ରାଜ୍ୟ

ଯାଆଁଳା ଶିଶୁଙ୍କୁ ହତ୍ୟା ଘଟଣା: କୂଅରେ ଜିଅନ୍ତା ଫିଙ୍ଗି ଦେଇଥିଲା ମା’

ଅନୁଗୁଳ: ମାତ୍ର ୩ ମାସର ଶିଶୁ। ଜୀବନ କଣ ଜାଣି ନଥିଲେ। ହେଲେ ଏହା ପୂର୍ବରୁ ମା ହାତରେ ଚାଲିଗଲା ଦୁଇ ନିଷ୍ପାପ ଯାଆଁଳା ଭାଇ, ଭଉଣୀଙ୍କ ଜୀବନ। ଜିଅନ୍ତା ଅବସ୍ଥାରେ ମା ହିଁ ଉଭୟଙ୍କୁ କୂଅରେ ଫିଙ୍ଗିଦେଲା। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତର ମୁଣ୍ଡାଢିପ ଗାଁରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା। ମାତ୍ର ୩ ମାସର ଦୁଇ ଛୁଆଙ୍କୁ ହତ୍ୟା କରିଥିବା ତପସ୍ବିନୀ ସାହୁ ନିଜେ ଦୋଷ ସ୍ବୀକାର କରିନେବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏପଟେ ତପସ୍ବିନୀଙ୍କ ମାନସିକ ଅବସ୍ଥା ଭଲ ନ ଥିବାରୁ ସେ ଏମିତି କାଣ୍ଡ ଭିଆଇଥିବା କହିଛି ପୁଲିସ।

ମୁଣ୍ଡାଢିପର ସୁନୀଲ କୁମାର ସାହୁ(୩୯)ଙ୍କ ୩ ମାସର ଯମଜ ସନ୍ତାନ ମଂଜିତ ରୋଶନ ସାହୁ ଓ ମୈଥିଳି ସାହୁ ଘର ପାଖ କୂଅରେ ପଡ଼ିଥିବା ଅବସ୍ଥାରେ ଘର ଲୋକ ବୁଧବାର ସନ୍ଧ୍ୟାରେ ଦେଖିଥିଲେ। ସେମାନଙ୍କୁ ଉଦ୍ଧାର କରି ବନ୍ତଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏଥିନେଇ ସୁନୀଲଙ୍କ ଅଭି‌ଯୋଗ କ୍ରମେ ବନ୍ତଳା ଥାନା ପୁଲିସ ୩୨/୨୪ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରିବାର କିମ୍ବା ସଂପର୍କୀୟ ଏହି ହତ୍ୟାକାଣ୍ଡ ଭିଆଇଥିବା ନେଇ ପୁଲିସ ଆରମ୍ଭରୁ ସନ୍ଦେହ କରିଥିଲାବେଳେ ବୁଧବାର ରାତିରେ ଘରଲୋକଙ୍କୁ ପଚରାଉଚରା କରିଥିଲା। ଏପଟେ ଗୁରୁବାର ସକାଳେ ସୁନୀଲଙ୍କ ପତ୍ନୀ ତପସ୍ବିନୀ ସାହୁ(୨୭) ନିଜ ସନ୍ତାନଙ୍କୁ ହତ୍ୟା କରିଥିବା ନେଇ ଘର ଲୋକଙ୍କୁ କହିଥିଲେ। ପରେ ପୁଲିସ ତାଙ୍କୁ ଉଠାଇ ନେଇ ଜେରା କରିଥିଲା। ଏହି ସମୟରେ ସେ ସମାନ କଥା ଦୋହରାଇବା ସହ ଦୁଇ ଛଆଙ୍କୁ ଜିଅନ୍ତା କୂଅରେ ପକାଇ ଦେଇଥିବ‌ା କହିଥିଲେ।

