କଟକ: ପ୍ରଥମ ଥର ପାଇଁ କଟକ ମେୟର ପଦବି ପାଇଁ ହେବ ସିଧାସଳଖ ନିର୍ବାଚନ। ପୂର୍ବରୁ ୩ଟି କାଉନସିଲରେ ମେୟର ଓ ଡେପୁଟି ମେୟର ପଦବି ପାଇଁ ପରୋକ୍ଷ ନିର୍ବାଚନ ହୋଇଥିଲା। ଅର୍ଥାତ କର୍ପୋରେଟରମାନେ ବାଛିଥିଲେ ମେୟର ଓ ଡେପୁଟି ମେୟର। ଏଥର ମେୟର ପାଇଁ ଯଦିଓ ପ୍ରତ୍ୟକ୍ଷ ନିର୍ବାଚନ ହେବ, ଡେପୁଟି ମେୟର ପଦବି ପାଇଁ ପୂର୍ବଭଳି ପରୋକ୍ଷ ନିର୍ବାଚନ ହେବ। କର୍ପୋରେଟରମାନେ ବାଛିବେ ଡେପୁଟି ମେୟର। କଟକ ମେୟର ପଦବି ଏଥର ଅସଂରକ୍ଷିତ ରହିଛି। ଅର୍ଥାତ ଏ ପଦବି ପାଇଁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଯେ କେହି ପ୍ରତିଦ୍ବନ୍ଦ୍ବିତା କରି ପାରିବେ। ଏପଟେ ପ୍ରତ୍ୟକ୍ଷ ନିର୍ବାଚନ, ସେପଟେ ଅସଂରକ୍ଷିତ। ଏହାକୁ ନେଇ ରାଜ୍ୟର ଅନ୍ୟ ୩ ମହାନଗର ନିଗମ ତୁଳନାରେ କଟକ ମହାନଗରର ଲଢେଇ ସବୁଠୁ ଅଧିକ ରୋଚକ ହେବାକୁ ଯାଉଛି। ସବୁ ଦଳରେ ଆଶାୟୀଙ୍କ ତାଲିକା ଲମ୍ବି ଚାଲିଛି। କିନ୍ତୁ ବିଜେଡିରେ ଏବେ ବିସ୍ଫୋରକ ସ୍ଥିତି। ଟିକିଏ ଏପଟସେପଟରେ ଖେଳ ହୁଏତ ବିଗିଡି ଯାଇ ପାରେ। ଆରମ୍ଭରୁ ଯେଭଳି ଦଳ ଭିତରେ ଅସନ୍ତୋଷର ପଦଧ୍ବନି ଶୁଣାଗଲାଣି, ସେଥିରେ ଯଦି ସମୀକରଣ ଠିକ ନରୁହେ, ପ୍ରାର୍ଥୀ ଚୟନରେ ଯଦି ଭୁଲ ହୁଏ ତେବେ ବିଜେଡି ପାଇଁ ହୁଏତ ବିଜେଡି ହିଁ କାଳ ହେବ।
କଟକ ମହାନଗର ନିଗମ ଗଠନ ହୋଇଛି ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଅଞ୍ଚଳକୁ ନେଇ। କଟକ ମହାନଗର ନିଗମ ଭିତରେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ସଂପୂର୍ଣ୍ଣ ଭାବେ ରହିଥିବା ବେଳେ ଚୌଦ୍ବାର-କଟକ ଓ ସଦରର ଅଂଶ ରହିଛି। ମୋଟ ୫୯ଟି ୱାର୍ଡ ମଧ୍ୟରୁ ବାରବାଟୀ-କଟକର ୩୨ ଓ ଆଉ ଗୋଟିଏ ୱାର୍ଡର ଅଧା ଅଂଶ ଥିବା ବେଳେ ଚୌଦ୍ବାର-କଟକର ୨୧ଟି ୱାର୍ଡ ଓ ଗୋଟିଏ ୱାର୍ଡର ଅଧା ଅଂଶ ଏବଂ ସଦର ବିଧାନସଭାର ୬ଟି ୱାର୍ଡ ରହିଛି। ଏଭଳି ସ୍ଥିତିରେ ସ୍ବାଭାବିକ ଭାବେ ପୂର୍ବରୁ ବାରବାଟୀ-କଟକକୁ ମେୟର ପଦବି ଯାଇଥିବା ବେଳେ ଚୌଦ୍ବାର-କଟକକୁ ଯାଇଛି ଡେପୁଟି ମେୟର ପଦବି। ଗଲା ୩ଟି