ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ବାଃ ବାଃ ନେବା ଲାଗି ଯୁବକଙ୍କୁ ରୋଜଗାର ଯୋଗାଉଥିବା କଥା କହୁଛନ୍ତି, କିନ୍ତୁ ବାସ୍ତବରେ ବେରୋଜଗାରରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଏନ୍ସିଆର୍ବି ୨୦୧୫-୨୦ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ଦିନ ୪ଜଣ ବେରୋଜଗାର ଓଡ଼ିଶାରେ ଆତ୍ମହତ୍ୟା କରୁଛନ୍ତି, ଏହା ୨୫୩%କୁ ବୃଦ୍ଧି ପାଇଛି। କେନ୍ଦ୍ରୀୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୧ ମସିହାର ପ୍ରଥମ ତିନି ମାସରେ ଓଡ଼ିଶାରେ ବେକାରୀ ହାର ୩୧% ଥିଲା। ଏପରିସ୍ଥଳେ ଏକ ବିଶ୍ୱସନୀୟତା ନଥିବା ସଂସ୍ଥାଠାରୁ ପ୍ରାୟୋଜିତ ପୁରସ୍କାର ହାତେଇ ଓଡ଼ିଶାର ଯୁବକଯୁବତୀଙ୍କୁ ବୋକା ବନାଇବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ କହିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଆମ ଆୱାର୍ଡ କିଣା ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ନିଜ ତଥ୍ୟକୁ ବି ମିଛ ବୋଲି ପ୍ରମାଣିତ କରିବାକୁ ପଛଉନାହାନ୍ତି। ୨୦୧୬-୧୮ରେ ମେକ୍ ଇନ୍ ଓଡ଼ିଶାରେ ୬ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୭ଲକ୍ଷ ନିଯୁକ୍ତି ମିଳିବ ବୋଲି ରାଜ୍ୟ ସରକାର ବାହାସ୍ଫୋଟ ମାରିଥିଲେ। କିନ୍ତୁ ମାତ୍ର ୫ହଜାର ୬୦୦କୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଥିବାବେଳେ ମାତ୍ର ୫୮୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୨୦୦୮ରୁ ୨୦୧୩ ମଧ୍ୟରେ ପ୍ରାୟ ୧୩ଟି ବଡ଼ବଡ଼ ପୁଞ୍ଜିନିବେଶକାରୀ ସଂସ୍ଥା ଓଡ଼ିଶା ଛାଡ଼ି ଅନ୍ୟତ୍ର ପଳାଇଛନ୍ତି। ଓଡ଼ିଶାରେ ଯାହାବି ଶିଳ୍ପାନୁଷ୍ଠାନ ଅଛି ସେଠାରେ ଓଡ଼ିଆ ପିଲାଙ୍କୁ ନିଯୁକ୍ତି ମିଳୁନାହିଁ। ତାହାଲେ ଓଡ଼ିଶା ବେକାରୀ ଶୂନ୍ୟ ହେଲା କେମିତି?
ସେହିପରି ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଗତ ଜୁଲାଇ ୨୬ରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ରାଜ୍ୟରେ ମୋଟ୍ ୮ଲକ୍ଷ ୮୦ ହଜାର ୧୭୫ଜଣ ଯୁବକଯୁବତୀ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ଏହାଛଡ଼ା ରାଜ୍ୟରେ ଏବେବି ୯ଲକ୍ଷ ପଞ୍ଜୀକୃତ ବେକାରୀ ଯୁବକ ଯୁବତୀ ଅଛନ୍ତି। ତାହା ହେଲେ ମୁଖ୍ୟମନ୍ତ୍ରୀ ବେକାରୀ ଦୂରର ମିଥ୍ୟା କଥା କାହିଁକି କହୁଛନ୍ତି ତା’ର ଜବାବ୍ ଦିଅନ୍ତୁ ବୋଲି ଇରାଶିଷ ଦାବି କରିଛନ୍ତି।
ପରିସଂଖ୍ୟାନ ରଖି ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ତଥ୍ୟକୁ ବିଶ୍ବାସ କରାଗଲେ; ପ୍ରାୟ ୧,୮୨,୫୩୬ ଜଣ ଗ୍ରାଜୁଏଟ ବେକାରୀ ଥିବାବେଳେ କଳାରେ ୧,୦୩,୯୭୬ ହଜାର ଗ୍ରାଜୁଏଟ ବେକାରୀ ଅଛନ୍ତି। ଇଞ୍ଜିନିୟରିଂରେ ୯,୪୮୭ଜଣ ବେକାର ପଞ୍ଜୀକୃତ କରିଛନ୍ତି। ସେହିପରି ତାଲିମପ୍ରାପ୍ତ ୧,୨୪,୬୬୧ଜଣ ଶିକ୍ଷକ କାମ ନପାଇ ବେକାର ବୁଲୁଛନ୍ତି। ଅକ୍ଟୋବର ୩୧,୨୦୨୦ ସୁଦ୍ଧା ୮,୯୬,୮୩୮ଜଣ ପଞ୍ଜୀକୃତ ବେକାର ଯୁବକ ଯୁବତୀ ରହିଛନ୍ତି। କିନ୍ତୁ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନମିକ୍ (ଇଏମ୍ଆଇଇ) ରିପୋର୍ଟରେ ଓଡ଼ିଶାର ବେକାରୀ ସଂଖ୍ୟା ୦.୯% ଅଛି।
ମୁଖ୍ୟମନ୍ତ୍ରୀ ଏଭଳି ମିଥ୍ୟା ରିପୋର୍ଟ ବାହାର କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ରାଜ୍ୟରେ ୨୦ଲକ୍ଷରୁ ଅଧିକ ଦାଦନ ଶ୍ରମିକ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଲକ୍ଷଲକ୍ଷ ଲୋକ ଦାଦନ ଶ୍ରମିକ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ବାଃ ବାଃ ଶୁଣିବା ପାଇଁ ଏହିଭଳି ମିଥ୍ୟା ରିପୋର୍ଟ କିଣିବା ଅପେକ୍ଷା କାଚ ଘରୁ ବାହାରି କିପରି ଯୁବକଯୁବତୀ ଦାଦନ ଖଟିବାକୁ ଯାଉଛନ୍ତି ତା’ର ତର୍ଜମା କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଦୀପକ ଗୋଚ୍ଛାୟତ, ରାଜ୍ୟ ସମ୍ପାଦକ ମନୋଜ ପଶ୍ଚିମକବାଟ, ରାଜ୍ୟ ସଂଯୋଜକ ରାଣା ପୃଥ୍ୱୀରାଜ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।