ରାଜ୍ୟ ସ୍ପେଶାଲ ରିପୋର୍ଟ

ମେଣ୍ଟ ଆଡ଼କୁ ବିଜେଡି, ବିଜେପି: ଡକରା ପାଇ ନବୀନ ନିବାସରେ ବରିଷ୍ଠ ନେତା

ଭୁବନେଶ୍ବର: କିଛି ଦିନ ହେଲା ଆକଳନ ଚାଲିଥିଲା ମେଣ୍ଟ ହେବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବିଡ଼ତା ବି ସେମିତି କିଛି ଇଙ୍ଗିତ ଦେଇଥିଲା। ୨୪ ଘଣ୍ଟା ବିତିନି; ବିଜେଡି-ବିଜେପି ମେଣ୍ଟ ପାଇଁ ପ୍ରାରମ୍ଭିକ କସରତ ଆରମ୍ଭ ହୋଇଯାଇଛି। ଏପଟେ ନବୀନ ନିବାସରେ ଆଜି ବିଜେଡି ନେତାମାନଙ୍କର ବୈଠକ ଚାଲିଥିବା ବେଳେ ଠିକ୍‌ ସେହି ସମୟରେ ଦିଲ୍ଲୀରେ ମଧ୍ୟ ବିଜେପି ନେତାମାନଙ୍କର ଘନ ଘନ ବୈଠକ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ମେଣ୍ଟର ରୂପରେଖ ପ୍ରସ୍ତୁତି ଚାଲିଛି। ୧୫ ବର୍ଷ ପରେ ଦୁଇ ଦଳ ପୁଣି ଏକାଠି ହେବାକୁ ହେବାକୁ ଯାଉଛନ୍ତି। ଉଭୟ ଦଳର ନେତା ଏବିଷୟର ମୁହଁ ଖୋଲୁ ନଥିଲେ ମଧ୍ୟ ଦିନେ ଦୁଇ ଦିନ ଭିତରେ ସମ୍ପୂର୍ଣ୍ଣ ରୂପରେଖ ଉପରୁ ପରଦା ହଟିଯିବ। ଆଜି ମଧ୍ୟାହ୍ନରେ ବିଜେଡିର ବରିଷ୍ଠ ନେତାମାନଙ୍କ ପାଖକୁ ନବୀନ ନିବାସରୁ କଲ୍ ଗଲା। କୁହାଯାଇଥିଲା ଯେ ଅପରାହ୍ନ ୩ଟା ୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ ନେବେ। ନିର୍ଦ୍ଧାରିତ ସମୟରେ ନେତାମାନେ ପହଞ୍ଚିଗଲେ। ଏମାନଙ୍କ ମଧ୍ୟରେ ଥିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ସାମଲ, ପ୍ରଫୁଲ୍ଲ ମଲ୍ଲିକ, ବିକ୍ରମ କେଶରୀ ଆରୁଖ, ପ୍ରଦୀପ ଅମାତ, ଉଷା ଦେବୀ, ଦେବୀପ୍ରସାଦ ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ଅରୁଣ କୁମାର ସାହୁ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଜଗନ୍ନାଥ ସାରକା, ଟୁକୁନି ସାହୁ, ପ୍ରଣବ ବଳବନ୍ତରାୟ, ସସ୍ମିତ ପାତ୍ର, ସୁଶାନ୍ତ ସିଂହ ଓ ମାନସ ମଙ୍ଗରାଜ ପ୍ରମୁଖ। ୪ଟା ବେଳେ ବୈଠକ ଆରମ୍ଭ ହେଲା। ନିଜେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ବରିଷ୍ଠ ନେତାମାନଙ୍କର ମତାମତ ଲୋଡ଼ିଥିଲେ। ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ଦୀର୍ଘ ସମୟ ଧରି ନେତାମାନେ ଭିତରେ ରହିଲେ। ୫ଟା ବେଳେ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗୋଠପାଟଣା ଗଲେ। ସେଠାରୁ ଫେରିଲା ପରେ ପୁଣି ଆଲୋଚନା ଚାଲିଲା।

ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ନେତାମାନେ ନବୀନ ନିବାସ ବାହାରକୁ ଆସିଥିଲେ। ବାହାରେ ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦୁଇ ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ଅରୁଣ ସାହୁ ସମ୍ବୋଧନ କରିଥିଲେ। ମେଣ୍ଟ ହେବା ନେଇ ସେମାନେ କୌଣସି ବିଧିବଦ୍ଧ ସୂଚନା ଦେଇ ନଥିଲେ। ଉଭୟ ଗଣମାଧ୍ୟମଙ୍କୁ ଜଣାଇଥିଲେ ଯେ ‘ଆଗାମୀ ନିର୍ବାଚନ ରଣନୀତି ଓ ମେଣ୍ଟ ସମ୍ପର୍କରେ ଆଲୋଚନା ହୋଇଛି। ଓଡ଼ିଶାର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଦଳର ସଭାପତି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ’। ମେଣ୍ଟ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଅଧିକ ପ୍ରଶ୍ନ କରିଥିଲେ ବି ସେମାନେ କୌଣସି ଉତ୍ତର ରଖି ନଥିଲେ। ନବୀନ ନିବାସ ଭିତରେ କ’ଣ ଆଲୋଚନା ହେଲା, ସେ ସମ୍ପର୍କରେ ଅନ୍ୟ ନେତାମାନେ ମଧ୍ୟ ପାଟି ଫିଟାଇ ନଥିଲେ। ସେପଟେ ଆଜି ବିଜେପିର ବରିଷ୍ଠ ନେତାମାନଙ୍କୁ ଦିଲ୍ଲୀ ଡକରା ହୋଇଥିଲା। ସନ୍ଧ୍ୟାରେ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡ଼ୁ, ସାଂସଦ ଜୁଏଲ୍ ଓରାମ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ସାମିଲ ହୋଇଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡ‌ା ଓ ଗୃହ ମନ୍ତ୍ରୀ ଅମିତ ଶାହ ବୈଠକରେ ଉପସ୍ଥିତ ଥିଲେ। ଓଡ଼ିଶାରେ ନିର୍ବାଚନ ରଣନୀତିକୁ ନେଇ ବହୁ ସମୟ ଆଲୋଚନା ହେଲା। ଏହାପରେ ସାଂସଦ ଜୁଏଲ୍ ଓରାମ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ। ମେଣ୍ଟ ନେଇ କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ନେବେ ବୋଲି କହିଥିଲେ। ତେବେ ବୈଠକରେ କଣ ଆଲୋଚନା ହେଲା, ସେସମ୍ପର୍କରେ ବିଜେପିର ଆଉ କୌଣସି ନେତା ମୁହଁ ଖୋଲି ନାହାନ୍ତି। ବିଜେଡି-ବିଜେପି ବହୁ ବର୍ଷ ହେଲାଣି ପାଖାପାଖି ରହୁଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ବିରୋଧୀ ମଧ୍ୟ ଏହାକୁ ପ୍ରସଙ୍ଗ କରି ଉଭୟଙ୍କୁ ଟାର୍ଗେଟ୍ କରୁଥିଲେ।

ଏ ଚିତ୍ର କିନ୍ତୁ ଧୀରେ ଧୀରେ ବଦଳିବା ଆରମ୍ଭ କରିଥିଲା। ବିଜେଡି-ବିଜେପି ପ୍ରାକ୍ ନିର୍ବାଚନୀ ମେଣ୍ଟ ନେଇ ବିଭିନ୍ନ ମହଲରେ ଆକଳନ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଆଲୋଚନା ବିଜୁଳି ବେଗରେ ତୃଣମୂଳ ସ୍ତରକୁ ବ୍ୟାପିଯାଇଥିଲା। ୧୫ ବର୍ଷ ପରେ ବିଜେଡି ଏନ୍‌ଡିଏକୁ ଫେରିବ ବୋଲି ଜାତୀୟ ଗଣମାଧ୍ୟମ ଆକଳନ କରୁଥିଲେ। କେନ୍ଦ୍ରୀୟ ନେତାମାନଙ୍କ ହାବଭାବ ଓ ବିଜେଡି ପ୍ରତି ସେମାନଙ୍କର ଅତ୍ୟନ୍ତ କୋହଳ ମନୋଭାବ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଉଥିଲା। କିନ୍ତୁ ଗତ ଶୁକ୍ରବାର ଦିନ ବିଜେପି ସଭାପତି ମନମୋହନ ସାମଲ ନୂଆଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାକୁ ଗୁଜବ ଓ ମନଗଢ଼ା କହି ଉଡ଼ାଇ ଦେଇଥିଲେ। ବିଜେପି ଏକା ସରକାର ଗଢ଼ିବ ବୋଲି କହିଥିଲେ। ଏହାର ପରଦିନ ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ ଡାକି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। ବିଜେଡି ବିଧାନସଭାରେ ୧୨୦ ଓ ଲୋକସଭାରେ ୧୭ ଆସନ ଜିତିବ ବୋଲି ଜୋର୍ ଦେଇଥିଲେ। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେହିଦିନ ମେଣ୍ଟ ସମ୍ପର୍କରେ ସଙ୍କେତ ମିଳିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଗତକାଲି ସେମିତି କିଛି ହେଲା ନାହିଁ। ତେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରସ୍ପରକୁ ଯେପରି ସମ୍ବୋଧନ କଲେ ଏବଂ ମଞ୍ଚରେ ନିବିଡ଼ତା ପ୍ରଦର୍ଶନ କଲେ, ସେଥିରେ ଉଭୟ ଦଳର କର୍ମୀମାନେ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ। ପରେ ଦଳୀୟ ସଭାରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ପଦୁଟିଏ ନକହିବା ମେଣ୍ଟ ଚର୍ଚ୍ଚାକୁ ବଳବତ୍ତର ରଖିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।