ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୋଦୀଙ୍କ ଆମେରିକା ଗସ୍ତ ପ୍ରସଙ୍ଗ-ଅପ୍ରସଙ୍ଗ ଦ୍ବନ୍ଦ୍ବ

ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୀରେ ଜଣେ ଓଜସ୍ବିନୀ ବକ୍ତା। ତେବେ ଇଂରାଜୀରେ ତାଙ୍କର ସେତେଟା ଦଖଲ ନାହିଁ। ଏପରିକି ତାଙ୍କ ସ୍ନାତକୋତ୍ତର ଡିଗ୍ରିର ବୈଧତାକୁ ନେଇ ବିରୋଧୀ କିଛିମାସ ହେଲା ତାଙ୍କୁ ଘେରିଆସୁଛନ୍ତି। ତାଙ୍କ କଟ୍ଟର ବିରୋଧୀ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତ ପ୍ରଧାନମନ୍ତ୍ରୀଙ୍କୁ ‘ମୂର୍ଖ’ ବୋଲି ବାରମ୍ବାର କହିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମୋଦୀଙ୍କ ସଦ୍ୟସମାପ୍ତ ଆମେରିକା ଗସ୍ତରେ ଭାରତର କୂଟନୈତିକ ସମ୍ପର୍କ ଦୃଢ଼ ହେଲା ନା ବିଗିଡ଼ିଲା, ସେ ନେଇ ବସ୍ତୁନିଷ୍ଠ ଆଲୋଚନା ହେବା ବଦଳରେ ସେ ଆମେରିକାରେ କେତେଥର ଭୁଲ୍ ଇଂରାଜୀ କହିଲେ ତାକୁ ନେଇ ବିରୋଧୀ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା କରୁଛନ୍ତି। ‘ଇନ୍‌ଭେଷ୍ଟିଂ-ଇନ୍-ଗର୍ଲ-ଚାଇଲ୍‌ଡ’ ବଦଳରେ ଭୁଲ୍‌ରେ ‘ଇନ୍‌ଭେଷ୍ଟିଗେଟିଂ-ଇନ୍-ଗର୍ଲ-ଚାଇଲ୍‌ଡ’ ବୋଲି କହିବା ଭିଡିଓ କିଏ ଦେଖେଇଲେଣି ତ ଆଉ କିଏ ମୋଦୀ ଭୁଲ୍ ଓ ରାହୁଳ ଗାନ୍ଧି ଠିକ୍ ଇଂରାଜୀ କହୁଥିବା କିଛି ଛୋଟଛୋଟ ଭିଡିଓର ତୁଳନା କଲେଣି। ବିନା ଟେଲିପ୍ରମ୍ପଟରରେ ମୋଦୀ ଧାଡ଼ିଏ ମଧ୍ୟ ଇଂରାଜୀ କହିପାରିବେନି ବୋଲି କେହିକେହି ଯୁକ୍ତି କଲେଣି। କେବେ ଓ କେଉଁଠି ଟେଲିପ୍ରମ୍ପଟର ହଠାତ ବନ୍ଦ ହେବା ଯୋଗୁଁ ମୋଦୀ ଏକାଧିକ ଥର ହଟହଟା ହୋଇଥିଲେ ତା’ର ହିସାବ ମଧ୍ୟ ଲୋକେ ଦେଲେଣି। ସେଥିପାଇଁ ତ ଦେଶକୁ ଜଣେ ପାଠୁଆ ପ୍ରଧାନମନ୍ତ୍ରୀ ଦରକାର ବୋଲି ମଧ୍ୟ କିଛି ଲୋକ ଲେଖିଛନ୍ତି। ଗୋଦୀ-ମିଡିଆ ନିରବ କାହିଁକି ବୋଲି ମଧ୍ୟ ପ୍ରଶ୍ନ ହୋଇଛି। ଅନ୍ୟ ପକ୍ଷରେ, ବିଶ୍ବର ଶୀର୍ଷ ନେତୃବର୍ଗଙ୍କ ମଧ୍ୟରେ ଗଣାହେବା ପାଇଁ ଇଂରାଜୀ ଜାଣିବା ଯେ ନିହାତି ଦରକାର ନାହିଁ ତାହା ମୋଦୀ ପ୍ରମାଣ କରିଥିବା ତାଙ୍କ ପ୍ରଶଂସକମାନେ ପ୍ରତ୍ୟୁତ୍ତରରେ କହିଛନ୍ତି

