ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ: ଏଥର ମଧ୍ୟ ପାଳି କରି ପାଠପଢ଼ା‌

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ୭ ବର୍ଷ ବିତିଲାଣି। ତଥାପି କ୍ୟାମ୍ପସର ବିକାଶ ହୋଇପାରୁ ନାହିଁ। ଏବେ ବି ଗୋଟିଏ କ୍ୟାମ୍ପସରେ ଚାଲିଛି ୪ଟି ପାଠ୍ୟକ୍ରମର ଶିକ୍ଷାଦାନ। ପ୍ରତି ଶିକ୍ଷାବର୍ଷ ଆରମ୍ଭରେ ସମସ୍ୟା ହେଉଥିଲେ ମଧ୍ୟ କେହି ବି ପରିସ୍ଥିତିକୁ ଗୁରୁତ୍ବର ସହ ନେଉନାହାନ୍ତି। ୨୦୧୬ରୁ ଆଜି ଯାଏ ଯେତେବେଳେ ସମୀକ୍ଷା ହେଉଛି ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବ କହୁଛନ୍ତି- ଆମେ କରିଦେବୁ। ତେବେ କେଉଁଠି ଓ କେବେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେବ, ସେ ନେଇ କେହି ବି ସ୍ପଷ୍ଟ କରୁନାହାନ୍ତି। ପରିଣାମ ସ୍ବରୂପ ଚଳିତ ଶିକ୍ଷାବର୍ଷରେ ମଧ୍ୟ ସମାନ ସମସ୍ୟା ସୃଷ୍ଟି ହୋଇଛି। ଗୋଟିଏ କ୍ୟାମ୍ପସରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ନାତକ (ୟୁଜି), ସ୍ନାତକୋତ୍ତର(ପିଜି) ଓ ପିଏଚ୍‌ଡି ଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି। ଆବଶ୍ୟକୀୟ କ୍ଲାସରୁମ୍‌ ନ ଥିବାରୁ ଏବେଠାରୁ ସେମାନଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହୋଇଛି। ତେଣୁ ଏଥର ବି ପାଳି କରି ଛାତ୍ରୀମାନଙ୍କ ପାଠପଢ଼ା ଚାଲିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ‌ଯେ ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସକୁ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାନାନ୍ତର କରିବାକୁ ୩ ମାସ ତଳେ ଯୋଜନା ହୋଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିକାରୀଙ୍କ ସହ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ବିଶ୍ବବିଦ୍ୟାଳୟ ଅଧିକାରୀମାନେ ଭିତ୍ତିଭୂମି ଯାଞ୍ଚ କରି ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ୟୁନିଟ୍‌-୯ ହାଇସ୍କୁଲ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି) ସଦସ୍ୟଙ୍କ ସମେତ ଛାତ୍ରଛାତ୍ରୀ, ଅଭିଭାବକଙ୍କ ପ୍ରବଳ ବିରୋଧ ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଏକାଧିକ ଥର ଆଲୋଚନା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ। ଫଳରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଗୋଟିଏ କ୍ୟାମ୍ପସରେ ୫ ହଜାରରୁ ଅଧିକ ଛାତ୍ରୀଙ୍କୁ ଏକାଠି ଶିକ୍ଷାଦାନ କରାଇବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ସେପଟେ ଗଣଶିକ୍ଷା ବିଭାଗର ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା ନ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୁଣିଥରେ ଛାତ୍ରୀଙ୍କ ପାଠପଢ଼ା ସମସ୍ୟା ନେଇ ଉଚ୍ଚଶିକ୍ଷା ବିଭାଗର ହସ୍ତକ୍ଷେପ ଲୋଡ଼ିଛନ୍ତି। ୪ଟି ପାଠ୍ୟକ୍ରମ ଛାତ୍ରୀ ଗୋଟିଏ କ୍ୟାମ୍ପସରେ ରହିବା ଦ୍ବାରା କେବଳ ଯେ ପାଠପଢ଼ା ପ୍ରଭାବିତ ହେଉଛି ତାହା ନୁହେଁ, ବରଂ ଖେଳ ପଡ଼ିଆ ନ ଥିବାରୁ ପିଲାମାନେ କ୍ରୀଡ଼ା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି। ଭିତ୍ତିଭୂମି ଅଭାବରୁ ନୂଆ ପାଠ୍ୟକ୍ରମ ଖୋଲିବା, ଅତ୍ୟାଧୁନିକ ଲାବରେଟୋରି ସୁବିଧା, ଜିମ୍‌, ହଷ୍ଟେଲ ନିର୍ମାଣ ପରି ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ତାହାର ସମାଧାନ ପାଇଁ ଦ୍ବିତୀୟ କ୍ୟାମ୍ପସର ଆବଶ୍ୟକତା ଜରୁରି ହୋଇପଡ଼ିଛି। ବର୍ତ୍ତମାନ କ୍ୟାମ୍ପସ ନିକଟବର୍ତ୍ତୀ କୌଣସି ସ୍ଥାନରେ ଦ୍ବିତୀୟ କ୍ୟାମ୍ପସ ଲାଗି ସରକାରୀ ଜମି ଯୋଗାଇ ଦେବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। କ୍ଲାସ ସମୟରେ ଉପୁଜିଥିବା ସମସ୍ୟା ଦୂର ପାଇଁ ବର୍ତ୍ତମାନ କ୍ୟାମ୍ପସରେ ଆଉ ଏକ ଏକାଡେମିକ୍‌ ବ୍ଲକ ନିର୍ମାଣ ପାଇଁ ମଧ୍ୟ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଛନ୍ତି।

ସୂଚନା ଅନୁଯାୟୀ ୨୦୧୮ ସେପ୍ଟେମ୍ବରରେ ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ୩୦ ଏକର ଜମି ଚିହ୍ନଟ ହୋଇଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଠିତ କମିଟି ରିପୋର୍ଟ ଆଧାରରେ ଏହି ଜାଗାରେ ଚୂଡ଼ାନ୍ତ ମୋହର ଲାଗିଥିଲା। ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସଠାରୁ ଏହାର ଦୂରତା ମାତ୍ର ୨୦ କିମି ହୋଇଥିଲେ ମଧ୍ୟ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଶ୍ବବିଦ୍ୟାଳୟର ତତ୍‌କାଳୀନ କୁଳପତି ପ୍ରଶ୍ନ ଉଠାଇଥିଲେ। ସେଠାରେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେଲେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ହେବନି ବୋଲି ମତପ୍ରକାଶ କରିବା ସହ ନିଷ୍ପତ୍ତିର ପୁନର୍ବିଚାର ପାଇଁ ପ୍ରସ୍ତାବ ଦେଇଥିଲେ। ୨୦୧୯ ଜୁଲାଇରେ ବୈଠକ ଡାକି ସମସ୍ୟାର ସମାଧାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତତ୍‌କାଳୀନ କୁଳପତିଙ୍କୁ କୁହାଯାଇଥିଲା। ମାତ୍ର ସେବେଠାରୁ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଫାଇଲ୍‌ ଏବେ ଉଚ୍ଚଶିକ୍ଷା ବିଭାଗର ନାଲିଫିତା ତଳେ ରହିଯାଇଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦ୍ବିତୀୟ କ୍ୟାମ୍ପସ ସମ୍ପର୍କରେ ଏକାଧିକ ଥର ଉଚ୍ଚଶିକ୍ଷା ବିଭାଗ ହସ୍ତକ୍ଷେପ ଲୋଡ଼ିଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଓ ସଚିବ ସମସ୍ତେ ସବୁ ଜାଣି ଚୁପ୍‌ ବସିଥିବାରୁ ଛାତ୍ରୀମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।