ରାଜ୍ୟ

ମୀନ ହିକକାଙ୍କୁ ପୁଣି ଖୋଜୁଛି ପୁଲିସ: ବିନା ଦୋଷରେ ଭୋଗିଥିଲେ ୮ବର୍ଷ ଜେଲ୍

କୋରାପୁଟ: ସାଂଘାତିକ ଘଟଣା ପାଇଁ ଅଭିଯୁକ୍ତ ଦର୍ଶାଇ ସଂଗିନ୍‌ ଦଫା ଲଗାଇ ଗିରଫ କରିଥିଲା ପୁଲିସ। ତେଣୁ ୮ବର୍ଷ ଧରି ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। କିନ୍ତୁ ପୁଲିସ ରୁଜୁ କରିଥିବା ୩୮ଟି ମାମଲାରେ କୋର୍ଟ ଦୋଷମୁକ୍ତ କଲେ। ତେଣୁ ୨ବର୍ଷ ତଳେ ଜେଲ୍‌ରୁ ମୁକୁଳି ଗାଁରେ ପରିବାର ସହ ସ୍ବାଭାବିକ ଜୀବନ ବିତାଉଥିଲେ। କିନ୍ତୁ କିଛି ଦିନ ହେଲା ପୁଲିସ କୌଣସି ପୁରୁଣା ମାମଲାରେ ପୁଣି ସନ୍ଧାନ କରୁଛି। ଏମିତି ସ୍ଥିତିରେ ଭୟଭୀତ ହୋଇ ନାରାୟଣପାଟଣା ବ୍ଲକ୍‌ ଡୁମିସିଲ ଗାଁ ଛାଡ଼ିଛନ୍ତି ମୀନ ହିକକା। ଅଜ୍ଞାତ ସ୍ଥାନରେ ଆତ୍ମଗୋପନ କରିଥିବା ବେଳେ ପୁଣି ଗିରଫ ହେଲେ ଜୀବନ ବର୍‌ବାଦ ହୋଇଯିବ ବୋଲି ପରିବାର ଲୋକେ ଆଶଙ୍କା କରୁଛନ୍ତି। ୨୦୧୪ ମସିହା ଜୁନ୍‌ ପ୍ରଥମ ସପ୍ତାହରେ ମୁସିଲମୁଣ୍ଡା ଜଙ୍ଗଲରୁ ମୀନ ହିକକାଙ୍କୁ ଗିରଫ କରାଯାଇଥିଲା। ମାଓ ସଂଗଠନର ଏସିଏମ୍‌ ବୋଲି ଦର୍ଶାଇ ସୁରକ୍ଷା କର୍ମୀ ଗିରଫ କରିଥିଲେ। ସେହି ସମୟରେ ମୀନଙ୍କୁ ୨୮ବର୍ଷ ହୋଇଥିଲା ବେଳେ ଶ୍ରୀକାକୁଲମ-କୋରାପୁଟ ଡିଭିଜନାଲ୍‌ କମିଟିର ସକ୍ରିୟ ସଦସ୍ୟ ବୋଲି କହି ପୁଲିସ କୋର୍ଟ ଚାଲାଣ କରିଥିଲା। ପୁଲିସ ତାଙ୍କ ବିରୋଧରେ ହତ୍ୟା, ଦେଶଦ୍ରୋହ, ସରକାରୀ ସଂପତ୍ତି ନଷ୍ଟ ଭଳି ୩୮ଟି ସଂଗିନ୍‌ ମାମଲାରେ ଚାର୍ଜସିଟ୍‌ ଦାଖଲ କରିଥିଲା। ମାମଲାଗୁଡ଼ିକର ଗୁରୁତ୍ବକୁ ଦୃଷ୍ଟିରେ ରଖି କୋର୍ଟ ସେହି ସମୟରେ ଜାମିନ ଦେଇନଥିଲେ। ତେଣୁ ବିଚାର ବିଭାଗୀୟ ହାଜତରେ ରହିବା ମଧ୍ୟରେ ମାମଲାଗୁଡ଼ିକର ଶୁଣାଣି ହୋଇଥିଲା। କିନ୍ତୁ ପୁଲିସ ରୁଜୁ କରିଥିବା ୩୮ଟି ଯାକ ମାମଲା ମଧ୍ୟରୁ କୌଣସି ଗୋଟିଏ ମାମଲାରେ ମଧ୍ୟ ଠୋସ୍‌ ପ୍ରମାଣ କୋର୍ଟରେ ଦେଖାଇ ପାରିନଥିଲା। ତେଣୁ ପ୍ରମାଣ ଅଭାବରୁ ସମସ୍ତ ମାମଲାରେ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ଜେଲ୍‌ରୁ ୨୦୨୨ ମସିହାରେ ମୁକୁଳିବା ପରେ ମୀନ ନିଜ ଗାଁକୁ ଫେରିଥିଲେ। ପରିବାର ସହ ୨ବର୍ଷ ହେଲା ନୂଆ ଜୀବନ ଆରମ୍ଭ କରିଥିଲେ। ପୁରୁଣା କଥାକୁ ଭୁଲିଯାଇ ସ୍ବାଭାବିକ ଜୀବନ ବଞ୍ଚିବାକୁ ପ୍ରୟାସ କରୁଥିଲେ। କିନ୍ତୁ ଚଳିତମାସରେ ପୁଲିସ ତାଙ୍କୁ ପୁଣି ଖୋଜାଖୋଜି କରୁଥିବା ସୂଚନା ପାଇଥିଲେ। କୌଣସି ପୁରୁଣା ମାମଲାରେ ପୁଲିସ ତାଙ୍କୁ ଗିରଫ କରିପାରେ ବୋଲି ଖବର ମିଳିଥିଲା। ପୂର୍ବରୁ ରୁଜୁ ମାମଲାଗୁଡ଼ିକରେ ଦୋଷମୁକ୍ତ ହୋଇଥିଲେ ସୁଦ୍ଧା ୮ବର୍ଷ ଧରି ଜେଲ୍‌ରେ ରହିବାକୁ ପଡ଼ିଥିଲା। ଏମିତି ସ୍ଥିତିରେ ପୁଲିସ ଦ୍ବିତୀୟ ଥର ଗିରଫ‌ କଲେ ଆହୁରି କେତେ ବର୍ଷ ଜେଲ୍‌ରେ ରହିବାକୁ ପଡ଼ିବ ସେହି ଅଶଙ୍କାରେ ମୀନ ଆତ୍ମଗୋପନ କରିଥିବା ପରିବାର ଲୋକ କହିଛନ୍ତି। ପୁଲିସ କେଉଁ ମାମଲାରେ ତାଙ୍କୁ ଖୋଜୁଛି ସେହି ବିଷୟରେ ସେ ଆଦୌ ଅବଗତ ନାହାନ୍ତି। ନୋଟିସ୍‌ ଜାରି ହୋଇଛି, ତେବେ କେଉଁ ମାମଲା ପାଇଁ ଜାଣିନଥିବା ତାଙ୍କ ଓକିଲ ମଧ୍ୟ କହିଛନ୍ତି। ଅପରପକ୍ଷରେ କୋରାପୁଟ ପୁଲିସ ପକ୍ଷରୁ ସଫେଇ ଦିଆଯାଇଛି, କାହାରିକୁ ଗିରଫ କରାଯାଇ ନାହିଁ। ଆଗକୁ ନିର୍ବାଚନ ରହିଥିବାରୁ ପୁରୁଣା ମାମଲାରେ ପଳାତକ ଘୋଷିତ ଅପରାଧୀଙ୍କୁ ସାବାଡ଼ କରିବାକୁ ନିର୍ଦ୍ଦେଶ ମିଳିଛି। ଯାହାକୁ କିଛି ଲୋକ ଭିନ୍ନ ଅର୍ଥରେ ନେଇଛନ୍ତି। ନୋଟିସ୍‌ ମିଳିଲେ କେବଳ ଥାନାକୁ ଆସି ପରିଚୟ ଦେଇ ଯାଇପାରିବେ। ସ୍ବାଭାବିକ ଜୀବନଯାପନ କରିବେ। ପୁଲିସ କାହାରିକୁ ଗିରଫ କରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ ଯେ ଚଳିତ ମାସରେ ଚାଷୀ ମୂଲିଆ ଆଦିବାସୀ ସଂଘର ୧୧୦୦ ସଦସ୍ୟଙ୍କ ବିରୋଧରେ ୱାରେଣ୍ଟ୍‌ ଜାରି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।