କାହାର ଇଂରାଜୀ ଜ୍ଞାନକୁ ନେଇ ଥଟ୍ଟାତାମସା କରିବା ଉଚିତ ନୁହେଁ ବୋଲି ଯୁକ୍ତି ହୋଇଛି। ଶାସନରେ ଦକ୍ଷତା ସହ ଇଂରାଜୀ ଜ୍ଞାନର କୌଣସି ସମ୍ପର୍କ ନାହିଁ। ଯଦି ଇଂରାଜୀ ଜ୍ଞାନ ପ୍ରଧାନମନ୍ତ୍ରୀ ପଦବିର ଯୋଗ୍ୟତା ହୁଏ, ଶଶି ଥରୁରଙ୍କୁ ପ୍ରଧାନମନ୍ତ୍ରୀ କରିଦଉନ ବୋଲି ଛିଗୁଲେଇଛନ୍ତି ବିଜେପି ସମର୍ଥକ। ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର କୂଟନୈତିକ ସଫଳତା/ବିଫଳତାକୁ ମୁଖ୍ୟ ପ୍ରସଙ୍ଗ ନ କରି ମୋଦୀ କିପରି ଇଂରାଜୀ କହିଲେ ତାକୁ ପ୍ରସଙ୍ଗ କରାଯିବା ଦ୍ବାରା ପରବର୍ତ୍ତୀ ପିଢ଼ି ପାଇଁ ଭୁଲ୍ ସଙ୍କେତ ଯିବ, ଏହା କହିଛନ୍ତି ଆଜ୍‌ ତକ୍ ଟିଭି ଚ୍ୟାନେଲ୍‌ ଆଙ୍କର ସୁଧୀର ରଂଜନ ଚୌଧୁରୀ। ସଂଖ୍ୟାଲଘୁଙ୍କ ନିରାପତ୍ତା ପ୍ରସଙ୍ଗରେ ମାର୍କିନ ମହିଳା କରିଥିବା ପ୍ରଶ୍ନ କଡ଼ା ଥିଲା ନା ମୋଦୀଙ୍କ ଉତ୍ତର କଡ଼ା ଥିଲା, ତାକୁ ଆଲୋଚନା ନ କରି ମୋଦୀଙ୍କ ଇଂରାଜୀ ଜ୍ଞାନ ବିଷୟରେ ପ୍ରଶ୍ନ କରିବା ଠିକ୍ ନୁହେଁ ବୋଲି ଯୁକ୍ତି ବାଢ଼ିଛନ୍ତି ସୁଧୀର।

ଯୁକ୍ତି ଛଳରେ କିଂବଦନ୍ତି କ୍ରିକେଟ ତାରକା କପିଳ ଦେବଙ୍କ ଉଦାହରଣ ମଧ୍ୟ ଦିଆଯାଇଛି। ସୂଚନାଯୋଗ୍ୟ, କପିଳଦେବଙ୍କୁ ଜାତୀୟ ଦଳର ଅଧିନାୟକ ଚୟନ କଲାବେଳେ ତାଙ୍କ ଇଂରାଜୀ ଜ୍ଞାନ ନଥିବା ନେଇ ଏକ ପ୍ରତିକୂଳ ମନ୍ତବ୍ୟ ତାଙ୍କ କାନରେ ପଡ଼ିବାରୁ ସେ କହିଥି‌ଲେ, ତାହା ହେଲେ ଭଲ ଇଂରାଜୀ କହୁଥିବା ଜଣେ ଅକ୍ସଫୋର୍ଡ ପାଠୁଆଙ୍କୁ ଅଧିନାୟକ କରିଦିଅ, ମୁଁ କେବଳ କ୍ରିକେଟ ଖେଳିବି। ମୋଦୀଙ୍କ କ୍ଷେତ୍ରରେ ଏହି ଯୁକ୍ତିର ପ୍ରାସଙ୍ଗିକତାକୁ ଅଗ୍ରାହ୍ୟ କରି କୁହାଯାଇଛି, ଇଂରାଜୀ ନ ଜାଣିବାରେ ଅସୁବିଧା ନାହିଁ; ତେବେ ଭଲ ଇଂରାଜୀ ଜାଣନ୍ତି ନାହିଁ ବୋଲି କପିଳଦେବଙ୍କ ପରି ମୋଦୀ ସ୍ବୀକାର କରୁନାହାନ୍ତି କାହିଁକି? ଅନେକ ବିଶ୍ବ ନେତା ନିଜନିଜ ଦେଶର ଭାଷାରେ ହିଁ ପ୍ରତିପକ୍ଷଙ୍କ ସହ କଥା ହେଉଥିବା ବେଳେ ମୋଦୀ ଇଂରାଜୀ କହିବାକୁ ଚେଷ୍ଟା କାହିଁକି କରୁଛନ୍ତି, ଲୋକହସା ହେବାକୁ ସୁଯୋଗ କାହିଁକି ଦେଉଛନ୍ତି? ଆହୁରି ମଧ୍ୟ, ପ୍ରଧାନମନ୍ତ୍ରୀ ଏମ୍‌ଏ ପାସ୍ କରିବା ଦରକାର ବୋଲି କୋଉଠି ଲେଖାନାହିଁ। ଆମ ପ୍ରଧାନମନ୍ତ୍ରୀଙ୍କ ଏମ୍‌ଏ ସାର୍ଟିଫିକେଟ୍‌ର ବୈଧତା ନେଇ ପ୍ରଶ୍ନ ଉଠିବାର ସୁଯୋଗ ସୁଦ୍ଧା କାହିଁକି ଦିଆଯିବ ବୋଲି ପାଲଟା ଯୁକ୍ତି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