ରାଜ୍ୟ

ଯାଜପୁର ଟ୍ରେନ୍‌ ଦୁର୍ଘଟଣା: ବନ୍ଦାଳରେ ଚୁଲି ବଦଳରେ ଜଳିଲା ଜୁଇ

ଯାଜପୁର/ପାଣିକୋଇଲି/ବୈତରଣୀରୋଡ଼ : ଜୀବିକା ପାଇଁ ଆସି ୬ଜଣ ଶ୍ରମିକଙ୍କ ଜୀବନ ଚାଲିଗଲା। ଯାଜପୁରରୋଡ଼ ‌ଷ୍ଟେସନ ନିକଟ ଚୂନଭାଟି ପ୍ଲଟ୍ ନିକଟରେ କାଳବୈଶାଖୀରେ ପରିତ୍ୟକ୍ତ ବଗି ଅଚାନକ ମାଡ଼ି ଯିବାରୁ କୋରେଇ ବ୍ଲକ୍ ବନ୍ଦାଳ ଓ ମୁକୁନ୍ଦପୁର ପଞ୍ଚାୟତର ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ଏହାପରଠାରୁ ବନ୍ଦାଳ ପଞ୍ଚାୟତର ବାଲିଆପାଳ, ଗହ୍ମାରିଆ ଓ ଓଶାଳା ଗ୍ରାମରେ ଚୁଲି ଜଳିନାହିଁ।

ଦୁଘର୍ଟଣାରେ ପ୍ରାଣ ହରାଇଥିବା ବାଲିଆପାଳ ଗ୍ରାମର ଶ୍ରମିକ ପ୍ରଶାନ୍ତ ଜେନା(୪୫)ଙ୍କର ୩ ଝିଅ ଓ ଗୋଟିଏ ପୁଅ। ବଡ଼ଝିଅ ଭିନ୍ନକ୍ଷମ। ପ୍ରଶାନ୍ତଙ୍କ ମୃତ୍ୟୁ ଯୋଗୁ ପରିବାର ‌ଏବେ ବେସାହାରା। ସେହିପରି ଦାଦାପୁଅ ଭାଇ ସୁଶାନ୍ତ ଜେନା(୫୨)ଙ୍କର ଦେହାନ୍ତ ତାଙ୍କ ଭୂମିହୀନ ପରିବାର ପାଇଁ ନାହିଁନଥିବା ସ୍ଥିତି ସୃଷ୍ଟି କରିଛି। ଘରେ ବିବାହ ପାଇଁ ଥିବା ଝିଅ ଓ ପୁଅକୁ ନେଇ ପତ୍ନୀ ଜୟନ୍ତୀ ଭାଗ୍ୟକୁ ନିନ୍ଦୁଛନ୍ତି। ଅନ୍ୟତମ ସମ୍ପର୍କୀୟ ଭାଇ ଭୀମସେନ ଜେନା(୫୫) ମଧ୍ୟ ଏହି ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି। ଭୀମସେନ ଗରିବ ହେଲେ ବି ପିଲାମାନଙ୍କୁ ଶିକ୍ଷା ଦେଇ ମଣିଷ କରିବାର ଆଶା ରଖିଥିଲେ। ଅଧା ବାଟରୁ ହାତ ଛାଡ଼ି ଚାଲିଗଲେ ବୋଲି ପତ୍ନୀ ସୁମତୀ ବାହୁନି ବାହୁନି କାନ୍ଦୁଛନ୍ତି।

ଗହ୍ମାରିଆ ଗାଁର ମାନସ ସାମଲ(୩୫)ଙ୍କ ଦେହାନ୍ତ ବୃଦ୍ଧ ବାପା ଅଭିରାମ ଓ ପତ୍ନୀ ରଶ୍ମିତାଙ୍କୁ ମୂକ କରି ଦେଇଛି। ୨ଶିଶୁ ପୁତ୍ର ମୁକେଶ(୪) ଓ ମୟଙ୍କ(୪ମାସ) ତାଙ୍କ ସୁରକ୍ଷା କବଚ ବାପା ଆଉ ନାହାନ୍ତି ବୋଲି ଜାଣି ପାରୁନାହାନ୍ତି। ମାନସଙ୍କ ଦାଦା ଗୌତମ ସାମଲ(୬୪)ଙ୍କ ଦେହାନ୍ତ ମଧ୍ୟ ଅଞ୍ଚଳବାସୀଙ୍କୁ କମ ଆଘାତ ଦେଇନାହିଁ। ଗୌତମଙ୍କର ୩ ଝିଅ ବିବାହ କରିଥିବା ବେଳେ ଆଉ ଏକ ଝିଅ ବିବାହ ଅପେକ୍ଷାରେ। ପୁଅ କମ୍ପାନିରେ କାର୍ଯ୍ୟରତ। ଆଜି ପୁଅ ହରେକୃଷ୍ଣ ପହଞ୍ଚିବା ପରେ ଗୌତମଙ୍କର ମରଶରୀର ଦାହ ହୋଇଥିଲା। ବନ୍ଦାଳ ପଞ୍ଚାୟତର ୫ଜଣ ଶ୍ରମିକଙ୍କର ଏକକାଳୀନ ଅକାଳ ମୃତ୍ୟୁ ଗମ୍ଭୀର ବାତାବରଣ ସୃଷ୍ଟି କରିଛି।

ସେହିପରି, ମୁକୁନ୍ଦପୁର ପଞ୍ଚାୟତର ଓଶଳା ଗ୍ରାମର ଦୋଳଗୋବିନ୍ଦ ପ୍ରଧାନ(୫୫)ଙ୍କ ମୃତ୍ୟୁ ମା’ ସାବିତ୍ର ଦେବୀଙ୍କୁ ଦାରୁଣ ଆଘାତ ଦେଇଛି। ଝିଅ ବିବାହିତ ହୋଇଥିବା ବେଳେ ପତ୍ନୀ ପୁଷ୍ପଲତା ଓ ପୁଅକୁ ନେଇ ଦୋଳଗୋବିନ୍ଦ ପରିବାର ଦୁଃଖକଷ୍ଟରେ ଚଳିଯାଉଥିଲା। ଏବେ ପରିବାର ଚିନ୍ତା ଦୋଳଗୋବିନ୍ଦଙ୍କ ଭାଇ କାର୍ତ୍ତିକଙ୍କ ଉପରେ।

ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସରୁ ପ୍ରତି ମୃତ ପରିବାରକୁ ୨୦ ହଜାର ଟଙ୍କା ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝି ପ୍ରଦାନ କରିଛନ୍ତି। ସେହିପରି, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସ୍ଥାନୀୟ ବିଧାୟକ ଅଶୋକ ବଳ ଓ ଭାଇ ଭବ ପ୍ରକାଶଦାସଙ୍କ ସହିତ ଶୋକସନ୍ତପ୍ତ ପରିବାରକୁ ସମ‌ବେଦନା ଜଣାଇବା ସହିତ ୧ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଇଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।