ବଲାଙ୍ଗୀର ୨୩।୦୩ : କାମ ସମୟରେ ଚାଲିଗଲା ତୁଳସୀରାମଙ୍କ ଜୀବନ । ବଲାଙ୍ଗୀର ପୌରପରିଷଦର ଡ୍ରାଇଭର ତୁଳସୀରାମ ପଟେଲଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ତୁଳସୀରାମଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ।
ଖବର ଅନୁଯାୟୀ, ଆଜି ସକାଳ ପ୍ରାୟ ୯ ଟା ୪୫ ସମୟରେ ତୁଳସୀରାମ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟାଳୟକୁ ଆଣିବାକୁ ନିମନ୍ତେ ତାଙ୍କ ବାସଭବନକୁ ଯାଇଥିଲା । ନିର୍ବାହୀ ଅଧିକାରୀଙ୍କ ଘର ସମ୍ମୁଖରେ ଅପେକ୍ଷା କରିଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡିଥିଲା । ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତର ତୁଳସୀରାମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ମୃତ୍ୟୁ ଘୋଷଣା କରିଥିଲେ । ତୁଳସୀରାମ ପୂର୍ବରୁ ଉଚ୍ଚ ରକ୍ତଚାପ ଓ ମଧୁମେୟ ରୋଗରେ ଆକ୍ରାନ୍ତ ଥିବା ବେଳେ ହୃଦଘାତରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ବଲାଙ୍ଗିର ସହର ମାଲପଡାର ବାସିନ୍ଦା ତୁଳସୀରାମ ।
ସେହିପରି ତୁଳସୀରାମ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଜଣାଶୁଣା ଥିଲେ , ତେଣୁ ତାଙ୍କ ଅକାଳ ବିୟୋଗ ଖବର ପାଇ ଜିଲ୍ଲାପାଳଙ୍କ ସମେତ ଅନେକ ପୌର କର୍ମଚାରୀ ଡାକ୍ତରଖାନାରେ ପହଞ୍ଚିଥିଲେ । ତୁଳସୀରାମଙ୍କ ସ୍ତ୍ରୀଙ୍କୁ ପୌରପରିଷଦରେ ଚାକିରୀ ଦେବା ସହ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।