ନୂଆଦିଲ୍ଲୀ: ଆଜି କରୋନା ଟିକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି, ଯେଉଁଠି ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଏବଂ ଅନ୍ୟ ଗମ୍ଭୀର ରୋଗରେ ପୀଡ଼ିତ ଥିବା ଲୋକଙ୍କୁ କରୋନା ଟିକା ଦିଆଯାଉଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟିକାକରଣ ଅଭିଯାନରେ ସାମିଲ ହୋଇଥିବା ବେଳେ କଂଗ୍ରେସ ନେତା ମଲ୍ଲିକାର୍ଜୁନ୍ ଖଡଗେ ଟିକା ନେବାକୁ ମନା କରିଦେଇଛନ୍ତି।
ତାଙ୍କ କହିବା ମୁତାବକ, ମୋତେ ୭୦ଟପିଲାଣି। ତୁମମାନଙ୍କୁ ଯୁବପିଢ଼ିକୁ କରୋନା ଟିକା ଦେବା କଥା, ଯେଉଁମାନଙ୍କୁ ଆଗକୁ ଅନେକ ବର୍ଷ ବଞ୍ଚିବାକୁ ଅଛି। ମୁଁ ଆଗକୁ ମାତ୍ର ୧୦-୧୫ବର୍ଷ ବଞ୍ଚିବି ଯଦି ବଞ୍ଚିବି। ମୋତେ ଟିକା ଦେଇ ଲାଭ ନାହିଁ।
ଅନ୍ୟପକ୍ଷରେ, କୋଭିଡ -୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ କହିଛନ୍ତି ଯେ, ତାଙ୍କୁ ଟିକା ନେବାର ଆବଶ୍ୟକତା ନାହିଁ। ସେ ଟୁଇଟ କରି କହିଛନ୍ତି ଯେ, ଆଜି ସାଧାରଣ ଲୋକଙ୍କ ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କୌଣସି ଚିନ୍ତା ନକରି ଲୋକଙ୍କୁ ଟିକା ନେବା ଦରକାର। କିନ୍ତୁ ମୁୁଁ କରୋନା ଆକ୍ରାନ୍ତ ହୋଇ ମଧ୍ୟ ଟିକାର ଡୋଜ ଗ୍ରହଣ କରିପାରିବି ନାହିଁ, କାରଣ ମୋର ଆଣ୍ଟିବଡି ଗଣନା ୩୦୦ରେ ପହଞ୍ଚିଛି, ଯାହା ବହୁତ ଅଧିକ। ବୋଧ ହୁଏ ପରୀକ୍ଷାମୂଳକ ଭାବେ ମୁଁ ଯେଉଁ ଟିକା ନେଇଥିଲି, ତା’ର ପ୍ରଭାବରେ ଏଭଳି ହୋଇଥାଇପାରେ। ତେଣୁ, ମୋତେ ବର୍ତ୍ତମାନ ଟିକା ଦରକାର ନାହିଁ।
ତେବେ ଆଜି ଟିକାକରଣ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ରାଜନେତା କୋଭିଡ -୧୯ ଟିକା ଗ୍ରହଣ କରିଛନ୍ତି।