ଜୟପୁର ୨୪/୦୨ : ସମାଜରେ ଭଲ ଲୋକ ଅଛନ୍ତି, ଖରାପ ଲୋକ ବି ଅଛନ୍ତି। ଭଲ ଲୋକଙ୍କ ଚିନ୍ତାଧାରା ସମାଜ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏମିତି ଏକ ଖବର ଆସିଛି ରାଜସ୍ଥାନ ଵୁନ୍ଦି ଜିଲ୍ଲାରୁ। ଏକ ସ୍କୁଲର ପ୍ରଧାନଶିକ୍ଷକ ଥିବା ବ୍ରୁଜମୋହନ ମିଣା ନିଜ ପୁଅର ନିର୍ବନ୍ଧ କାର୍ଯ୍ୟକ୍ରମରେ ମାତ୍ର ୧୦୧ ଟଙ୍କା ଶାଗୁଣ ଗ୍ରହଣ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କୁ ଯୌତୁକର ୧୧ ଲକ୍ଷ ମିଳିଥିଲା। କିନ୍ତୁ ସେ ଫେରାଇ ଦେଇଥିଲେ ଓ କହିଥିଲେ ତାଙ୍କୁ ଯୌତୁକ ନୁହେଁ କେବଳ ଝିଅ ଦରକାର।

ଵୁନ୍ଦି ଜିଲ୍ଲା ଖଜୁରୀ ପଞ୍ଚାୟତ ପିପାରଵାଲା ଗାଁରେ ରହୁଥିବା ବ୍ରୁଜମୋହନ ମିଣା ନିଜ ପୁଅ ବାହାଘର ଟୋଙ୍କ ଜିଲ୍ଲାର ଏକ ଗାଁରେ ଠିକ କରିଛନ୍ତି। ବ୍ରୁଜମୋହନ ମିଣା ବର୍ତ୍ତମାନ ଅବସର ହୋଇସାରିଛନ୍ତି। ମଙ୍ଗଳବାର ଦିନ ରାଙ୍କ ପୁଅର ନିର୍ବନ୍ଧ ଥିଲା। ସେ ପରିବାର ସହ ଝିଅ ଘରେ ପହଞ୍ଚିଥିଲେ। ଝିଅ ପିତା ଏକ ଥାଳିରେ ୧୧ ଲକ୍ଷ ଟଙ୍କା ରଖି ତାଙ୍କୁ ଦେଇଥିଲେ।

ବ୍ରୁଜମୋହନ ମିଣା କହିଥିଲେ ତାଙ୍କୁ ଯୌତୁକ ଦରକାର ନାହିଁ କେବଳ ଝିଅ ଦରକାର। ସେଠାରେ ଉପସ୍ଥିତ ଲୋକେ କହିଥିଲେ ପରମ୍ପରା ଅନୁସାରେ ତାଙ୍କୁ ଏହି ଟଙ୍କା ଦିଆଯାଇଛି। ବ୍ରୁଜମୋହନ ମାତ୍ର ୧୦୧ ଟଙ୍କା ରଖି ବାକିତକ ଟଙ୍କା ଫେରାଇ ଦେଇଥିଲେ। ଏସବୁ ଦେଖି ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଖୁବ ପ୍ରଶଂସା କରିଥିଲେ। ସମସ୍ତଙ୍କୁ ଏଥିରୁ କିଛି ଶିଖିବା ଉଚିତ ବୋଲି ଲୋକେ କହିଥିଲେ।

ବାହାଘର ଠିକ ହୋଇଥିବା ଝିଅ ଏସବୁ ଜାଣି ଖୁସି ହୋଇଥିଲେ ଏବଂ କହିଥିଲେ ତାଙ୍କ ଶ୍ୱଶୁର ତାଙ୍କ ମାନସମ୍ମାନ ବଢ଼ାଇ ଦେଇଛନ୍ତି। ଏମିତି ପିତା ସମାନ ଶ୍ୱଶୁର ପାଇବା ତାଙ୍କର ସୌଭାଗ୍ୟ ବୋଲି ସେ କହିଥିଲେ। ଯୌତୁକ ଟଙ୍କା ଫେରାଇ ସେ ସମାଜକୁ ଏକ ବହୁତ ଭଲ ସନ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ଏହି ପଦକ୍ଷେପ ଦ୍ୱାରା ସମାଜରେ ଝିଅମାନଙ୍କ ସମ୍ମାନ ବଢିବ। ସେହି ଅଞ୍ଚଳରେ ଏହା ପ୍ରଥମ ମାମଲା ବୋଲି କୁହାଯାଉଛି।

