ରାଜ୍ୟ

ମୁଦ୍ରିତ ଗଣମାଧ୍ୟମ ଚାପରେ ଅଛି: ସୌମ୍ୟରଞ୍ଜନ

ବର୍ତ୍ତମାନ ଗଣମାଧ୍ୟମ ସଂକଟଜନକ ସ୍ଥିତି ଦେଇ ଗତି କରୁଛି। ଅନେକ ଆହ୍ବାନର ସାମ୍ନା କରୁଛି। ବିଶେଷକରି ମୁଦ୍ରିତ ଗଣମାଧ୍ୟମ ଚାପରେ ଅଛି। ଏଣୁ କହିବାକୁ ଗଲେ ମୁଦ୍ରିତ ଗଣମାଧ୍ୟମର ଭବିଷ୍ୟତ ସେତେ ଉଜ୍ଜ୍ବଳ ନୁହେଁ।

ଫୁଲବାଣୀ: ବର୍ତ୍ତମାନ ଗଣମାଧ୍ୟମ ସଂକଟଜନକ ସ୍ଥିତି ଦେଇ ଗତି କରୁଛି। ଅନେକ ଆହ୍ବାନର ସାମ୍ନା କରୁଛି। ବିଶେଷକରି ମୁଦ୍ରିତ ଗଣମାଧ୍ୟମ ଚାପରେ ଅଛି। ଏଣୁ କହିବାକୁ ଗଲେ ମୁଦ୍ରିତ ଗଣମାଧ୍ୟମର ଭବିଷ୍ୟତ ସେତେ ଉଜ୍ଜ୍ବଳ ନୁହେଁ। ଗଣମାଧ୍ୟମ ଅନେକ ପରିବର୍ତ୍ତନକୁ ମଧ୍ୟ ସାମ୍ନା କରୁଛି। ନୂତନ ଜ୍ଞାନକୌଶଳକୁ ଆଧାର କରି ଗଣମାଧ୍ୟମ ସମୟ ସହ ତାଳ ଦେଇ ଚାଲିବାକୁ ହେବ ବୋଲି ‘ସମ୍ବାଦ’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଆଜି କନ୍ଧମାଳ ଜିଲ୍ଲା ମିଡିଆ ଫୋରମ୍‌ର ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ବ୍ୟବସ୍ଥ‌ାରେ ସୁଧାର ଆଣିବାକୁ ହେଲେ ନାଗରିକ ସମାଜର ଏକ ଗୁରୁଦାୟିତ୍ବ ରହିଛି ବୋଲି କହିଛନ୍ତି। ନାଗରିକ ସମାଜ ସମୃଦ୍ଧ ଓ ସଶକ୍ତ ହେଲେ ଗଣତନ୍ତ୍ର ସୁରକ୍ଷିତ ରହିବ। ନାଗରିକ ସମାଜ ନିଜର ଦାୟିତ୍ବ ଭୁଲିଯିବା ଉଚିତ୍‌ ନୁହେଁ। ଗଣମାଧ୍ୟମ ନିଜକୁ ଚତୁର୍ଥ ସ୍ତମ୍ଭ ବୋଲି ଭାବି ଗର୍ବ ନକରି ବରଂ ସାମ୍ବାଦିକମାନେ ନିଜର ତୃତୀୟ ନୟନକୁ ଉନ୍ମୁକ୍ତ ରଖିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଜଣାଇଛନ୍ତି। ସାମ୍ବାଦିକମାନେ ଆଶୁତୋଷ ଶିବଙ୍କ ଭଳି ଅଳ୍ପରେ ସନ୍ତୁଷ୍ଟ ହେବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। 

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ବରଞ୍ଜନ ଯୋଗଦେଇ କହିଲେ, ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବା ଉଚିତ୍। ଗଣମାଧ୍ୟମ ବିବାଦ ସୃଷ୍ଟି ନ କରି ବରଂ ବିତର୍କ ସୃଷ୍ଟି କରୁ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କନ୍ଧମାଳର ବିକାଶ ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗ ଦେଇ ଗଣମାଧ୍ୟମ ସମାଜ ପାଇଁ ଦିଗ୍‌ବାରଣ ହେବା ଉଚିତ୍‌ ବୋଲି କହିଥିଲେ। 

କାର୍ଯ୍ୟକ୍ରମ ଆରମ୍ଭରେ ‘କନ୍ଧମାଳ ଜିଲ୍ଲା ମିଡିଆ ଫୋରମ୍‌’ର ସମ୍ପାଦକ ଶିବ ବିଶ୍ବାଳ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଭାପତି ସୂର୍ଯ୍ୟ ନାରାୟଣ ବେହେରା କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ସାମ୍ବାଦିକ ବ୍ରଜ ବିହାରୀ ନନ୍ଦ ଓ ଅଶୋକ ମହାନ୍ତି ମଞ୍ଚ ସଞ୍ଚାଳନ କରିଥିବା ବେଳେ କାର୍ଯ୍ୟକ୍ରମ ମୁଖ୍ୟ ପରିଚାଳକ ସୁନୀଲ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କନ୍ଧମାଳ ଜିଲ୍ଲାର ବୟୋଜ୍ୟେଷ୍ଠ ସାମ୍ବାଦିକ ରବି ଦାସ, ମହାଦେବ ସାହୁ ଏବଂ ମହମ୍ମଦ ନାଜିର ଅଖ୍‌ତାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ନଟରାଜ କଳାମନ୍ଦିରର ନୃତ୍ୟଶିଳ୍ପୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମିଡିଆ ଫୋରମ୍‌ର ଉପଦେଷ୍ଟା ଗୋପାଳକୃଷ୍ଣ ପଟ୍ଟନାୟକ, ଅଜିତ ମହାରଣା, ତ୍ରିନାଥ ସାହୁ, ରାଧାମୋହନ ମହାପାତ୍ର, ଶିବାନନ୍ଦ ପଟ୍ଟନାୟକ, ସୁନୀଲ ପଟ୍ଟନାୟକ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରମେଶ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ ପଣ୍ଡା, ଶିବ ପ୍ରସାଦ ନାୟକ, ସତ୍ୟ ନାରାୟଣ ବେହେରା, ଫିଲିମୋହନ ନାୟକ, ନାରାୟଣ ସାହୁ, ସୁଜିତ ବେହେରା, ବଳଦେବ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।