ସୂଚନା ଅନୁସାରେ, ସୁନୀଲ ଓ ତପସ୍ବିନୀ ବିବାହ କରିବାର ୧୦ ବର୍ଷ ପର୍ଯ୍ୟନ୍ତ ପିଲାଛୁଆ ହୋଇ ନଥିଲା। ତେଣୁ ସେମାନେ ଡାକ୍ତରଙ୍କ ପରାମର୍ଶ ନେଇ ଆଇଭିଏଫ୍‌ (ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ୍‌) ପଦ୍ଧତିର ସହାୟତା ‌ନେଇଥିଲେ। ଗତ ଅକ୍ଟୋବର ୧୧ରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତପସ୍ବିନୀ ଯମଜ ସନ୍ତାନକୁ ଜନ୍ମ ଦେଇଥିଲେ। ଏହାକୁ ନେଇ ପରିବାରରେ ଖୁସିର ଲହରି ଖେଳି ଯାଇଥିଲା। ତେବେ ବୁଧବାର ସନ୍ଧ୍ୟାରେ ଘରେ କେହି ନ ଥିବାବେଳେ ଦୁଇ ଛୁଆଙ୍କୁ ଧରି ଘର ପଛପାଖରେ ଥିବା ଖୋଲା କୂଅରେ ପକାଇ ଦେଇଥିଲେ ତପସ୍ବିନୀ। ପରିବାର ଲୋକେ ଦୁଇ ଛୁଆକୁ ନ ପାଇବା ପରେ ଖୋଜାଖୋଜି କରିଥିଲେ। ଏହି ସମୟରେ ଘର ପାଖ କୂଅରେ ସେମାନେ ପଡ଼ିଥିବା ଦେଖିବାକୁ ମିଳିଲା। ଦୁଇ ଛୁଆଙ୍କ ମୃତ୍ୟୁ ପରେ ଘର କାନ୍ଦବୋବାଳିରେ ଫାଟି ପଡ଼ିଥିଲା ବେଳେ ଖୋଦ୍‌ ତପସ୍ବିନୀ ମଧ୍ୟ ପ୍ରବଳ କାନ୍ଦିଥିଲେ। ତେଣୁ ତାଙ୍କ ଉପରକୁ କାହାର ସନ୍ଦେହ ଯାଇ ନଥିଲା। କିନ୍ତୁ ପୁଲିସ ତଦନ୍ତ ଭୟରେ ଆଜି ସକାଳୁ ସ୍ବାମୀଙ୍କ ଆଗରେ ସବୁ ସତ କଥା କହି ଦେଇଥିଲେ। ଦୁଇ ଛୁଆଙ୍କୁ ଜନ୍ମ ଦେବା ପରେ ତପସ୍ବିନୀଙ୍କ ମାନସିକ ଅବସ୍ଥା ସାମାନ୍ୟ ବିଗିଡ଼ି ଯାଇଥିଲା। ସେ ଚିଡ଼ିଚିଡ଼ା ସ୍ବଭାବର ହୋଇ ଯାଇଥିଲେ। ହେଲେ ଘର ଲୋକ ଏହାକୁ ଅଧିକ ଗୁରୁତ୍ବ ଦେଇ ନଥିଲେ। କିନ୍ତୁ ଦୁଇ ଛୁଆଙ୍କୁ ନେଇ ତପସ୍ବିନୀ ବିଲ୍‌କୁଲ ଖୁସି ନ ଥିଲେ। ଏପରିକି ଏହା ନିଜ ଛୁଆ ନୁହେଁ ବୋଲି ପାଖ ପଡ଼ିଶାଙ୍କୁ କହୁଥିଲେ। ତେଣୁ ସେ ଏମିତି କଠୋର ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି। ଅନୁଗୁଳ ଏସ୍‌ଡିପିଓ ରମାକାନ୍ତ ମହାଳିକଙ୍କ କହିବାନୁସାରେ, କିଛି ଦିନ ହେଲା ତପସ୍ବିନୀଙ୍କ ମାନସିକ ସ୍ଥିତି ଭଲ ନ ଥିଲା। ଏପରିକି ସେ ଛୁଆଙ୍କର ଠିକ୍‌ ଭାବେ ଯତ୍ନ ନେଉ ନଥିଲେ। ଶେଷରେ ଗତକାଲି ସନ୍ଧ୍ୟାରେ ଦୁଇ ଛୁଆଙ୍କୁ କୂଅରେ ପକାଇ ହତ୍ୟା କରିଛନ୍ତି। ତାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସେ କହିଛନ୍ତି। ଏପଟେ ଦୁଇ ଶିଶୁଙ୍କ ମୃତଦେହ ବ୍ୟବଚ୍ଛେଦ କରାଇ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଶୋକାକୁଳ ପରିବେଶରେ ଦୁଇ ଶିଶୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।