ଭୁବନେଶ୍ୱର, ୨୮ ।୦୨: ଉଭୟ ବୋଲିଂ ଓ ବ୍ୟାଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଡିଫେଣ୍ଡିଂ ଚାମ୍ପିଅନ ସୌରାଷ୍ଟ୍ର ବିପକ୍ଷରେ ଓଡ଼ିଶା ଇନିଂସ ଓ ୧୩୧ ରନ୍ରେ ପରାଜିତ ହୋଇଛି । ଏହି ବିଜୟ ସହ ଡିଫେଣ୍ଡିଂ ଚାମ୍ପିଅନ ସୌରାଷ୍ଟ୍ର ୭ ପଏଣ୍ଟ ପାଇଛି । ଦ୍ୱିଶତକ ହାସଲ କରିଥିବା ଚିରାଗ ଜାନି (୨୩୫) ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ସୌରାଷ୍ଟ୍ର ପ୍ରଥମ ଇନିଂସରେ ୫୦୧ ରନ୍ କରି ଅଲ୍ ଆଉଟ୍ ହୋଇଥିଲା । ଜବାବରେ ଓଡ଼ିଶା ପ୍ରଥମ ଇନିଂସରେ ୧୬୫ (ଫଲୋଅନ) ଏବଂ ଦ୍ୱିତୀୟ ଇନିଂସରେ ୨୦୫ ରନ୍ରେ ସୀମିତ ରହିଥିଲା ।
ଚଳିତ ରଣଜୀ ଟ୍ରଫି (ଅହମ୍ମଦାବାଦ, ଏଲିଟ୍ ଗ୍ରୁପ୍ ଡି’)ର ଦ୍ୱିତୀୟ ରାଉଣ୍ଡର ତୃତୀୟ ଦିବସ ଶେଷ ସୁଦ୍ଧା ଓଡ଼ିଶା ଘୋର ବ୍ୟାଟିଂ ବିଫଳତାର ଶିକାର ହୋଇ ଇନିଂସ ପରାଜୟ ଦ୍ୱାରରେ ଉପନୀତ ହୋଇଥିଲା । ଚତୁର୍ଥ ଦିବସରେ ମ୍ୟାଚ୍ ବଞ୍ଚାଇବା ପାଇଁ ଦଳ ପାଖରେ ୫ଟି ୱିକେଟ୍ ସୁରକ୍ଷିତ ରହିଥିଲା । କିନ୍ତୁ ସୌରାଷ୍ଟ୍ର ବୋଲରଙ୍କୁ ସାମ୍ନା କରିବାରେ କୌଣସି ଓଡ଼ିଶା ବ୍ୟାଟ୍ସମ୍ୟାନ ସମର୍ଥ ହୋଇନଥିଲେ । ଧର୍ମେନ୍ଦ୍ର ସିଂ ଜାଡେଜା ଘାତକ ବୋଲିଂ କରି ବିପର୍ଯ୍ୟୟ ଘଟାଇଥିଲେ । ପୂର୍ବ ଦିନର ୫/୧୧୫ (ଅସମାପ୍ତ ଦ୍ୱିତୀୟ ଇନିଂସ)ରୁ ଓଡ଼ିଶା ଆଜି ଖେଳ ଆରମ୍ଭ କରି ୨୦୫ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା ।
ରାଜେଶ ଧୂପର, ଅଭିଷେକ ରାଉତ ନିରାଶ କରିଥିଲେ । ଧୂପର ୧୪ ରନ୍ କରି ପ୍ରଥମେ ପାଭିଲିୟନ ଫେରିଥିଲେ । ଅଭିଷେକ କିଛି ସମୟ ଧୈର୍ଯ୍ୟର ସହ ସୌରାଷ୍ଟ୍ରର ବୋଲରଙ୍କୁ ସାମ୍ନା କରିଥିଲେ ବି ବଡ଼ ଇନିଂସ ଖେଳିବାରେ ବିଫଳ ରହିଥିଲେ । ସେ ୪୧ ରନ୍ କରି ଆଉଟ୍ ହୋଇଥିଲେ । ରାଜେଶ ମହାନ୍ତି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୨୧ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ ୪, ବସନ୍ତ ମହାନ୍ତି ୫ ଓ ଜୟନ୍ତ ବେହେରା ୧ ରନ୍ କରିଥିଲେ ।
ଧର୍ମେନ୍ଦ୍ରଙ୍କୁ ୧୧ ୱିକେଟ୍
ଓଡ଼ିଶାର ଉଭୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ସୌରାଷ୍ଟ୍ରର ଧର୍ମେନ୍ଦ୍ରସିଂ । ସେ ପ୍ରଥମ ଇନିଂସରେ ୪ଟି ଓ ଦ୍ୱିତୀୟ ଇନିଂସରେ ୭ଟି ୱିକେଟ୍ ନେଇଥିଲେ । ଅଧିନାୟକ ଜୟଦେବ ଉନାଦକାତ (୪୍ମ୨) ଉଭୟ ଇନିଂସରେ ୬ଟି ୱିକେଟ୍ ପାଇଥିଲେ । ଓଡ଼ିଶା ସିଜନର ପ୍ରଥମ ମ୍ୟାଚ୍ରେ ଗୋଆ ବିପକ୍ଷରେ ଡ୍ର’ ରଖିଥିଲା । କିନ୍ତୁ ପ୍ରଥମ ଇନିଂସ ଅଗ୍ରଣୀ ହୋଇ ୩ ପଏଣ୍ଟ ପାଇଥିଲା ।