ଉତ୍ତରପ୍ରଦେଶ ୨୬/୬ : କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଲୋକଙ୍କୁ ଭୟଭୀତ କରିବା ଆରମ୍ଭ କରିଛି । ଏହି ଭାରିଆଣ୍ଟର ମାମଲା ସମଗ୍ର ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ପ୍ରାୟ ୫୦ ରୁ ଅଧିକ ମାମଲା ରୁଜୁ ହୋଇଛି । ଏଥି ସହିତ ୟୁପିର ରାଜଧାନୀ ଲକ୍ଷ୍ନୌରେ ଟିକାକରଣ ଅଭିଯାନକୁ ଜୋରଦାର କରିବାକୁ ଏକ ଆବେଦନ କରାଯାଉଛି ।
ରାଜ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଆସିବା ପୂର୍ବରୁ ଲକ୍ଷ୍ନୌରେ ମୁସଲମାନ ଧାର୍ମିକ ଗୁରୁ ଲାଉଡ ସ୍ପିକର ଲଗାଇ ଟିକା ନେବାକୁ ଲୋକଙ୍କୁ କରୁଛନ୍ତି ନିବେଦନ । ଟୀକାକରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଶୁକ୍ରବାର ପ୍ରାର୍ଥନା ପରେ ସମସ୍ତଙ୍କୁ ଟିକା ନେବାକୁ କୁହାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଡେଲଟା ପ୍ଲସ୍ ଭାରିଆଣ୍ଟ ବ୍ୟାପିଲାଣି, ଯାହା ଅତ୍ୟନ୍ତ ସାଂଘାତିକ ।
ଏପରି ପରିସ୍ଥିତିରେ ସବୁ ଲୋକେ ନିଜକୁ ଟିକାକରଣ କରିବା ଉଚିତ୍ । ଟିକା ଆମ ସ୍ୱାସ୍ଥ୍ୟ ଏବଂ ଆମ ଜୀବନ ପାଇଁ ଜରୁରୀ । ସହରର ଐସବାଗରେ ଅବସ୍ଥିତ ଫିରଙ୍ଗି ମହଲ ଇସଲାମିକ କେନ୍ଦ୍ରରେ ଏକ ଲାଉଡ ସ୍ପିକର ଲଗାଯାଇଥିଲା । ଏହାସହ ଲୋକଙ୍କୁ ଟିକାକରଣ କରିବାକୁ ଅନୁରୋଧ କରାଯଇଥିଲା । ଏହି ଆବେଦନ ଶୁକ୍ରବାର ପ୍ରାର୍ଥନା ପରେ ଆରମ୍ଭ ହୋଇଛି , ଆଗକୁ ମଧ୍ୟ ଜାରି ରହିବ ।