ନବରଙ୍ଗପୁର ୨୪।୦୩: ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କଠୁ ନେଇ ସ୍ଥାନୀୟ ପ୍ରଶାସନ ସତର୍କ ହୋଇ ଉଠିଛନ୍ତି। ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଆସନ୍ତାକାଲିଠୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ। ଏନେଇ ନବଙ୍ଗପୁର ଜିଲ୍ଲାପାଳ ବୁଧବାର ଘୋଷଣା କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ନାଇଟ୍ କର୍ଫ୍ୟୁ ସହ ଜିଲ୍ଲାପାଳ ଆଉ କିଛି କଟକଣା ଜାରି କରିଛନ୍ତି। ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ମନା। ଜରୁରୀ ନଥିବା ସେମିନାର, ଓ୍ଵାର୍କସପ୍, କନଫରେନ୍ସ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି। ଏପରିକି ଗହଳି ହେଉଥିବା ଧାର୍ମିକ କାର୍ଯ୍ୟକ୍ରମ ଓ ବାହାଘର ରିସେପସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ ବାହାଘର ବରଯାତ୍ରୀ ଶୋଭାଯାତ୍ରା ଓ ଅପେରା ଉପରେ ରୋକ୍ ଲଗାଯାଇଛି।
ବିଜ୍ଞପ୍ତି ଅନୁଯାୟୀ ରାଜନୈତିକ ଶୋଭାଯାତ୍ରା, ଆନ୍ଦୋଳନ ଉପରେ ରୋକ୍ ଲଗାଯାଇଛି। ଗହଳି ସମ୍ଭାବନା ଥିବା କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶାନାମା ଜାରି ରହିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମାର୍ଚ୍ଚ ୨୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଜିଲ୍ଲାରେ ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣର ଦ୍ଵିତୀୟ ଲହର ଦେଖିବାକୁ ମିଳିଛି। ଓଡିଶାରେ ମଧ୍ୟ ଗତ ଦୁଇ ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଓଡିଶାକୁ ପୁଣି ଥରେ ଫେରିଛି ନାଇଟ୍ କର୍ଫ୍ୟୁ।
ରାଜ୍ୟରେ ଗତ କିଛି ଦିନ ହେବ ୧୦୦ରୁ ଉର୍ଦ୍ଧ୍ଵ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟ ସରକାରଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି। କାରଣ ଦେଶର ମହାରାଷ୍ଟ୍ରରେ ଦୈନିକ ହଜାର ହଜାର ସଂଖ୍ୟକ କରୋନା ଚିହ୍ନଟ ହେବା ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଦେଶର ମହାରାଷ୍ଟ୍ର ଓ ଗୁଜରାଟ ସମେତ ଅନେକ ରାଜ୍ୟରେ କରୋନା ଉପରମୁହାଁ ହୋଇଛି। ଫଳରେ ଓଡିଶା ସରକାର ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ ଗତ ୨୪ ଘଣ୍ଟାରେ ଓଡିଶାରେ ୧୭୦ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୨୪୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୯ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୭୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ବିଶେଷ କରି କଟକ ଓ ଖୋର୍ଦ୍ଧା ଜିଲ୍ଲା ଚିନ୍ତାର ବିଷୟ ପାଲଟିଛି। ଉଭୟ ଜିଲ୍ଲାରୁ ଆଜି ୨୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଡାରୁ ୨୭ ଏବଂ ସୁନ୍ଦରଗଡରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।