ରାଜ୍ୟ ସ୍ପେଶାଲ ରିପୋର୍ଟ

ମିଳୁନି ମହାପ୍ରୟାଣ ସେବା: ‘ଗାଡ଼ି ନାହିଁ କି ଡ୍ରାଇଭର ନାହାନ୍ତି’

ପୁରୀ : ସହରର ଚିତ୍ରପଟ ବଦଳୁଛି। ଅଥଚ ଚିକିତ୍ସା କ୍ଷେତ୍ରରେ ସରକାରୀ ଯୋଜନାର ବିକଳ ଚିତ୍ର ଉପହାସ କରୁଛି। ସରକାରୀ ଚିକିତ୍ସାଳୟରେ ଯଦି କେହି ଗରିବ ଲୋକଙ୍କର ମୃତ୍ୟୁ ଘଟେ, ତେବେ ମୃତଦେହକୁ ଘର ଯାଏ କିମ୍ବା ମଶାଣି ପର୍ଯ୍ୟନ୍ତ ନେବାକୁ ମାଗଣାରେ ‘ମହାପ୍ରୟାଣ’ ଗାଡ଼ିର ବ୍ୟବସ୍ଥା ରହିଛି।‌ କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଯୋଜନା ସ୍ବପ୍ନ ହୋଇଯାଇଛି। ଗାଡ଼ି ଅଛି, ହେଲା ଡ୍ରାଇଭର ନଥିବାରୁ ଲୋକେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ନିକଟରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହେବାରୁ ଖୋଦ୍‌ ଉପଜିଲ୍ଲାପାଳ ଡାକ୍ତରଖାନାରୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ମୃତଦେହ ନେବା ପାଇଁ ସ୍ବର୍ଗଦ୍ବାରରେ ଉପଲବ୍ଧ ‘ସ୍ବର୍ଗରଥ’ ଗାଡ଼ିକୁ ଡକାଇବାକୁ ବାଧ୍ୟ ହୋଇଥିଲେ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ମହାପ୍ରୟାଣ ମାର୍ଗଦର୍ଶିକା ମୁତାବକ ସରକାରୀ ଚିକିତ୍ସାଳୟରୁ ଘରକୁ କିମ୍ବା ମଶାଣିକୁ ଶବ ନେବା ପାଇଁ ପୁରୀରେ ୨ଟି ମହାପ୍ରୟାଣ ଗାଡ଼ିର ଆବଶ୍ୟକତା ରହିଛି। କିନ୍ତୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ କେତେବେଳେ ‌ଡ୍ରାଇଭର ସମସ୍ୟା ତ କେବେ ଗାଡ଼ି ଅଚଳ ହୋଇଯାଇଛି ବୋଲି ସଫେଇ ଦିଆଯାଉଛି। କିନ୍ତୁ ବାସ୍ତବରେ ‌ବହୁଦିନ ହେଲା ଏହି ମହାପ୍ରୟାଣ ଗାଡ଼ି ଉପଲବ୍ଧ ହେଉନାହିଁ। ଫଳରେ ଗରିବ ଲୋକମାନେ ବାଧ୍ୟ ହୋଇ ଡାକ୍ତରଖାନା ବାହାରେ ରହୁଥିବା ଶବବାହକ ଗାଡ଼ିଗୁଡ଼ିକୁ ୧୦୦୦ରୁ ୧୫୦୦ ଟଙ୍କା ଭଡ଼ା ସୂତ୍ରରେ ଆଣି କାମ ଚଳାଉଛନ୍ତି।


ମହାପ୍ରୟାଣ ମାର୍ଗଦର୍ଶିକାରେ କେଉଁ ସହର ପାଇଁ କେତେ ମହାପ୍ରୟାଣ ଗାଡ଼ି ରହିବ ତାହା ଧାର୍ଯ୍ୟ ହୋଇଛି। ପୁରୀ ମୁଖ୍ୟ ଚିକିତ୍ସାଳୟରେ ମାସକୁ ପ୍ରାୟ ୩୨ ଜଣଙ୍କର ମୃତ୍ୟୁ ଘଟୁଥିବା ବେଳେ ସିଏଚ୍‌ସି, ୟୁପିଏଚ୍‌ସି, ପିଏଚସି, ୟୁସିଏଚସି ଆଦି ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହିସାବକୁ ନେଲେ ପୁରୀ ଜିଲ୍ଲାରେ ସରକାରୀ ଚିକିତ୍ସାଳୟରେ ‌ମାସିକ ୪୨ ଜଣଙ୍କର ମୃତ୍ୟୁ ଗଟୁଛି। ଦୈନିକ ମୃତ୍ୟୁ ହାର ୧.୪ ରହିଥିବାରୁ ଅତି କମ୍‌ରେ ଦୁଇଟି ମହାପ୍ରୟାଣ ଗାଡ଼ି ଉପଲବ୍ଧ ହେବା ନେଇ ଗାଇଡ୍‌ଲାଇନରେ ଦର୍ଶାଯାଇଛି। ଅଥଚ ଜିଲ୍ଲାରେ ଦୁଇଟି ତ ଦୂରର କଥା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ବି ଗାଡ଼ିନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ସରକାରୀ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର। ସରକାରୀ ଚିକିତ୍ସାଳୟ‌ର ଦୂରାବସ୍ଥା କଥା ଜାଣିଥିଲେ ବି ସେମାନେ ବାଧ୍ୟ ହୋଇ ଟଙ୍କା ଅଭାବରୁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ଯଦି କେହି ସ୍ବଜନଙ୍କୁ ହରାଉଛି ତେବେ ଘର ପର୍ଯ୍ୟନ୍ତ ଶବ ନେବାକୁ ବି ସେ ଆଶ୍ରା ଖୋଜୁଛି। ଏଥିପାଇଁ ସରକାର ଯୋଜନା ମଧ୍ୟ କରିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉନାହିଁ। ବିଡ଼ମ୍ବନା ‌ଏହି ଯେ ଅନେକ ଏହି ଯୋଜନା ବାବଦରେ ଅବଗତ ନୁହନ୍ତି। ଲୋକେ ଜାଣିବା ପାଇଁ ମହାପ୍ରୟାଣ ଗାଡ଼ିର ଯୋଗାଯୋଗ ନମ୍ବର ଓ ଏହି ସୁବିଧା ସମ୍ପର୍କରେ ଚିକିତ୍ସାଳୟର କୌଣସି ସ୍ଥାନରେ ଉଲ୍ଲେଖ କରାଯିବା କଥା ଗାଇଡ୍‌ଲାଇ୍‌ନରେ ଉଲ୍ଲେଖ ରହିଛି। କିନ୍ତୁ ଏ ସମ୍ପର୍କରେ କେଉଁଠି ଧାଡ଼ିଟିଏ ଲେଖାଯାଇନାହିଁ। ଯଦି ଜଣେ ସଚେତନ ନାଗରିକଟିଏ ଏ ସମ୍ପର୍କରେ ଜାଣିବାକୁ ହେଲ୍‌ପ ଡେସ୍କକୁ ଯାଉଛି ସେଠାରେ ତାଲା ଝୁଲୁଛି, ନଚେତ କେବେ କେହି କେହି ଥିଲେ ସେମାନେ ମହାପ୍ରୟାଣ ଗାଡ଼ି ନଥିବା କହୁଛନ୍ତି। ମହାପ୍ରୟାଣ ଯୋଜନା କାର୍ଯ୍ୟାନ୍ବୟନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଜିଲ୍ଲା ମହାପ୍ରୟାଣ କମିଟି’ ଗଠନ କରିବାର ନିୟମ ରହିଛି। ହେଲେ ‌ଏଠି ଗାଡ଼ି ନାହିଁ କି କମିଟି କାମ କରୁନାହିଁ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି, ମହାପ୍ରୟାଣ ଗାଡ଼ି ପରିଚାଳନାରେ ରେଡ୍‌କ୍ରସ୍‌ର ବି ଉତ୍ତରଦାୟିତ୍ବ ରହିଛି। ତେବେ ଗାଡ଼ି ଖରାପ ଥିବାରୁ ଓ ମରାମତି ପାଇଁ ଯାଇଥିଲା। ଗାଡ଼ି ମରାମତି ହୋଇସାରିଥିଲେ ମଧ୍ୟ ପୂର୍ବରୁ ନିୟୋଜିତ ଡ୍ରାଇଭର କାର୍ଯ୍ୟରୁ ଓହରି ଯାଇଛନ୍ତି। ନୂଆ ଡ୍ରାଇଭର ନିୟୋଜିତ କରି ମହାପ୍ରୟାଣ ଗାଡ଼ି ସେବା ଯଥା ସମ୍ଭବ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।