ମାଲକାନଗିରି ୩୦।୮: ମାଲକାନଗିରି ଜିଲ୍ଲା ନୀଳାକାମ୍ବେରୁ ପଞ୍ଚାୟତ ସଦରର କଲୋନୀ ବାସିନ୍ଦା ଆଜିକୁ ୪୦ଦିନ ହେବ ବିଦ୍ୟୁତ ସଂଯୋଗ ନପାଇ ଅନ୍ଧାରରେ ରହି ଆସୁଥିବା ଅଭିଯୋଗ । ଏ ନେଇ ବାଲିମେଳା ସ୍ଥିତ ପୋଟେରୁ ଜଳ ସେଚନ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ କଲୋନୀ ବାସିନ୍ଦା ଧାରଣାରେ ବସିଛନ୍ତି ।ତେବେ ଧାରଣାରତ କଲୋନୀ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ଆଜିକୁ ଦୀର୍ଘ ବର୍ଷ ହେବ ସେମାନେ ପିଆଇପି ବିଭାଗ କ୍ବାର୍ଟର ଘରେ ରହି ଆସୁଥିଲେ ଏବଂ ସେମାନଙ୍କୁ ଜଳ ଓ ବିଦ୍ୟୁତ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିଲା ।

ଗତ ମାସ ୧୮ ତାରିଖରୁ ବିନା ନୋଟିସରେ ବାଲିମେଳା ଓଏଚପିସି ପ୍ରକଳ୍ପ ପୋଟେରୁ ଅଧିନରେ ଥିବା ବ୍ୟାରେଜ ସହିତ ଏହି କ୍ବାର୍ଟର ଘରଗୁଡିକରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରିଛି । ବିଦ୍ୟୁତ ସରବରାହ ବନ୍ଦ ରହିବାରୁ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ବାଳକ ଓ ବାଳିକା ହଷ୍ଟେଲ ମଧ୍ୟ ଅନ୍ଧକାରରେ ରହୁଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଅନ୍ଧକାର ହେତୁ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାହତ ହେଉଛି ବୋଲି କଲୋନୀ ବାସିନ୍ଦା ଅଭିଯୋଗ କରିଛନ୍ତି ।