ରାଜ୍ୟ

ଯୁଗଯୁଗର ଯନ୍ତ୍ରଣା

ଡମ୍ବରୁଧର ନାୟକ

ସୁନ୍ଦରଗଡ଼: ଦେଶର ବୃହତ୍ତର ସ୍ବାର୍ଥ ପାଇଁ ନିଜ ପିତୃପୁରୁଷ ଅର୍ଜିଥିବା ଭିଟାମାଟି, ପଦର, ଜମି, ଘରବାଡ଼ି, ଗାଁ ଟେକିଦେଇ ଏକପ୍ରକାର ନିଃସ୍ବ ପାଲଟିଥିବା ବିସ୍ଥାପିତଙ୍କ ତ୍ୟାଗର ମୂଲ୍ୟ କେତେ! ସୁନ୍ଦରଗଡ଼ର ବିସ୍ଥାପିତଙ୍କ ଯନ୍ତ୍ରଣାକୁ ଦେଖିଲେ ଏହାର ଉତ୍ତର ମିଳିଯିବ। ହେମଗିରର ଏମ୍‌ସିଏଲ୍, ଏନ୍‌ଟିପିସି, ଓସିପିଏଲ୍, ଜାମକାନି କୋଇଲାଖଣି ସହ କୁତ୍ରାର ଜେଏସ୍‌ଡବ୍ଲୁ ସିମେଣ୍ଟ, ରାଜଗାଙ୍ଗପୁରର ଡିସିବିଏଲ୍, ରାଉରକେଲାର ଇସ୍ପାତ କାରଖାନା ସବୁଠି ସ୍ଥିତି ସମାନ। ହେମଗିର ଅଞ୍ଚଳରେ ଏସିଆର ଦ୍ବିତୀୟ ସର୍ବବୃହତ ମହାନଦୀ ଖୋଲାମୁହଁ କୋଇଲାଖଣି (ଏମ୍‌ସିଏଲ୍) ୨୭ ବର୍ଷ ଧରି କୋଇଲା ଉତ୍ତୋଳନ କରିଚାଲିଛି। ବସୁନ୍ଧରା ପୂର୍ବ, ପଶ୍ଚିମ ପରେ କୁଲଡ଼ା, ଗର୍ଜନବାହାଲ ଓ ଏବେ ସିଆରମାଲ ଖଣି ଖୋଳି ଚାଲିଥିବା ଏମ୍‌ସିଏଲ୍‌ରେ ବିସ୍ଥାପିତଙ୍କୁ ଏଯାଏଁ ନ୍ୟାୟ ମିଳିନାହିଁ। ୧୯୮୬ରୁ ଆରମ୍ଭ ହୋଇଥିବା ବିସ୍ଥାପିତଙ୍କ ସଂଘର୍ଷ ଏବେ ବି ଜାରିରହିଛି। ଅନ୍ୟପକ୍ଷରେ ପ୍ରସ୍ତାବିତ ୧୮ଟି ଖଣି ଖୋଲିଲା ପରେ ଉଭୟ ବିସ୍ଥାପନ ଓ ଜଙ୍ଗଲ ନଷ୍ଟ ବହୁଗୁଣ ବଢ଼ିଯିବ।

ଏମ୍‌ସିଏଲ୍‌ରେ ବିଭିନ୍ନ ଗାଁରୁ ୩୩୪୪ ସମେତ ତୁମୁଲିଆ, ଝୁପୁରୁଙ୍ଗା, ରତନସରା, କିରିପସିରାର ମଧ୍ୟ ୩ ହଜାର ପରିବାର ବିସ୍ଥାପିତ ହେବେ। ୧୪ ଖଣ୍ଡ ଗାଁ ବିସ୍ଥାପିତଙ୍କୁ ୯ ମାସ ମଧ୍ୟରେ କ୍ଷତିପୂରଣ ଓ ପୁନର୍ବାସ, ଥଇଥାନ ସୁବିଧା ପ୍ରଦାନ ଶେଷ କରିବାକୁ ୨୦୨୨ ନଭେମ୍ବର ୩ରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। କିନ୍ତୁ ମାସ ମାସ ବିତିଯିବା ପରେ ବି ଏ ଦୁଇ ଗାଁର ହାତଗଣତି ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଇଛି। ତୁମୁଲିଆ, ଝୁପୁରୁଙ୍ଗା, ରତନସରା ଓ କିରିପସିରା ବିସ୍ଥାପିତଙ୍କ ପାଇଁ ଏଯାଏଁ ଥଇଥାନ ଓ ପୁନର୍ବାସ ସ୍ଥାନ ବା ଗୃହନିର୍ମାଣ ଭୂମି ଚୂଡ଼ାନ୍ତ କରାଯାଇ ନାହିଁ। ସେହିପରି ଜଣକୁ ବି ବିସ୍ଥାପନ ପ୍ରମାଣପତ୍ର ପ୍ରଦାନ କରାଯାଇନାହିଁ। ଏନ୍‌ଟିପିସି ଡୁଲିଙ୍ଗା ଓ ଓସିପିଏଲ୍ କୋଇଲାଖଣିରେ ବିସ୍ଥାପିତ ପରିବାରର ବିବାହିତ ଝିଅମାନଙ୍କୁ ପୁନର୍ବାସ ଓ ଥଇଥାନ ସୁବିଧା ଦେବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ତାକୁ ଉଭୟ କମ୍ପାନି ଓ ପ୍ରଶାସନ ଅଣଦେଖା କରିଚାଲିଛନ୍ତି। ରାଜସ୍ବ ସଚିବଙ୍କ ଚିଠି, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ବେ କମ୍ପାନି, ପ୍ରଶାସନ ଦିନ ଗଡ଼ାଇ ନେଉଛନ୍ତି। ଅନ୍ୟ ପକ୍ଷରେ ପ୍ରଭାବିତ ଶତାଧିକ ଝିଅ ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ। ସେହିପରି ଏନ୍‌ଟିପିସି ଡୁଲିଙ୍ଗା ଖଣି କ୍ଷତିପୂରଣରୁ ବଞ୍ଚିତ କରିବା ପାଇଁ ଭୂମିହୀନ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ମିଳିଥିବା ଜଙ୍ଗଲଜମି ଶିରୋନାମାକୁ ୬ ବର୍ଷ ପରେ ପ୍ରଶାସନ ଷଡ଼୍‌ଯନ୍ତ୍ର କରି ଖାରଜ କରିଦେବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜାମକାନି କୋଇଲାଖଣିରେ ମଧ୍ୟ ସେହି ସମାନ ଅବସ୍ଥା। କ୍ଷତିପୂରଣ, ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା ନକରି ଖଣିଖୋଳା ଚାଲିଛି।

୧୯୫୯ରେ ପ୍ରତିଷ୍ଠିତ ରାଉରକେଲା ଇସ୍ପାତ କାରଖାନା ପାଇଁ ରାଉରକେଲା, ପୁରୁଣା ରାଉରକେଲା, ଦୁର୍ଗାପୁର, ଛେଣ୍ଡ, ପ୍ରଧାନପାଲି, ବାଙ୍କିଆ, ଲୁଆକେରା, ତୁମକେଲା, ହମିରପୁର, ଟାଙ୍ଗରପାଲି, ବିଜୁବନ୍ଧ, ମନ୍ଦିରାଡ୍ୟାମ ଅଞ୍ଚଳର ୪୦୯୪ରୁ ଅଧିକ ପରିବାର ବିସ୍ଥାପିତ ହୋଇଥିଲେ। ସେମାନଙ୍କ ଥଇଥାନ କଲୋନିରେ ମୌଳିକ ସୁବିଧା କିଛି ନଥିବାବେଳେ ୧୫ ବର୍ଷ ହେଲା ନ୍ୟାଯ୍ୟ ନିଯୁକ୍ତି ପାଇଁ ୨ ହଜାର ୬୧ ବିସ୍ଥାପିତ ସଂଘର୍ଷ ଜାରିରଖିଛନ୍ତି। ଏପରିକି ପାରିପାର୍ଶ୍ବିକ ବିକାଶ ଓ ଥଇଥାନ ଉପଦେଷ୍ଟା କମିଟି ୧୬୩ ଜଣଙ୍କ ନିଯୁକ୍ତି ପାଇଁ ୬ ଥର ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ। ସବୁକିଛି ଟେକିଦେଇ ଏବେ ଜୀବନରେ ସଂଘର୍ଷ କରୁଛନ୍ତି ବିସ୍ଥାପିତ। ତ୍ୟାଗର ଏହା ହିଁ ସବୁଠାରୁ ବଡ଼ ବିଡ଼ମ୍ବନା!

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।