ନିର୍ବାଚନରେ ଏହା ଦେଖିବାକୁ ମିଳିଛି। କିନ୍ତୁ ଏଥର ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏ ସମୀକରଣ ବଦଳିବ କି? ୩ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଯେଉଁ ବ୍ୟକ୍ତି ସର୍ବାଦୃତ ହୋଇଥିବେ ତାଙ୍କୁ ଦଳ ଟିକଟ ଦେବ କି? ଏଭଳି ଆଲୋଚନା ଏବେ ଆରମ୍ଭ ହୋଇଯାଇଛି। କିନ୍ତୁ ୨୦୧୪ ନିର୍ବାଚନ ଫଳାଫଳକୁ ଯଦି ସମୀକ୍ଷା କରାଯାଏ ତେବେ ବାରବାଟୀ-କଟକ ତୁଳନାତ୍ମକ ଭାବେ ବିଜେଡିକୁ ଅଧିକ କର୍ପୋରେଟର ଦେଇଥିଲା। ୩୨ଟି ୱାର୍ଡରୁ ଦଳ ୨୦ଟିରେ ଜିତି ଥିବା ବେଳେ ସ୍ବାଧୀନ ଜିତିଥିବା ଜଣେ ଥିଲେ ବିଜେଡିର ସମର୍ଥକ।
କଂଗ୍ରେସ ୯, ବିଜେପି ଗୋଟିଏ ଓ ସ୍ବାଧୀନ ଗୋଟିଏ ଆସନରେ ଜିତିଥିଲେ। ସ୍ବାଧୀନ ସଦସ୍ୟ ପରବର୍ତ୍ତି ସମୟରେ ବିଜେପିର ସହଯୋଗୀ ହୋଇଥିଲେ। ଅନ୍ୟପଟେ ଚୌଦ୍ବାର କଟକର ୨୨ ୱାର୍ଡରୁ ବିଜେଡି ୧୦ଟିରେ ଜିତି ଥିବା ବେଳେ କଂଗ୍ରେସ ୩, ବିଜେପି ୧ ଓ ସ୍ବାଧୀନ ୮ଟି ୱାର୍ଡରେ ଜିତି ଥିଲେ। ଅବଶ୍ୟ ୫ ସ୍ବାଧୀନ ସଦସ୍ୟ ପରେ ବିଜେଡିର ସମର୍ଥକ ଭାବେ ରହିଥିଲେ। ସେହିଭଳି ସଦରର ୬ଟି ୱାର୍ଡରୁ ବିଜେଡି ୪, ବିଜେପି ୧ ଓ ସ୍ବାଧୀନ ଗୋଟିଏରେ ଜିତି ଥିଲେ। ଏହି ତଥ୍ୟରୁ ଆକଳନ କଲେ ବାରବାଟୀ-କଟକ ଉଭୟ ବିଜେଡି ଓ କଂଗ୍ରେସକୁ ଅଧିକ କର୍ପୋରେଟର ଦେଇଥିବା ବେଳେ ବିଜେପି କେଉଁଠି ବି ସେଭଳି ଅଧିକ ପ୍ରଭାବ ଦେଖାଇ ପାରି ନଥିଲା। ତେଣୁ ସ୍ବାଭାବିକ ଭାବେ ଉଭୟ ବିଜେଡି ଓ କଂଗ୍ରେସର ବାରବାଟୀ-କଟକ ସଂଗଠନ ନିଜ ଅଞ୍ଚଳରୁ ଜଣଙ୍କୁ ମେୟର ପ୍ରାର୍ଥୀ କରିବାକୁ ଦାବି ରଖିବ। ବିଜେପି ଭିତରେ ବି ଅନୁରୂପ ଦାବି ଏଯାଏ ରହି ଆସିଛି। ଯଦିଓ କଂଗ୍ରେସ ପାଇଁ ଏଠାରେ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ ନିଷ୍ପତ୍ତି ନେବେ, ବିଜେଡି ଓ ବିଜେପିର ରାଜ୍ୟ ମୁଖ୍ୟଙ୍କର ଏ କ୍ଷେତ୍ରରେ ଆଭିମୁଖ୍ୟ କ’ଣ ହେବ ତାହା ଆଗକୁ ସ୍ପଷ୍ଟ ହେବ।
ବିଜେଡି ପ୍ରାର୍ଥୀଙ୍କ ପାଇଁ ୫ ନେତାଙ୍କ ମତ ଗୁରୁତ୍ବପୂର୍ଣ୍ଣ
