯାତାୟତ କରୁଥିବା ବିମାନ ଯଥା ସମୟରେ ଉଡ଼ାଣ ଆରମ୍ଭ କରିପାରିନାହିଁ।
ଉଲ୍ଲେଖଯୋଗ୍ୟ, ଟ୍ୱିନି ସିଟି କଟକ-ଭୁବନେଶ୍ୱରରେ ଆଜି ସକାଳୁ ଘନ କୁହୁଡି ପଡିଛି। ଚାରିଆଡେ ଘନ କୁହୁଡ଼ିର ଆସ୍ତରଣ। ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ି ହିଁ କୁହୁଡ଼ି। ଘନ କୁହୁଡି ଯୋଗୁ ୫୦ ମିଟର ଦୂରରୁ କିଛି ଦେଖି ହେଉନାହିଁ। ସ୍ଥାନେ ସ୍ଥାନେ ମୁହଁକୁ ମୁହଁ ବି ଚିହ୍ନି ହେଉନି। ଘନ କୁହୁଡି ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଗତ ଦୁଇ ଦିନ ହେଲା ରାଜ୍ୟରେ ଶୀତ ସାମାନ୍ୟ କମିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୧୭.୭ ଡିଗ୍ରି ଓ କଟକର ରହିଥିଲା ୧୭ ଡିଗ୍ରି। ଆଜି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଆଜି ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ଓ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।