ରାଜ୍ୟ

ଯନ୍ତ୍ରପାତି କିଣା ବିବାଦ: ଆରମ୍ଭ ହୋଇପାରୁନି ଢେଙ୍କାନାଳ ସମନ୍ବିତ ଆୟୁଷ ହସ୍ପିଟାଲ

ଭୁବନେଶ୍ବର : ରାଜ୍ୟର ସରକାରୀ ଡାକ୍ତରଖାନା ପାଇଁ ଆବଶ୍ୟକ ଔଷଧ ଓ ଯନ୍ତ୍ରପାତି କିଣିବାର ନୋଡାଲ ଏଜେନ୍ସି ହେଉଛି ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସିଏଲ୍‌)। ଏଲୋପ୍ୟାଥିକ ସମେତ ଆୟୁଷ, ଫାର୍ମାସି ପାଇଁ ଆବଶ୍ୟକ ଯନ୍ତ୍ରପାତି ଔଷଧ ମଧ୍ୟ ନିଗମ କିଣିଥାଏ। ହେଲେ ଆୟୁଷ ନିର୍ଦେଶାଳୟ-ଔଷଧ ନିଗମକୁ ନେଇ ଏକ ଅଜବ ବିବାଦ ସୃଷ୍ଟି ହୋଇଛି। ଆୟୁଷ ହସ୍ପିଟାଲ ପାଇଁ ଯନ୍ତ୍ରପାତି କିଏ କିଣିବ ତାହା ସ୍ଥିର ହୋଇପାରୁନାହିଁ। ଏହି ବିବାଦ ପାଇଁ ଢେଙ୍କାନାଳରେ ନିର୍ମାଣ ହୋଇଥିବା ସମନ୍ବିତ ଆୟୁଷ ହସ୍ପିଟାଲ ଓ ରାଜଧାନୀରେ ହୋମିଓପ୍ୟାଥିକ ଔଷଧ ପରୀକ୍ଷାଗାର କାର୍ଯ୍ୟକ୍ଷମ ବିଳମ୍ବ ହେବାରେ ଲାଗିଛି।

ଢେଙ୍କାନାଳଠାରେ ଜାତୀୟ ଆୟୁଷ ମିସନ୍‌(ନାମ୍‌) ସହାୟତାରେ ୫୦ ଶଯ୍ୟା ବିଶିଷ୍ଟ ଏକ ସମନ୍ବିତ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ୨୦୧୬-୧୭ ମସିହାରୁ ହସ୍ପିଟାଲ ନିର୍ମାଣ ପାଇଁ ଅର୍ଥ ଆସିଥିଲା। ଏଥିପାଇଁ ମୋଟ ୧୪କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ହସ୍ପିଟାଲରେ କାଜୁଆଲ୍‌ଟି, ଲେବର ରୁମ୍, ଓଟି, ପଞ୍ଚକର୍ମ ଥେରାପି ରୁମ୍, ଯୋଗ, ସର୍ଜରି, ଇଏନ୍‌ଟି, ମେଡିସିନ୍‌, ଜେରିଆଟିକ୍ ସୁବିଧା ମିଳିବା କଥା। ଇତିମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ହେଲେ ଆବଶ୍ୟକ ଯନ୍ତ୍ରପାତି ଏ ପର୍ଯ୍ୟନ୍ତ କିଣାଯାଇନାହିଁ। ଆୟୁଷ ନିର୍ଦେଶାଳୟ ପକ୍ଷରୁ ଔଷଧ ନିଗମକୁ ଏକାଧିକ ଚିଠି ଲେଖା ହୋଇଥିଲେ ବି ଏହାର ସମାଧାନ ହୋଇପାରିନାହିଁ। କୋଟି କୋଟି ଟଙ୍କାରେ ନିର୍ମିତ ହୋଇଥିବା ଏହି ବିଲ୍ଡିଂ ଖତ ଖାଉଛି। ଆଗକୁ ଆୟୁଷ ନିର୍ଦେଶାଳୟ ପକ୍ଷରୁ ବ୍ରହ୍ମପୁରଠାରେ ୩କୋଟି ଓ ବାଲେଶ୍ବରଠାରେ ୧କୋଟି ଟଙ୍କା ବିନିମୟରେ ସମନ୍ବିତ ଆୟୁଷ ହସ୍ପିଟାଲ ନିର୍ମାଣ ହେବାକୁ ଯାଉଛି। ୫-୬ବର୍ଷ ପୂର୍ବରୁ ଘୋଷଣା ହୋଇଥିବା ‌ଢେଙ୍କାନାଳ ହସ୍ପିଟାଲ ବର୍ତ୍ତମାନସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଏହି ବିବାଦ ପାଇଁ ନୂଆ ୨ ହସ୍ପିଟାଲ ଧାର୍ଯ୍ୟ ସମୟରେ କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା ଦେଖାଦେଇଛି।