ବିଜେଡିର ପ୍ରାର୍ଥୀ କିଏ ହେବ, ତାହା ହୁଏତ ୫ ନେତାଙ୍କ ମତ ଉପରେ ନିର୍ଭର କରିବ। କଟକ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଚୌଦ୍ବାର-କଟକ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ, ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ମନ୍ତ୍ରୀ ପ୍ରତାପ ଜେନା ଏବଂ ରାଜ୍ୟସଭା ସାଂସଦ ସୁବାସ ସିଂହ। ଏ ୫ ଜଣଙ୍କ ମଧ୍ୟରୁ ଅଧିକ ମତ ଯାହା ସପକ୍ଷରେ ଯିବ, ତାକୁ ହୁଏତ ଟିକଟ ମିଳିବ। ସାଂସଦ ଭର୍ତ୍ତୃହରି ମହତାବ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏଥିରୁ ଦୂରେଇ ରହୁଛନ୍ତି। ଯଦିଓ ସେମାନେ ଠିକଣା ସମୟରେ ସେମାନଙ୍କର ମତ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।
ସଂଯୋଗ ବଶତଃ ଆଜି ମେୟର ସଂରକ୍ଷଣ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ବାରବାଟୀ-କଟକ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଂସଦ ସୁବାସ ସିଂହ, ନଗର ବିଜେଡି ସଭାପତି ମଧୁସୂଦନ ସାହୁ ପ୍ରମୁଖ ତ ଥିଲେ। କିନ୍ତୁ ଗତ କାଉନସିଲରେ ବାରବାଟୀ-କଟକରୁ ନିର୍ବାଚନ ଜିତିଥିବା ୨୧ କର୍ପୋରେଟରଙ୍କ ମଧ୍ୟରୁ ପ୍ରାୟ ୧୩ ଜଣ ଉପସ୍ଥିତ ନଥିଲେ। ରାଜ୍ୟ ସଂଗଠନର କର୍ମକର୍ତ୍ତା ମହମ୍ମଦ ସକିଲ, ଜିଲ୍ଲା ସଂଗଠନର କର୍ମକର୍ତ୍ତା ପ୍ରଶାନ୍ତ ନାୟକ ଅଥବା ପ୍ରଫୁଲ୍ଲ ସିଂହ ପ୍ରମୁଖ ବି ନଥିଲେ। ବିକାଶ ବେହେରା, କେଦାର ପୃଷ୍ଟି ପ୍ରମୁଖଙ୍କୁ ତ ଦେଖିବାକୁ ମିଳି ନଥିଲା, ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ ବି ନଥିଲେ। ନିର୍ବାଚନ ବିଗୁଲ୍ ବାଜି ସାରିଥିବା ବେଳେ ଦଳର ପୁରୁଖା ଆଉ ସ୍ଥାନୀୟ ଅଞ୍ଚଳରେ ପତିଆରା ଥିବା ନେତାଙ୍କ ଅନୁପସ୍ଥିତିରେ ବୈଠକକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ସେମାନଙ୍କୁ ଅଣଦେଖା ପୁଣି ୨୦୧୯ ସାଧାରଣ ନିର୍ବାଚନ ଭଳି ସ୍ଥିତି ସୃଷ୍ଟି କରିବ ନାହିଁ ତ? ଏ ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଙ୍କି ମାରୁଛି।