ରାଜ୍ୟ

ମା’ କୋଳକୁ ଫେରିଲା ପିହୁ: ଦେବଗଡ଼ରୁ ଅପହୃତ, ସୁନ୍ଦରଗଡ଼ରୁ ଉଦ୍ଧାର

ଦେବଗଡ଼/ସୁନ୍ଦରଗଡ଼/ବଡ଼ଗାଁ: ଦେବଗଡ଼ ସହରରୁ ଅପହୃତ ଶିଶୁକନ୍ୟା ପିହୁ (୬) ମଙ୍ଗଳବାର ମା କୋଳକୁ ଫେରିଛି। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ-ଭୋଇପାଲି ରାସ୍ତାକଡ଼ରୁ ମଙ୍ଗଳବାର ଭୋର୍ ୪ଟାରେ କାନ୍ଦୁଥିବା ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଛି। ଏକ କାର୍‌ ଆସି ବଡ଼ଗାଁ- ଭୋଇପାଲି ରାସ୍ତାକଡ଼ରେ ତାକୁ ଓହ୍ଲାଇ ଦେଇ ଫେରାର ହୋଇଯାଇଥିବା କୁନିଝିଅ ପିହୁକୁ ଉଦ୍ଧାର କରିଥିବା ଲକ୍ଷ୍ମୀକାନ୍ତ ମିଶ୍ର ଓ ଅନ୍ୟମାନେ କହିଛନ୍ତି। ସକାଳେ ସୂଚନାପାଇ ବଡ଼ଗାଁ ପୁଲିସ ପିହୁକୁ ନିଜ ହେପାଜତକୁ ଆଣିଥିଲା। ବଡ଼ଗାଁ ପୁଲିସ ଏ ସମ୍ପର୍କରେ ଦେବଗଡ଼ ଥାନାକୁ ଖବର ଦେଇଥିଲେ। ଦେବଗଡ଼ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିପିଓ ସୌମ୍ୟରଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ଏକ ଟିମ୍‌ ଯାଇ ଶିଶୁକନ୍ୟାକୁ ଦେବଗଡ଼ ଆଣିବା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ପରିବାର ଲୋକଙ୍କୁ ହସ୍ତା‌ନ୍ତର କରାଯାଇଛି।

ଦୁର୍ବୃତ୍ତମାନେ ଅପହରଣ କରିବା ପରେ ଧରାପଡ଼ିଯିବା ଭୟରେ ଶିଶୁକୁ ସେଠାରେ ଛାଡ଼ି ଦେଇଥିବା ଅନୁମାନ କରାଯାଉଛି। ତେବେ, ଅପହରଣର କାରଣ ଏବେ ବି ଅସ୍ପଷ୍ଟ ରହିଛି। ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଚାଲିଛି ଏବଂ ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ପ୍ରଦ୍ୟୁମ୍ନ ମିଶ୍ର କହିଛନ୍ତି। ଅପହରଣ ଘଟଣାରେ ପୁଲିସ୍‌ ସିସିଟିଭି ଫୁଟେଜ୍‌ରୁ ପାଇଥିବା ଦୁଇ ଅପହରଣକାରୀଙ୍କ ଫଟୋକୁ ସାର୍ବଜନୀନ କରିଛି। ଅପରାଧୀଙ୍କ ସଂପର୍କରେ ସୂଚନା ଦେଲେ ସଂପୃକ୍ତ ସୂଚନାଦାତାଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ ଦେବଗଡ଼ ସହରର କପଡ଼ା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ ସୋମବାର ସଂଧ୍ୟା ପ୍ରାୟ ସାଢେ ୬ଟା ସମୟରେ ଟ୍ୟୁସନ୍‌ରୁ ତାଙ୍କ ଜେଜେମାଙ୍କ ସହ ଚାଲିଚାଲି ଘରକୁ ଫେରୁଥିଲେ। ଏହି ସମୟରେ ଦେବଗଡ଼ ସହରର ଡେଲି ମାର୍କେଟ ଛକ ନିକଟରେ ଦୁଇଜଣ କଳା ମୁଖାପିନ୍ଧା ଦୁର୍ବୃତ୍ତ ଏକ କଳା ରଙ୍ଗର ପଲ୍‌ସର ବାଇକ୍‌ରେ ଆସି ଜେଜେମାଙ୍କୁ ଧକ୍କା ଦେଇ ପିହୁଙ୍କୁ ଅପହରଣ କରି​ନେଇଥିଲେ। ପୁଲିସର ପ୍ରାଥମିକ ତଦନ୍ତ କାଳରେ ମିଳିଥିବା ସୂଚନା ଅନୁସାରେ, ଦୁଇ ଦୁର୍ବୃତ୍ତ ପିହୁଙ୍କୁ ବାଇକ୍‌ରେ ଉଠାଇ ନେବା ପରେ ସୁନ୍ଦରଗଡ଼ ଆଡ଼କୁ ପଳାଇଥିଲେ। ବାଟରେ ସେମାନେ ବାଇକ୍‌ ଛାଡ଼ି ପୂର୍ବ ପ୍ରସ୍ତୁତ ଏକ କାର୍‌କୁ ପଳାଇ ଯାଇଥିଲେ। ରାତି ପ୍ରାୟ ୩ଟା ବେଳେ ଉଭୟେ ସୁନ୍ଦରଗଡ଼ ସହରର ଏକ ହୋଟେଲ୍‌କୁ ଯାଇ ରହିବାକୁ ରୁମ୍‌ ମାଗିଥିଲେ।

