ପୁରୀ : ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ପହଣ୍ଡିଠାରୁ ଆରମ୍ଭ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାବଳିକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ଏହି ବ୍ୟବସ୍ଥାବଳୀ ଅନୁସାରେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଦଇତାପତି ନିଯୋଗ ସଭାପତି, ସମ୍ପାଦକ, ୪ ବାଡ଼ଗ୍ରାହୀ ଓ ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଆସନ୍ତାକାଲି ସକାଳୁ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ, ଆରକ୍ଷୀ ଅଧୀକ୍ଷକ, ଅନ୍ୟ ବିଭାଗୀୟ ଅଧିକାରୀ, ସମସ୍ତ ନିଯୋଗ ସଭାପତି ଓ ସମ୍ପାଦକ ପ୍ରତ୍ୟକ୍ଷ ଉପସ୍ଥିତ ରହି ନୀତି ତ୍ୱରାନ୍ୱିତ କରିବେ। କୌଣସି ଦର୍ଶନାର୍ଥୀ ଅବା ଅନଧିକୃତ ବ୍ୟକ୍ତି ଶ୍ରୀମନ୍ଦିର ଜଗମୋହନ କିମ୍ୱା ନାଟମଣ୍ଡପକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସମାନ ବ୍ୟବସ୍ଥା ବାହୁଡ଼ାଯାତ୍ରାରେ ବି ଲାଗୁ ହୋଇଛି।
ତାଳଧ୍ୱଜରେ ୬୦, ଦର୍ପଦଳନରେ ୫୦ ଓ ନନ୍ଦିଘୋଷରେ ୭୦ ସେବକ ରହିବେ
ତିନି ରଥରେ ରହିବେ ୪୨ ଘଣ୍ଟୁଆ
ବ୍ୟବସ୍ଥାବଳୀ ଅନୁଯାୟୀ, ଭୋର ୪ଟା ପୂର୍ବରୁ ଚାରମାଳ ବନ୍ଧା ଓ ଫୁଲ ସଜ୍ଜା ଶେଷ ହେବ। ଅନଧିକୃତ ବ୍ୟକ୍ତିମାନେ ରଥରେ ଚଢ଼ି ପାରିବେନି, ଶ୍ରୀବିଗ୍ରହଙ୍କୁ ଛୁଇଁ ପାରିବେ ନାହିଁ। ଏହା ଉପରେ ନଜର ରଖିବା ପାଇଁ ଦଇତାପତି ଓ ବାଡ଼ଗ୍ରାହୀ ସେବକଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ମହାପ୍ରଭୁଙ୍କ ସେବାପୂଜା ନଥିବା ସମୟରେ ସେବାୟତମାନେ ଶ୍ରୀବିଗ୍ରହଙ୍କ ଭୂଜ ଭିତରେ ରହିପାରିବେ ନାହିଁ, ଠାକୁରଙ୍କ ଦେହରେ ଭରା ଦେଇ ଛିଡ଼ା ହୋଇପାରିବେ ନାହିଁ। ଯଦି ଏପରି କେହି ଭୁଲ୍ କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ମଙ୍ଗଳ ଆଳତି ସମୟରେ କେବଳ ସେବା ସମ୍ପୃକ୍ତ ସେବକ, ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀମାନେ ଭିତରକାଠ ପାଖରେ ଉପସ୍ଥିତ ରହିବେ। ପହଣ୍ଡି ସମୟରେ ଜଗମୋହନ କିମ୍ୱା ନାଟମଣ୍ଡପରେ କୌଣସି ଭିଆଇପି, ଭିଭିଆଇପି ରହିବା ଉପରେ କଟକଣା ଜାରି କରାଯାଇଛି। ସାତପାହାଚ ନିକଟରେ ଶ୍ରୀଜିଉଙ୍କ ମସ୍ତକରେ ଟାହିଆ ବନ୍ଧାଯିବ। ଦର୍ଶନାର୍ଥୀ କିମ୍ୱା ସେବାୟତ ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗିଥିବା ଟାହିଆ ଟାଣି ପାରିବେ ନାହିଁ। ଶ୍ରୀଜିଉମାନେ ରଥ ଉପରକୁ ଉଠିବା ପର୍ଯ୍ୟନ୍ତ ଏହା କିପରି ସୁରକ୍ଷିତ ରହିବ ସେ ଦାୟିତ୍ୱ ଦଇତାପତିମାନଙ୍କୁ ନ୍ୟସ୍ତ କରାଯାଇଛି। ପ୍ରତିହାରୀ ଓ ଅରକ୍ଷୀ ଅଧୀକ୍ଷକ ବି ଟାହିଆ ଉପରେ ନଜର ରଖିବେ। ଟାହିୟା ଭାଙ୍ଗିଥିବା ଓ ଧରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀଜିଉ ପହଣ୍ଡି ବେଳେ ଧାଡ଼ି ପହଣ୍ଡିରେ ତିନି ରଥରେ ବିଜେ କରିବେ। ପ୍ରାଧିକୃତ ଦଇତାପତି ପହଣ୍ଡି କରିବେ। ପହଣ୍ଡି ବେଳେ କୌଣସି ବ୍ୟକ୍ତି ଶ୍ରୀମନ୍ଦିର ପରିସରରେ ନୃତ୍ୟ କରିପାରିବେ ନାହିଁ। ବେଦପାଠୀମାନେ କର୍ଡନ୍ ବାହାରେ ରହି ବେଦପାଠ କରିବେ ଓ ଏହି ସମୟରେ କୌଣସି ଭକ୍ତ ତିନି ଠାକୁରଙ୍କୁ ସ୍ପର୍ଶ କରିପାରିବେନି। କିନ୍ତୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଓ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ। ଦର୍ଶନ ସମୟରେ ଶ୍ରୀଜିଉଙ୍କ ସମ୍ମୁଖରେ ସେବାୟତଙ୍କ ଛିଡ଼ା ହେବା ଉପରେ କଟକଣା ଜାରି କରାଯାଇଛି।
ଶ୍ରୀଜିଉମାନେ ରଥାରୁଢ଼ ହେବା ପରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଓ ତାଙ୍କ ୬ ଶିଷ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶ୍ରୀଗୁଣ୍ଡିଚା ଦିନ ସକାଳ ୭ଟା ପୂର୍ବରୁ ଅଳଙ୍କାର ସିନ୍ଧୁକ ବାଇଶିପାହାଚରେ ରଖାଯିବ। ଗଜପତି ମହାରାଜଙ୍କ ଛେରାପହଁରା ପୂର୍ବରୁ ଘଣ୍ଟୁଆମାନେ ରଥ ଉପରକୁ ଯିବେ ନାହିଁ। ତାଳଧ୍ବଜ ରଥରେ ୧୪ଜଣ, ଦେବଦଳନ ରଥରେ ୧୨ଜଣ ଓ ନନ୍ଦିଘୋଷ ରଥରେ ୧୬ଜଣ ଘଣ୍ଟୁଆ ରହିବେ। ଛେରାପହଁରା ପରେ ସଙ୍ଗେ ସଙ୍ଗେ ଚାର ଖୋଲାଯିବ। ଘୋଡ଼ା ଓ ଦଉଡ଼ି ବନ୍ଧା ନୀତି ସୀମିତ ସମୟ ଭିତରେ ଶେଷ ହେବ। ଛେରାପହଁରା ପରେ ରଥରେ ସେବା ସମ୍ପୃକ୍ତ ସେବକ ଓ କର୍ତ୍ତବ୍ୟରତ ସେବକଙ୍କୁ ମିଶାଇ ବଳଭଦ୍ରଙ୍କ ରଥରେ ୬୦ଜଣ, ସୁଭଦ୍ରାଙ୍କ ରଥରେ ୫୦ଜଣ ଓ ଶ୍ରୀଜଗନ୍ନାଥଙ୍କ ରଥରେ ୭୦ଜଣ ରହିବେ। ଏହାଠାରୁ ଅଧିକ ସେବକ ରଥ ଉପରେ ରହିବା ଉପରେ କଟକଣା ଜାରି କରାଯାଇଛି। ରଥ ଉପରକୁ ନଡ଼ିଆ, କଦଳୀ ଆଦି ପକାଇବା ଉପରେ କଟକଣା ଜାରି କରାଯାଇଛି। ରଥଟଣା ପୂର୍ବରୁ କର୍ଡନ୍ ଭିତରେ ଥିବା ଦର୍ଶନାର୍ଥୀ ଓ ଅନଧିକୃତ ବ୍ୟକ୍ତିଙ୍କୁ ବାହାର କରି ରଥଟଣା ଆରମ୍ଭ ହେବ।
ରଥ ଉପରେ ନୃତ୍ୟ କରିବା ଉପରେ କଟକଣା ଜାରି କରାଯାଇଛି। ମୋବାଇଲ୍ ନେବାରେ କଟକଣା ଲଗାଯାଇଛି। ଥଣ୍ଡା ପାନୀୟ ଜଳ, ବୋତଲ ବି ନିଷିଦ୍ଧ କରାଯାଇଛି। ରଥଟଣା ସମୟରେ କେବଳ ପ୍ରଶାସନର ଡାକବାଜି ଯନ୍ତ୍ର ବ୍ୟବହାର ହେବ। ରଥଟଣା ସମୟରେ କୌଣସି ସଂସ୍ଥା ଅବା ସଂକୀର୍ତ୍ତନମଣ୍ଡଳୀ ବ୍ୟାନର ଧରି ଆଗରେ ଠିଆ ହୋଇପାରିବେନି। ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପୂର୍ବରୁ ଯଦି ତିନି ରଥ ଅଧାବାଟରେ ଅଟକନ୍ତି, ତେବେ ସେଠାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ତିନି ରଥରେ କୌଣସି ସିଡି ପକାଯିବ ନାହିଁ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ରହିବା ପରେ ଅନଧିକୃତ ବ୍ୟକ୍ତି ରଥ ଉପରେ ଚଢ଼ିପାରିବେ ନାହିଁ । ରଥ ଚାରିପଟେ କିମ୍ବା ଶ୍ରୀଗୁଣ୍ଡିଚା ମନ୍ଦିରରେ ଦଇତାପତି ନିଯୋଗ ତରଫରୁ କୌଣସି ଦାନବାକ୍ସ ରଖାଯିବ ନାହିଁ। କିମ୍ବା ନିଯୋଗ ତରଫରୁ ଦର୍ଶନ ପାଇଁ କୌଣସି ଟିକେଟ୍ ବିକ୍ରି କରାଯିବ ନାର୍ହି। ଆବଶ୍ୟକ ହେଲେ ପ୍ରଶାସନ ନିଜ ତରଫରୁ ଦାନ ବାକ୍ସ ଲଗାଇବ।