ରାଜ୍ୟ

ମେ’ରେ ଛୁଇଁବ ମୌସୁମୀ: ଓଡ଼ିଶାରେ ସ୍ବାଭାବିକଠୁ ଅଧିକ ବର୍ଷା

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆସନ୍ତା ୪ ଦିନ ଅର୍ଥାତ୍‌ ମେ’ ୩୧ ମଧ୍ୟରେ ‌ମୌସୁମୀ ଭାରତ ଭୂଖଣ୍ଡରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଏଥିସହ ଚଳିତ ମୌସୁମୀ ଋତୁରେ ସାରା ଦେଶରେ ସ୍ବାଭାବିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ଜୁନ୍‌ରୁ ସେ‌ପ୍ଟେମ୍ବର ମାସ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ବର୍ଷା ସ୍ବାଭାବିକଠାରୁ ତଳେ ରହିବ। ଅର୍ଥାତ୍‌ ୯୪%ରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଭାରତରେ ମୌସୁମୀ ସମୟରେ ସ୍ବାଭାବିକ ବର୍ଷା ୯୨%ରୁ ୧୦୮% ହୋଇପାରେ। ତେବେ କେନ୍ଦ୍ରୀୟ ଓ ଦକ୍ଷିଣ ଭାରତରେ ସ୍ବାଭାବିକଠାରୁ ଅଧିକ ବର୍ଷା ଅର୍ଥାତ୍‌ ୧୦୬%ରୁ ଅଧିକ ବର୍ଷା ହେବ।

ମୌସୁମୀର ଆକଳନ ଅନୁଯାୟୀ, ଏଥର କୃଷି କାର୍ଯ୍ୟ ହେଉଥିବା ରାଜ୍ୟଗୁଡ଼ିକରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଓଡ଼ିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ତେବେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତରପ୍ର‌ଦେଶ, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ରର କିଛି ଅଂଶରେ ମୌସୁମୀ ସମୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଜୁନ୍‌ ମାସରେ ସାରା ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ୧୯୭୧ରୁ ୨୦୨୦ ମଧ୍ୟରେ ମୌସୁମୀ ସ୍ଥିତିକୁ ହିସାବକୁ ନେଲେ ଜୁନ୍‌ ମାସରେ ସାଧାରଣତଃ ୧୬୬.୯ ମିମି ବର୍ଷା ହୋଇଥାଏ। ଦକ୍ଷିଣ ଭାରତ ଓ ସଂଲଗ୍ନ କେନ୍ଦ୍ରୀୟ ଭାରତର କିଛି ଅଞ୍ଚଳ, ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବ ଭାରତର କେତେକ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ଉତ୍ତର ଓ ପୂର୍ବ ରାଜ୍ୟ ସମେତ ଉତ୍ତରପୂର୍ବ ଓ ଦକ୍ଷିଣ ଭାରତର କେତେକ ସ୍ଥାନରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ। ଦେଶର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ରହିବ। ଦକ୍ଷିଣ ଭାରତର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ।

ସେପଟେ ଭୀଷଣ ବାତ୍ୟା ‘ରେମାଲ’ ଗତକାଲି ରାତି ୧୦ଟା ୩୦ରୁ ୧୨ଟା ୩୦ ମଧ୍ୟରେ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳ ଭାଗ ଅତିକ୍ରମ କରିଛି। ବାତ୍ୟା ଯିବା ପରେ ଆଜିଠାରୁ ଓଡ଼ିଶାରେ ତାପମାତ୍ରା ବଢ଼ିବାରେ ଲାଗିଛି। ୮ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ସମ୍ବଲପୁରରେ ୪୦.୭, ନୂଆପଡ଼ାରେ ୪୦.୪, ବଲାଙ୍ଗୀରରେ ୪୦.୩, ସୋନପୁର, ଭବାନୀପାଟଣା, ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ୪୦ ଡିଗ୍ରି ଲେଖାଏ ରହିଥିଲା। ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକର ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଦିନ ୨ଟା ୩୦ ସୁଦ୍ଧା ସହରର ତାପମାତ୍ରା ୩୭.୭ ଡିଗ୍ରି ରହିବା ସହ ଆର୍ଦ୍ରତା ୬୨% ହୋଇଥିବାରୁ ଅସହ୍ୟ ଗୁଳୁଗୁଳିରେ ସହରବାସୀ ଅସ୍ତବ୍ୟସ୍ତ ହୋଇଥିଲେ।

ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହାପରେ ତାପମାତ୍ରାରେ ବିଶେଷ ଫରକ ଦେଖିବାକୁ ମିଳିବ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ନୟାଗଡ଼, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାର ପ୍ରବଳ ବର୍ଷା ହୋଇଛି। ନୟାଗଡ଼ର ରଣପୁରରେ ୯ ସେମି ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ାର ରାଜନଗରରେ ୮ ସେମି, ଅଳିରେ ୭ ସେମି, ମୟୂରଭଞ୍ଜର ନୱାନରେ ୭ ସେମି, ଯାଜପୁରର ବିଞ୍ଝାରପୁର, ବାଲେଶ୍ବରର ନୀଳଗିରି, ଭଦ୍ରକର ଚାନ୍ଦବାଲିରେ ୬ ସେମି ଲେଖାଏ ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଉତ୍ତର ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।