ନୂଆଦିଲ୍ଲୀ ୧୨/୦୮ : ରହସ୍ୟରେ ପରିପୂର୍ଣ୍ଣ ସ୍ଥାନଗୁଡ଼ିକ ବିଷୟରେ ଆମେ ଅନେକ ଥର ଶୁଣିଛୁ । ଏପରିକି ଦେଶ ତଥା ବିଦେଶର ବୈଜ୍ଞାନିକମାନେ ମଧ୍ୟ ଅନେକ ରହସ୍ୟର ସମାଧାନ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଏପରି ଏକ ରହସ୍ୟମୟ ସ୍ଥାନ ହେଉଛି ଦଲାହି କୁଣ୍ଡ। ଏହା ଏପରି ଏକ କୁଣ୍ଡ ଯେଉଁଠାରୁ ତାଳି ମାରିଲେ ପାଣି ବାହାରକୁ ଆସିଥାଏ । ଆସନ୍ତୁ ଜାଣିବା ଝାଡଖଣ୍ଡର ବୋକାରୋରେ ଅବସ୍ଥିତ ଏହି ପାଣି କୁଣ୍ଡ ପଛରେ ଥିବା ରହସ୍ୟ ବିଷୟରେ…
ଝାଡଖଣ୍ଡର ବୋକାରୋର ଦଲାହି କୁଣ୍ଡ ଏହାର ରହସ୍ୟମୟ ଚମତ୍କାର ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ । କୁହାଯାଏ ଏହି କୁଣ୍ଡ ସାମ୍ନାରେ ଠିଆ ହୋଇ ତାଳି ମାରିଲେ ପାଣି ବାହାରକୁ ଆସିଥାଏ। କେବଳ ଏତିକି ନୁହେଁ, ଏହି କୁଣ୍ଡର ପାଣି ଅତ୍ୟନ୍ତ ଗରମ ହୋଇଥାଏ । କିଛି ଲୋକ କୁହନ୍ତି ଯେ ଋତୁ ଅନୁଯାୟୀ ଏହି କୁଣ୍ଡର ପାଣି ବାହାରିଥାଏ । ଗ୍ରୀଷ୍ମ ଋତୁରେ ଥଣ୍ଡା ପାଣି ଏବଂ ଶୀତ ଋତୁରେ ଗରମ ପାଣି ବାହାରିଥାଏ ।
ଦଲାହି କୁଣ୍ଡର ପାଣି ଜାମୁଇ ନାମକ ଏକ ନାଳ ଦେଇ ଗରଗା ନଦୀକୁ ଯାଇଥାଏ । ଏକ ଗବେଷଣା ଅନୁଯାୟୀ, ଏପରି ଜାଗାରେ ପାଣି ବହୁତ ତଳେ ହୋଇଥାଏ । ତେଣୁ ତାଳି ମାରିବା ଦ୍ୱାରା ଧ୍ୱନୀ ତରଙ୍ଗରୁ ଜଳ ଉପରେ ପ୍ରଭାବ ପକାଇଥାଏ ଏବଂ ଉପରକୁ ଆସିଥାଏ । ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି କୁଣ୍ଡରେ ଗାଧୋଇବା ଦ୍ୱାରା ଇଚ୍ଛା ପୂରଣ ହୋଇଥାଏ । ଲୋକମାନେ ଏହି ଅନନ୍ୟ କୁଣ୍ଡରେ ଗାଧୋଇବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି । ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ କୁହନ୍ତି ଯେ ଏହି କୁଣ୍ଡର ପାଣି ଚର୍ମ ରୋଗ ସହ ଜଡିତ ସମସ୍ତ ରୋଗକୁ ଭଲ କରିଥାଏ।