ସେହିପରି ୨୦୧୮ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀରେ ଥିବା ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ହୋମିଓପ୍ୟାଥିକ ଔଷଧ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ଶୁଭ ଦିଆଯାଇଥିଲା। ଦିଲ୍ଲୀର ଗାଜିଆବାଦ୍ ପରେ ଏହା ହେଉଛି ଦେଶର ଦ୍ବିତୀୟ ହୋମିଓପ୍ୟାଥିକ ପରୀକ୍ଷାଗାର। ଏହାର ନିର୍ମାଣ ପାଇଁ ୩କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ପ୍ରତିଷ୍ଠା ହେଲେ ‌ରାଜ୍ୟରେ ହୋମିଓପ୍ୟାଥିକ ଔଷଧର ମାନ ପରୀକ୍ଷା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ। ୫ବର୍ଷ ପରେ ବି ପରୀକ୍ଷାଗାର କାର୍ଯ୍ୟକ୍ଷମ ହୋଇପାରିନି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆୟୁଷ ହସ୍ପିଟାଲ ପାଇଁ ଯନ୍ତ୍ରପାତି କିଣିବା ନେଇ ରାଜ୍ୟ ଔଷଧ ନିଗମରେ ଆବଶ୍ୟକ ବିଶେଷଜ୍ଞଙ୍କ ଅଭାବ ଦର୍ଶାଇ ଦାୟିତ୍ବ ରାଜ୍ୟ ଆୟୁଷ ନିର୍ଦେଶାଳୟକୁ ଠେଲି ଦିଆଯାଇଛି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୁଷ ନିର୍ଦେଶାଳୟ ଆବଶ୍ୟକ ଯନ୍ତ୍ରପାତି କିଣିବା ନେଇ କୌଣସି ନିର୍ଦେଶନାମା ନ ଥିବାରୁ ନିର୍ଦେଶାଳୟ ମଧ୍ୟ କିଛି ନିଷ୍ପତ୍ତି ନେଇପାରୁନାହିଁ।
ରାଜ୍ୟ ଔଷଧ ନିଗମର ଜଣେ ଅଧିକାରୀ କହିଛନ୍ତି, ଏଲୋପ୍ୟାଥିକ ସହିତ ଆୟୁଷ ମେଡିକାଲ ପାଇଁ ଯେଉଁ ସମାନ ଯନ୍ତ୍ରପାତି ରହିଛି ତାହାକୁ ନିଗମ କିଣୁଛି। କିନ୍ତୁ ଅନ୍ୟ ସବୁ ଯନ୍ତ୍ରପାତି କିଣା ପାଇଁ ନିଗମ ପାଖରେ ବିଶେଷଜ୍ଞ ନାହାନ୍ତି। ତେଣୁ ନିଗମ ଓ ଆୟୁଷ ନିର୍ଦେଶାଳୟ କେଉଁ କେଉଁ ଯନ୍ତ୍ରପାତି କିଣିବ ତାହାକୁ ବାଣ୍ଟି ଦିଆଯାଇଛି। ନିର୍ଦ୍ଦିଷ୍ଟ ଭାବେ ଢେଙ୍କାନାଳ ଆୟୁଷ ହସ୍ପିଟାଲ ସଂପର୍କରେ କିଛି ସୂଚନା ଦେଇପାରିବି ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।