ଅକ୍ଷୟ କୁମାର ଓ ବାଣୀ କପୁରଙ୍କ ଅଭିନୀତ ଗୁପ୍ତଚର ବିଷୟବସ୍ତୁଭିତ୍ତିକ ଚଳଚ୍ଚିତ୍ର ‘ବେଲ୍ ବଟମ୍’ ଆସନ୍ତା ମେ’ ୨୮ ତାରିଖରେ ମୁକ୍ତିଲାଭ କରିବ। କରୋନା ମହାମାରୀ ଯୋଗୁଁ ଗତବର୍ଷ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରି ନଥିବା ବେଳେ ଆସନ୍ତା ମେ’ରେ ଏହା ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ରର ପ୍ରଯୋଜକ ଗ୍ୟାକି ଭାଗ୍ନାନି କହିଛନ୍ତି। ରଞ୍ଜିତ ଏମ୍ ତିୱାରିଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଲାରା ଦତ୍ତ ଓ ହ୍ୟୁମା କ୍ବିରେସିଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ପ୍ରକାଶଯୋଗ୍ୟ, କିଛି ଦିନ ତଳେ ଏପ୍ରିଲ ୨ ତାରିଖରେ ‘ବେଲ୍ ବଟମ୍’ ମୁକ୍ତିଲାଭ କରିବ ବୋଲି ଅକ୍ଷୟ ଘୋଷଣା କରିଥିଲେ। କିନ୍ତୁ ଏବେ ମେ’ରେ ଚଳଚ୍ଚିତ୍ରଟି ପରଦାକୁ ଆସିବ ବୋଲି ଜଣାପଡ଼ିଛି। ଚଳଚ୍ଚିତ୍ରର ଅଧିକାଂଶ ଭାଗ ଲଣ୍ଡନରେ ସୁଟିଂ ହୋଇଥିବା ଜଣାପଡ଼ିଛି।