ହୋଟେଲ ମ୍ୟାନେଜରଙ୍କୁ ସେମାନେ ଦୁଇଜଣ ଓ ଆଉ ଗୋଟିଏ ଛୋଟ ଝିଅ ରହିବେ ବୋଲି କହିଥିଲେ। ମାତ୍ର ସେମାନଙ୍କ ପାଖରେ ପରିଚୟପତ୍ର ନଥିବାରୁ ହୋଟେଲ ମ୍ୟାନେଜର ରୁମ୍‌ ଦେଇନଥିଲେ। ଏହି ଖବର ମିଳିବା ପରେ ଏସ୍‌ପି ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ଼ ଏସ୍‌ଡିପିଓ ଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ସେପଟେ ଦୁର୍ବୃତ୍ତମାନେ ସୁନ୍ଦରଗଡ଼ର ଆଉ ଗୋଟିଏ, ଦୁଇଟି ହୋଟେଲକୁ ଯାଇ ରହିବାକୁ ଉଦ୍ୟମ କରିଥିଲେ ହେଁ ପରିଚୟପତ୍ର ଅଭାବରୁ ସେଠାରେ ମଧ୍ୟ ରୁମ୍‌ ପାଇନଥିଲେ। ଫଳରେ ସେମାନେ ରାଉରକେଲା ଆଡ଼କୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ ପୁଲିସ ସେମାନଙ୍କ ପିଛା କରୁଥିବା ଜାଣି ପିହୁଙ୍କୁ ବଡ଼ଗାଁ ନିକଟ ଏକ ପୋଲ ଉପରେ ଏକୁଟିଆ ଛାଡ଼ି ଫେରାର ହୋଇଯାଇଥିଲେ। ପିହୁ ଆଜି ସକାଳେ ଘରକୁ ଫେରିଲା ପରେ ତାଙ୍କୁ ଦେଖିବା ପାଇଁ ଘର ଆଗରେ ପ୍ରବଳ ଭିଡ଼ ହୋଇଥିଲା। ତେବେ ପିହୁ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିବାରୁ ଘଟଣା ସଂପର୍କରେ କିଛି କହିପାରୁନାହାନ୍ତି। ସେ ସ୍ବାଭାବିକ ହେବା ପରେ ପୁଲିସ ତାଙ୍କୁ ପଚରାଉଚରା କରିବ ବୋଲି ଅପେକ୍ଷାରେ ରହିଛି। ଅପହରଣକାରୀଙ୍କ ପରିଚୟ ଜଣାପଡ଼ି ନଥିଲେ ହେଁ ଉଭୟେ ଦେବଗଡ଼ୀ ଓ ସମ୍ବଲପୁରୀରେ କଥା ହେଉଥିଲେ। ତେଣୁ ସେମାନେ ସ୍ଥାନୀୟ ଲୋକ ଏବଂ ପିହୁଙ୍କୁ ଟଙ୍କା ଆଦାୟ ଲକ୍ଷ୍ୟରେ ଅପହରଣ କରିଥିବା ପୁଲିସ ଅନୁମାନ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।