ରାଜନୀତି ରାଜ୍ୟ

ରାଜଗାଙ୍ଗପୁର ବିଧାନସଭା ଆସନ ଚିତ୍ର ବଦଳୁଛି: ନୂଆ ମୁହଁ ଦେଇପାରନ୍ତି ବିଜେଡି, ବିଜେପି

ରାଜଗାଙ୍ଗପୁର : କଂଗ୍ରେସ ବିଧାୟକ ଡା. ରାଜନ ଏକ୍କାଙ୍କୁ ଛାଡ଼ିଦେଲେ ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଆଗାମୀ ୨୦୨୪ ନିର୍ବାଚନରେ ରାଜଗାଙ୍ଗପୁର ବିଧାନସଭା ଆସନରୁ କାହାକୁ ପ୍ରାର୍ଥୀ କରିବେ, ତାହା ସ୍ପଷ୍ଟ ହୋଇନାହିଁ। ଭୋଟରମାନେ ଦ୍ବନ୍ଦରେ ଅଛନ୍ତି, ଦଳ ବି। ଉଭୟ ଦଳ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଅନ୍ୟପକ୍ଷରେ ଉଭୟ ବିଜେଡି ଓ ବିଜେପିରେ କିନ୍ତୁ ଆଶାୟୀଙ୍କ ତାଲିକା ବଢ଼ିବାରେ ଲାଗିଛି।

୨୦୧୯ ବିଧାନସଭା ନିର୍ବାଚନରେ ରାଜଗାଙ୍ଗପୁରରେ ପ୍ରକୃତ ଅର୍ଥରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିଲା। ବିଜୟୀ ହୋଇଥିବା କଂଗ୍ରେସର ଡା ଏକ୍କା ୫୩,୯୧୮ ଭୋଟ୍‌ ପାଇଥିବାବେଳେ ବିଜେଡିର ମଙ୍ଗଳା କିଷାନ ୫୨,୯୭୨ ଓ ବିଜେପିର ନରସିଂହ ମିଞ୍ଜ ୫୨,୮୯୬ ଖଣ୍ଡ ଭୋଟ୍‌ ପାଇ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ। କଂଗ୍ରେସର ଭୋଟ୍‌ ୩.୦୭% ବଢ଼ିଥିବାବେଳେ ବିଜେଡିର ୩.୭୫% କମିଥିଲା। ଆଶ୍ଚର୍ଯ୍ୟଜନକ ଭାବେ ବିଜେପିର ସମର୍ଥନ ୧୨.୪୨% ବୃଦ୍ଧି ପାଇଥିଲା। ତେବେ ନିର୍ବାଚନ ପରବର୍ତୀ ଗତ ୪ ବର୍ଷ ଭିତରେ ନିଜ ବିଧାନସଭା ଅଞ୍ଚଳରେ ଏହି ତିନି ନେତାଙ୍କର କାର୍ଯ୍ୟକଳାପ ତଥା ସକ୍ରିୟତାକୁ ଦେଖିଲେ, ଡା. ଏକ୍କା ଓ ଶ୍ରୀ କିଷାନ ଯେତିକି ଖବରରେ ରହିଛନ୍ତି ବା ଅଞ୍ଚଳର ସମସ୍ୟା ସହିତ ସଂପୃକ୍ତ ଅଛନ୍ତି, ଶ୍ରୀ ମିଞ୍ଜ ସେ ମାମଲାରେ ବହୁ ପଛରେ ରହିଛନ୍ତି।

ଡା. ଏକ୍କା କଂଗ୍ରେସ ମୁହଁ, ବିଜେଡି ଦେଇପାରେ ମହିଳା ପ୍ରାର୍ଥୀ
ବିଜେପି ଏଯାଏ ମନ ସ୍ଥିର କରିନି, ମିଞ୍ଜ ବି ଆଶା ଛାଡ଼ିନାହାନ୍ତି

ଏହି ଆସନରେ କଳାକାରଖାନା ଓ ଭୂମି ଅଧିଗ୍ରହଣ ସମସ୍ୟା ବେଶ୍ ଜଟିଳ। ବିଜେଡି ଓ କଂଗ୍ରେସ ନେତାମାନେ ସେ ପ୍ରସଙ୍ଗରେ ତାଙ୍କର ନିର୍ଦ୍ଦିଷ୍ଟ ମତ ରଖୁଥିବାବେଳେ ବିଜେପି ଏଥିରୁ ଦୂରରେ। ଏପରିକି ସାଂସଦ ବି ମୁହଁ ଖୋଲିନାହାନ୍ତି। ରାଜନୈତିକ ମହଲର କହିବା କଥା, ବିଜେଡିର ଚିତ୍ର ବଦଳୁଛି। ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ମଙ୍ଗଳା କିଷାନ ମଧ୍ୟ ବର୍ତ୍ତମାନ କଣଠେସା ହୋଇ ରହୁଛନ୍ତି। ତାଙ୍କୁ ଜିଲ୍ଲା ବିଜେଡିର ଏକ ଶକ୍ତିଶାଳୀ ଗୋଷ୍ଠୀ ତାଙ୍କୁ ଘୋର ବିରୋଧ କରୁଛି। ଏଣୁ ମଙ୍ଗଳାଙ୍କ ଉପରେ ଦଳ ଭରସା କରିବ କି ନୂଆ ମୁହଁ ଦେବ, ତାହା ଏବେ ବି ଅସ୍ପଷ୍ଟ ରହିଛି। ଏଣୁ ଉଭୟ ବିଜେଡି ଓ ବିଜେପି ନୂଆ ପ୍ରାର୍ଥୀ ଦେଇପାରନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିବାର ଆଶା ଖୁବ୍ କମ୍‌ ବୋଲି ଜଣା ଯାଉଛି। ବର୍ତ୍ତମାନର ବିଧାୟକ ଡା. ଏକ୍କା ଅଳ୍ପ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ହେଁ କର୍ମୀଙ୍କ ସହିତ ଯୋଡି଼ ହୋଇ ରହିଛନ୍ତି। ଫଳରେ ସ୍ଥାନୀୟ କଂଗ୍ରେସରେ ଅନ୍ୟ ଦୁଇ ଦଳ ତୁଳନାରେ ବିଶେଷ ଗୋଷ୍ଠୀ କନ୍ଦଳ ନାହିଁ।

ଉଲ୍ଲେଖଥାଉକି, ବିଜେଡିର ଗୋଟିଏ ଗୋଷ୍ଠୀ କହୁଛନ୍ତି ଯେ ମଙ୍ଗଳାଙ୍କୁ ଦଳ ଟିକେଟ୍ ନ ଦେଲେ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିପାରନ୍ତି। ଅନ୍ୟପକ୍ଷରେ ଏଭଳି ଆଶଙ୍କା ବଢ଼ୁଥିବା ଲକ୍ଷ୍ୟ ରଖି ରାଜଗାଙ୍ଗପୁରରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା କଥା ବିଜେଡିରେ ଚିନ୍ତା କରାଯାଉଛି ବୋଲି ଚର୍ଚ୍ଚା ହେଲାଣି। ଏମିତି ହେଲେ ପୌରାଧ୍ୟକ୍ଷା ମାଧୁରୀ ଲୁଗୁନଙ୍କ ସମେତ ରଶ୍ମୀପ୍ରଭା ଏକ୍କା, ପ୍ରିୟଦର୍ଶନୀ ଭୋଇ ଓ ରଜନୀ କୁଲ୍ଲୁଙ୍କ ଭଳି ସ୍ଥାନୀୟ ଆଗଧାଡ଼ିର ନେତ୍ରୀମାନଙ୍କ ଭିତରୁ କାହାରି ମୁଣ୍ଡରେ ସୁନା କଳସ ଢଳା ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ପ୍ରାର୍ଥୀଙ୍କୁ ନେଇ ମନସ୍ଥିର କରି ନଥିବା ଭଳି ମନେ ହେଉଛି।

ତେବେ ବିଜେପିର ନରସିଂହ ମିଞ୍ଜ ତୃତୀୟ ସ୍ଥାନରେ ରହିଥିଲେ ହେଁ ସେ ଏଥର ମଧ୍ୟ ନିଜ ଦଳରୁ ଟିକଟ ପାଇବାଲାଗି ଆଶା ରଖିଛନ୍ତି। ଦଳର ପୁରୁଣା ନେତା ଉପେନ୍ଦ୍ର କୁମାର ପ୍ରଧାନ ଓ ମହେନ୍ଦ୍ର ମାଝୀ ପ୍ରମୁଖ ସେତେଟା ସକ୍ରିୟ ନାହାନ୍ତି। ହେଲେ ବିଜେପିରେ ମଧ୍ୟ ଇତିମଧ୍ୟରେ ଅନେକ ଆଶାୟୀ ସୃଷ୍ଟି ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର